ନୂଆଦିଲ୍ଲୀ ୨୩।୮: ଆପଣମାନଙ୍କ ମଧ୍ୟରୁ ଅନେକ ନିୟମିତ ବ୍ଲଡପ୍ରେସର (ବିପି) ଯାଞ୍ଚ କରୁଥିବେ। ତେବେ ଜାଣନ୍ତି କି ରକ୍ତ ଚାପ କେତେ ରହିଲେ ସ୍ୱଭାବିକ (ନର୍ମାଲ)? ଏବେ ଏହି ତଥ୍ୟ ଅପଡେଟ୍ ହୋଇଛି। ଏବେ ୧୨୦/୮୦ ରକ୍ତଚାପ ମଧ୍ୟ ନର୍ମାଲ ଶ୍ରେଣୀରେ ନାହିଁ। ଆମେରିକା ହାର୍ଟ ଆସୋସିଏସନ ବ୍ଲଡ ପ୍ରେସରର ନୂଆ ଗାଇଡଲାଇନ ଜାରି କରିଛନ୍ତି। ଏଥିରେ ନର୍ମାଲ ବ୍ଲଡ ପ୍ରେସରର ସୀମାକୁ ପୂର୍ବାପେକ୍ଷା କମ କରି ଦିଆଯାଇଛି।
ଏହା ପୂର୍ବରୁ ୨୦୧୭ ମସିହାରେ ନର୍ମାଲ ବ୍ଲଡ ପ୍ରେସରର ସୀମା ନିର୍ଦ୍ଧାରଣ ହୋଇଥିଲା। ସେହି ଅନୁସାରେ ସିଷ୍ଟୋଲିକ୍ ବିପି ଅର୍ଥାତ ଉପର ବ୍ଲଡ ପ୍ରେସରର ନର୍ମାଲ ରିଡିଂ ୧୨୦ ପର୍ଯ୍ୟନ୍ତ ଥିଲା। କିନ୍ତୁ ଏବେକା ନୂଆ ଗାଇଡଲାଇନ ଅନୁସାରେ ଏହାକୁ ୧୧୫ରୁ ୧୧୯ ମଧ୍ୟରେ ସୀମିତ କରାଯାଇଛି। ସେହିପରି ଡୟଷ୍ଟୋଲିକ୍ ଅର୍ଥାତ ନିମ୍ନ ପ୍ରେସରର ସାମାନ୍ୟ ସୀମା ୭୦ରୁ ୭୯ ମଧ୍ୟରେ ରଖାଯାଇଛି। ଏଥି ପାଇଁ ଆମେରିକା ହାର୍ଟ ଆସୋସିଏସନର ତର୍କ ହେଉଛି କେତେକ ଗୁରୁତର ରୋଗରୁ ବର୍ତ୍ତିବା ଲାଗି ରକ୍ତ ଚାପକୁ ସମୟ ପୂର୍ବରୁ ନିୟନ୍ତ୍ରଣ କରିବା ଜରୁରି।
ନୂଆ ଗାଇଡଲାଇନ ଅନୁସାରେ ବ୍ଲଡ ପ୍ରେସରକୁ ଏବେ ଷ୍ଟେଜେସ୍ ରେ ବଣ୍ଟା ଯାଇଛି। ଯଦି ସିଷ୍ଟୋଲିକ୍ ବିପି ୧୩୦ରୁ ଅଧିକ ଓ ଡାୟୋଷ୍ଟୋଲିକ୍ ବିପି ୮୦ରୁ ଅଧିକ ତେବେ ଏହାକୁ ହାଇପରଟେନସନର ପ୍ରାଥମିକ ପର୍ଯ୍ୟାୟ ମନେ କରାଯିବ। ସେହିପରି ବ୍ଲଡ ପ୍ରେସର ୧୪୦/୯୦ରୁ ଅଧିକ ହେଲେ ହାଇପରଟେନସନର ଦ୍ୱିତୀୟ ପର୍ଯ୍ୟାୟରେ ଗଣାଯିବ। ଯଦି ବ୍ଲଡ ପ୍ରେସର ୧୮୦/୧୨୦ରୁ ଅଧିକ ତେବେ ଏହାକୁ ଗୁରୁତର ସ୍ଥିତି ଅର୍ଥାତ ହେଲଥ୍ ଏମାର୍ଜେନ୍ସୀ ମନେ କରାଯିବ ଓ ତୁରନ୍ତ ଚିକିତ୍ସକୀୟ ସହାୟତା ନେବା ଜରୁରି।
ଏଥିରେ ହାଇପରଟେନସନ ରୋଗୀଙ୍କ ଲାଗି କିଛି ପରାମର୍ଶ ଦିଆଯାଇଛି। ଯଦି ଆପଣଙ୍କ ରକ୍ତ ଚାପ ୧୨୦ରୁ ୧୩୯ ମଧ୍ୟରେ ରହୁଛି ତେବେ ସର୍ବ ପ୍ରଥମେ ଲାଇଫ ଷ୍ଟାଇଲରେ ତୁରନ୍ତ ପରିବର୍ତ୍ତନ କରନ୍ତୁ। ଯଦି ୩ ମାସ ମଧ୍ୟରେ ଏହାର କୌଣସି ଲାଭ ନ ମିଳେ ତେବେ ଡାକ୍ତରଙ୍କ ପରାମର୍ଶରେ ଔଷଧ ସେବନ ଆରମ୍ଭ କରାଯାଇ ପାରେ। ସେହିପରି ଯଦି ଆପଣଙ୍କ ବ୍ଲଡ ପ୍ରେସର ଲଗାତାର ୧୪୦ରୁ ଉପରେ ରହୁଛି ତେବେ ବ୍ଲଡ ପ୍ରେସରକୁ ନିୟନ୍ତ୍ରଣ କରିବାକୁ ତୁରନ୍ତ ଔଷଧ ସେବନ କରନ୍ତୁ। ଏଥିରେ ଯଦି ସିଷ୍ଟୋଲିକ୍ ବ୍ଲଡ ପ୍ରେସର ୧୮୦ରୁ ଅଧିକ ହେଉଥାଏ ତେବେ ଏହାକୁ ହେଲଥ୍ ଏମାର୍ଜେନ୍ସୀ ମନେ କରି ତୁରନ୍ତ ହସ୍ପିଟାଲ ପହଞ୍ଚିବା ଦରକାର।
ନୂଆ ଗାଇଡଲାଇନ ଅନୁସାରେ ଆମେରିକାରେ ପାଖାପାଖି ୩ କୋଟି ଲୋକଙ୍କୁ ହାଇପରଟେନସ କ୍ୟାଟୋଗରୀରେ ସାମିଲ କରାଯାଇଛି। ଭାରତରେ ଏହି ଗାଇଡଲାଇନ ଲାଗୁ ହେଲେ ଦେଶରେ ହାଇପରଟେନସ ରୋଗୀଙ୍କ ସଂଖ୍ୟା ୨୦ରୁ ୩୦% ପର୍ଯ୍ୟନ୍ତ ବଢିଯାଇପାରେ। ରକ୍ତଚାପ ହିସାବକୁ ସମୟସମୟରେ ଅପଡେଟ କରାଯାଇଛି। ୧୯୬୦ ମସିହା ଗାଇଡଲାଇନ ଅନୁସାରେ ୧୨୦/୧୫୯କୁ ପ୍ରି ହାଇପର ଟେନସନ ଓ ୧୬୦ରୁ ଅଧିକକୁ ହାଇପରଟେନସନ ମନେ କାରଯାଉଥିଲା।
୧୯୭୭ରେ ଏହା ଅପଡେଟ୍ ହୋଇ ୧୩୯ ପର୍ଯ୍ୟନ୍ତ ଓ ୧୪୦ରୁ ଅଧିକକୁ ହାଇପରଟେନସନ ମନେ କରାଯାଉଥିଲା। ତେବେ ୨୦୧୭ ମସିହାରେ ସିଷ୍ଟୋଲିକ୍ ୧୨୯ ପର୍ଯ୍ୟନ୍ତ ପ୍ରି ହାଇପରଟେନସନ ଓ ୧୩୦ରୁ ଅଧିକ ହେଲେ ହାଇପର ଟେନସନ ମନେ କରାଯାଉଥିଲା।