ଏବେ ଗୁମର ଖୋଲୁଛି ଅପେରସନ ‘ସିନ୍ଦୂର’, ଜାଣନ୍ତୁ PL-15 ମିସାଇଲକୁ ନେଇ କ’ଣ କହୁଛି ଚୀନ୍?

Published By : Prameya-News7 Bureau | May 30, 2025 IST

ନୂଆଦିଲ୍ଲୀ ୩୦।୫: ପହଲଗାମ ଆତଙ୍କୀ କାଣ୍ଡକୁ ନେଇ ଭାରତର ଅପରେସନ ସିନ୍ଦୂର ଏବେ ପଡୋଶୀ ଦେଶଙ୍କ ଗୁମର ଖୋଲୁଛି। ପାକିସ୍ତାନକୁ ପିଏଲ-୧୫ କ୍ଷେପଣାସ୍ତ୍ର ଯୋଗାଣ କଥାକୁ ବେଜିଂ ସ୍ୱୀକାର କରିଛି। ତେବେ ଚୀନ ପ୍ରତିରକ୍ଷା ମନ୍ତ୍ରାଳୟ କହିଛି ଯେ ପାକିସ୍ତାନକୁ ପିଏଲ-୧୫ ଇ କ୍ଷେପଣାସ୍ତ୍ର ବିକ୍ରି କରାଯାଇଛି। ଏହା ଏହି କ୍ଷେପଣାସ୍ତ୍ରର ଏକ୍ସପର୍ଟ ମଡେଲ । ଚୀନ୍ ରକ୍ଷା ମନ୍ତ୍ରାଳୟ ମୁଖପାତ୍ର ଝାଙ୍ଗ ସିୟାଓଗାଙ୍ଗ ଭାରତରେ ପିଏଲ-୧୫ଇ କ୍ଷେପଣାସ୍ତ୍ର ଅକ୍ଷତ ମିଳିବା ଘଟଣାର ଜବାବରେ ଏହା କହିଛନ୍ତି। 

ସେ କହିଛନ୍ତି ଯେ ଏହାକୁ ଚୀନ୍ ଅନ୍ତର୍ଜାତୀୟ ସ୍ତରରେ ଅନୁଷ୍ଠିତ ବିଭିନ୍ନ ପ୍ରତିରକ୍ଷା ପ୍ରଦର୍ଶନୀରେ ଦେଖାଇଛି। ତେବେ ଏହା ଘରୋଇ ସ୍ତରରେ ବ୍ୟବହୃତ ହେଉଥିବା ପିଏଲ-୧୫ କ୍ଷେପଣାସ୍ତ୍ରର ଡାଉନଗ୍ରେଡ ଭର୍ସନ। ପିଏଲ-୧୫ଇ ର ରେଞ୍ଜ ପାଖାପାଖି ୧୪୫ କିଲୋମିଟର (୯୦ ମାଇଲ) ଏବଂ ଆକ୍ଟିଭ ଇଲେକ୍ଟ୍ରୋନିକଲୀ ସ୍କାନଡ ରାଡାର ଓ ଡ୍ୟୁଲ ମୋଟରରେ ସଜ୍ଜିତ। ଏହା ପାକିସ୍ତାନର ଜେଏଫ-୧୭  ବ୍ଲକ (iii) ଓ ଜେ-୧୦ ସି ସହିତ ଲାଗୁଛି। ଯାହା ପାକିସ୍ତାନ ଏୟାରଫୋର୍ସର କ୍ଷମତାକୁ ବଢାଉଛି। 

ଚୀନ୍ ପ୍ରତିରକ୍ଷା ମନ୍ତ୍ରାଳୟ ମୁଖପାତ୍ର ଝାଙ୍ଗଙ୍କ ଏପରି ବୟାନର ଉଦ୍ଦେଶ୍ୟ ମିସାଇଲ ଟେକ୍ନୋଲଜିକୁ ନେଇ ଚିନ୍ତାକୁ କମ୍ କରିବା। ଏହା ଦ୍ୱାରା ଚୀନ୍‌ର ସମ୍ବେଦନଶୀଳ ଟେକ୍ନୋଲଜି ଭାରତ ହାତକୁ ଯିବାର ଡରକୁ ହ୍ରାସ କରିବାକୁ ସେ ଉଦ୍ୟମ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଭାରତ-ପାକ ସଂଘର୍ଷ କାଳରେ ପିଏଲ-୧୫ଇ ମିସାଇଲ ଭାରତକୁ ଅକ୍ଷତ ଅବସ୍ଥାରେ ମିଳିବା ଘଟଣା ସାମ୍ନାକୁ ଆସିଛି। ଏହି କ୍ଷେପଣାସ୍ତ୍ର ସୁରକ୍ଷିତ ଅବସ୍ଥାରେ ଭାରତ ହାତରେ ପଡିବା ଏବେ ବେଜିଂ ଲାଗି ଚିନ୍ତାର କାରଣ ପାଲଟିଛି। ଏଣୁ ଚୀନ୍‌ ସ୍ପଷ୍ଟ କରିଛି ଯେ ପାକିସ୍ତାନକୁ ଏହାର ରପ୍ତାନୀ ମଡେଲ ବିକ୍ରି କରିଛି। 

ଚୀନ୍‌ ମିସାଇଲ ଭାରତକୁ ମିଳିବା ଚୀନର ଉନ୍ନତ ସୈନ୍ୟ ଟେକନିକ୍ କୁ ବିଶ୍ଲେଷଣ କରି ରିଭର୍ସ ଇଞ୍ଜିନିୟରିଂର ସୁଯୋଗ ଦେବା ସହ ସମାନ। ଏପରି ଆକଳନ କରାଯାଉଛି ଭାରତ କ୍ଷେପଣାସ୍ତ୍ରର ଯନ୍ତ୍ରାଂଶକୁ ଆମେରିକା, ଫ୍ରାନ୍ସ ଓ ଜାପାନ ସହିତ ସେୟାର କରିପାରେ। କାରଣ ପିଏଲ-୧୫ ଭବିଷ୍ୟତର ସମ୍ଭାବିତ ସଂଘର୍ଷରେ ଚୀନ୍‌ ବାୟୁସେନାର ମୁକାବିଲା ନିମନ୍ତେ ପ୍ରାସଙ୍ଗିକ ଅଟେ। ଏଣୁ ଚୀନ୍‌ ତାର ମିସାଇକୁ ନେଇ ଏବେ ଚିନ୍ତାରେ ପଡି ଯାଇଛି। ଭାରତରେ ପିଏଲ-୧୫ଇ ର ରିଭର୍ସ ଇଞ୍ଜିନିୟରିଂ ସମ୍ଭାବନା ଚୀନ୍ ସାମରିକ ମହଲରେ ଏବେ ଚିନ୍ତାର କାରଣ ପାଲଟିଛି। 

ଏଥିରେ ଚୀନର ଏକ ସାମରିକ ବ୍ଲଗର କହିଛନ୍ତି ଯେ ଏକ୍ସପର୍ଟ ମଡେଲର ଟେକ୍ନୋଲଜି ଘରୋଇ ଭର୍ସନ ଭଳି ସେତେ ଉନ୍ନତ ନୁହେଁ । ଏଣୁ ଭାରତକୁ କୌଣସି ପ୍ରକାରର ରିଭର୍ସ ଇଞ୍ଜିନିୟରିଂର ସୀମିତ ଲାଭ ମିଳିପାରେ। ଏହାସତ୍ତ୍ୱେ ମିସାଇଲର ରାଡାର ଓ ଅନ୍ୟ ତତ୍ୱର ରିକଭରୀ ଚୀନ୍‌ର ମିସାଇଲ ଡିଜାଇନ ଓ ମାର୍ଗଦର୍ଶନ ପ୍ରଣାଳୀ କାମକୁ ଆସିପାରେ। ଏହା ସମ୍ଭାବିତ ରୂପେ ଭାରତକୁ ନିଜର ବେୟଣ୍ଡ ଭିଜନ ରେଞ୍ଜ (ବିଭିଆର) କ୍ଷେପଣାସ୍ତ୍ର ବିକାଶରେ ନିଶ୍ଚିତ ରୂପେ ଲାଭାନ୍ୱୀତ କରିବ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.