ଗାଁରେ ବନ୍ଧୁକ ଧରି ପଶିଲେ, ୩୦ ଜଣଙ୍କୁ ମାରିଲେ, ଅନେକଙ୍କୁ ଅପହରଣ କରିନେଲେ ଅପରାଧୀ

NEWS7
know-the-signifance-of-chaitra-navratri-march-25

ନୂଆଦିଲ୍ଲୀ: ଉତ୍ତର ନାଇଜେରିଆରେ ଆଉ ଏକ ରକ୍ତାକ୍ତ ଆକ୍ରମଣ ହୋଇଛି। ନାଇଜର ରାଜ୍ୟର ଏକ ଗାଁରେ ସଶସ୍ତ୍ର ଲୋକମାନେ ୩୦ ଜଣଙ୍କୁ ହତ୍ୟା କରିଛନ୍ତି ଏବଂ ଅନେକ ଗ୍ରାମବାସୀଙ୍କୁ ଅପହରଣ କରି ନେଇଛନ୍ତି । ଏହି ଅଞ୍ଚଳରେ ପୂର୍ବରୁ ହିଂସା ଜାରି ରହିଛି। ପୋଲିସ ଅନୁସାରେ, ନାଇଜର ରାଜ୍ୟର ବୋରଗୁ ଅଞ୍ଚଳରେ ଥିବା କାସୁୱାନ-ଦାଜି ଗାଁରେ ଶନିବାର ସନ୍ଧ୍ୟାରେ ଏହି ଆକ୍ରମଣ ଘଟିଥିଲା। ସଶସ୍ତ୍ର ଆକ୍ରମଣକାରୀମାନେ ହଠାତ୍ ଗାଁରେ ପ୍ରବେଶ କରି ଲୋକଙ୍କ ଉପରେ ଆଖିବୁଜା ଗୁଳି ଚଳାଇଥିଲେ। ଗୁଳିକାଣ୍ଡ ପରେ, ଆକ୍ରମଣକାରୀମାନେ ଗାଁ, ବଜାର ଏବଂ ଅନେକ ଘରେ ନିଆଁ ଲଗାଇ ଦେଇଥିଲେ । ଫଳରେ ବ୍ୟାପକ କ୍ଷତି ହୋଇଛି ।

କାସୁୱାନ-ଦାଜି ଗାଁ ନିକଟରେ ପାପିରି ସମ୍ପ୍ରଦାୟ ରହୁଛନ୍ତି । ସେଠାରୁ ଗତ ନଭେମ୍ବର ମାସରେ ଏକ କ୍ୟାଥୋଲିକ ସ୍କୁଲରୁ ୩୦୦ ରୁ ଅଧିକ ପିଲା ଏବଂ ଶିକ୍ଷକଙ୍କୁ ଅପହରଣ କରାଯାଇଥିଲା। ନାଇଜର ରାଜ୍ୟ ପୋଲିସ ମୁଖପାତ୍ର ୱାସିଉ ଆବିଓଡୁନ କହିଛନ୍ତି ଯେ, ଆକ୍ରମଣରେ ଅତି କମରେ ୩୦ ଜଣଙ୍କର ମୃତ୍ୟୁ ହୋଇଛି। ଗାଁ ଲୋକ କହିଛନ୍ତି ଯେ, ମୃତ୍ୟୁ ସଂଖ୍ୟା ୩୭ କିମ୍ବା ତା'ଠାରୁ ଅଧିକ ହୋଇପାରେ । ଅନେକ ଏବେ ବି ନିଖୋଜ ଅଛନ୍ତି।

ରବିବାର ସୁଦ୍ଧା, କିଛି ଗାଁ ଲୋକଙ୍କ ପତ୍ତା ମିଳିନାହିଁ । ଫଳରେ ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଗ୍ରାମବାସୀ ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ, ଆକ୍ରମଣ ପରଠାରୁ ସୁରକ୍ଷା ବାହିନୀ ଏପର୍ଯ୍ୟନ୍ତ ଗାଁରେ ପହଞ୍ଚି ନାହାନ୍ତି। ପୋଲିସ କିମ୍ବା ସେନାର ଅନୁପସ୍ଥିତି ଲୋକଙ୍କୁ ବ୍ୟଥିତ କରିଛି । ପୋଲିସ ଦାବି କରୁଛି ଯେ, ଅପହୃତ ବ୍ୟକ୍ତିମାନଙ୍କୁ ଖୋଜିବା ପାଇଁ ସେନା ମୁତୟନ କରାଯାଇଛି।

ନାଇଜେରିଆ ଆଫ୍ରିକାର ସବୁଠାରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଦେଶ । କିନ୍ତୁ ଦୁର୍ଗମ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ଦୁର୍ବଳ । ଏହି ଅଞ୍ଚଳଗୁଡ଼ିକରେ ସଶସ୍ତ୍ର ଅପରାଧୀମାନଙ୍କ ଉପସ୍ଥିତି ଅଧିକ । ଅପରାଧୀମାନେ ପ୍ରାୟତଃ ଗାଁ ଉପରେ ଆକ୍ରମଣ କରନ୍ତି । ଲୋକଙ୍କୁ ହତ୍ୟା କରନ୍ତି ଏବଂ ଅପହରଣ କରନ୍ତି । ପୋଲିସର କହିବା ଅନୁସାରେ, କାସୁୱାନ-ଦାଜି ଉପରେ ଆକ୍ରମଣ କରିଥିବା ସଶସ୍ତ୍ର ଅପରାଧୀ କାବେ ଜିଲ୍ଲାରୁ ଆସିଥିଲେ । ଏହି ଅଞ୍ଚଳରେ ବିସ୍ତୃତ ଜଙ୍ଗଲ ରହିଥିବାରୁ ସେମାନେ ସେଠାରେ ଲୁଚି ରୁହନ୍ତି ।