ଭାରତ ମହାସାଗରରେ ଚୀନର ଆଧିପତ୍ୟ ଭାଙ୍ଗିବ ଭାରତ: ତିଆରି କରୁଛି k-6 ସୁପରସୋନିକ ମିସାଇଲ୍

Published By : Prameya-News7 Bureau | June 27, 2025 IST

internet

ନୂଆଦିଲ୍ଲୀ: ଭାରତ ମହାସାଗର ଅଞ୍ଚଳରେ ଚୀନ୍‌ ନୌସେନା ଧୀରେ ଧୀରେ ତା’ର ଉପସ୍ଥିତି ବଢ଼ାଉଛି। ଚୀନର ବିସ୍ତାରବାଦୀ ମହତ୍ତ୍ୱାକାଂକ୍ଷା ଭାରତ ପାଇଁ ଆଗକୁ ବିପଦ ସୃଷ୍ଟି କରିପାରେ। ତେଣୁ ଏହାର ମୁକାବିଲା ପାଇଁ ଜୋର୍‌ସୋର୍‌ରେ ଲାଗିପଡ଼ିଛି ଭାରତ। ଚୀନର ନୌସେନାକୁ କାଉଣ୍ଟର କରିବାକୁ ଭାରତ ତିଆରି କରୁଛି ପରମାଣୁଅସ୍ତ୍ର ବହନକାରୀ ଶକ୍ତିଶାଳୀ ମିସାଇଲ୍ k-6 । ଯାହା ଚୀନ୍‌ର ଇଣ୍ଟରକଣ୍ଟିନେଣ୍ଟାଲ୍ ରେଞ୍ଜ୍‌ ସବମରିନରୁ ଲଞ୍ଚ କରାଯାଉଥିବା ବାଲିଷ୍ଟିକ୍ ମିସାଇଲ୍‌ (SLBM) JL-3କୁ ଟକ୍କର ଦେବା ପାଇଁ ଡିଜାଇନ କରାଯାଇଛି।  

ଏହାକୁ ଡେଭଲପ କରୁଛି ଭାରତର ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ ବା ଡିଆର୍‌ଡିଓ। ହାଇଦ୍ରାବାଦରେ ଥିବା ଏହାର ଆଡଭାନ୍ସଡ୍ ନୌସେନା ସିଷ୍ଟମ୍ସ ଲାବୋରେଟୋରୀରେ ଏହି ମିସାଇଲ୍‌ର ନିର୍ମାଣ କାର୍ଯ୍ୟ ଜାରି ରହିଛି। ଏ ବିଷୟରେ ସୂଚନା ଗୋପନୀୟ ରଖାଯାଇଛି। ନାନା ସୂତ୍ରରୁ ଖବର ନେଇ ବିଭିନ୍ନ ଗଣାଧ୍ୟମ ଏହି ମିସାଇଲ୍ ବିଷୟରେ ନୂଆ ନୂଆ ତଥ୍ୟ ପ୍ରକାଶ କରୁଛନ୍ତି।  

ମିଡିଆ ରିପୋର୍ଟ ଅନୁସାରେ K-6 ମିସାଇଲ୍‌ରେ ରେଞ୍ଜ୍ ୮ ହଜାର କିମି କିମ୍ବା ତା'ଠାରୁ ଅଧିକ ହେବ। ଏହା ଏକ ହାଇପରସୋନିକ୍ ମିସାଇଲ୍ ହେବା ସାଂଗକୁ MIRV ସକ୍ଷମ ହେବ। ଫଳରେ ଏହି ମିସାଇଲ୍‌ ଏକାଧିକ ପରମାଣୁ ଅସ୍ତ୍ରକୁ ଅଲଗା ଅଲଗା ଗତି ଓ ଅଲଗା ଅଲଗା ପଥରେ ସେମାନଙ୍କର ନିଜ ନିଜ ଟାର୍ଗେଟ୍‌କୁ ହିଟ୍ କରାଇପାରିବ। 
 ଏହି ମିସାଇଲ କେ-ସିରିଜର ଏକ ପ୍ରମୁଖ ଟେକ୍ନୋଲୋଜୀ ଅପଗ୍ରେଡ୍। ଏହା ପାରମ୍ପରିକ ଏବଂ ପରମାଣୁ ଯୁଦ୍ଧାସ୍ତ୍ର ବହନ କରିବାକୁ ସକ୍ଷମ ହୋଇଥିବା ବେଳେ ଆଡଭାନ୍ସ ଇଣ୍ଟର୍ସିଆଲ ଏବଂ ସାଟେଲାଇଟ୍‌ ଆଧାରିତ ସିଷ୍ଟମ ଦ୍ୱାରା ପରିଚାଳିତ ହେବ। ଏହି ମିସାଇଲ୍‌କୁ ଅରିହଣ୍ଟ-ଶ୍ରେଣୀର ପରମାଣୁ ବୁଡ଼ାଜାହାଜ, ସମ୍ଭବତଃ ଭବିଷ୍ୟତର S5-ଶ୍ରେଣୀର SSBNରୁ ମଧ୍ୟ ଉତକ୍ଷେପଣ କରାଯାଇପାରିବ। ଯାହାର ବେଗ ମାକ୍ ୭ ଭଳି ହେବ। ଭାରତ ପାଖରେ ପୂର୍ବରୁ ଅନ୍ୟାନ୍ୟ କେ-ସିରିଜ୍ ଯୁଦ୍ଧାସ୍ତ୍ର ରହିଛି। ଯାହା ଅରିହନ୍ତ-ଶ୍ରେଣୀର ପରମାଣୁ ବୁଡ଼ାଜାହାଜରେ ନିକ୍ଷେପ କରାଯାଇ ପାରିବ। ତଥାପି, K-6 ମିସାଇଲ୍ ସବୁଠାରୁ ଫାଷ୍ଟ ହେବ। 

ଭାରତର କେ-୬ ମିସାଇଲ୍‌କୁ ଚୀନର ଜେଏଲ୍-୩କୁ ଟକ୍କର ଦେବାକୁ ଡିଜାଇନ କରାଯାଇଛି।  ରିପୋର୍ଟ ଅନୁସାରେ, ଚୀନର ଜେଏଲ୍‌-୩ ମିସାଇଲ୍‌ର ରେଞ୍ଜ ୧୨ ହଜାର କିଲୋମିଟର ରହିଛି। ଯାହା ମହଦ୍ୱିପୀୟ ଜଳସୀମାରୁ ଆମେରିକା ପର୍ଯ୍ୟନ୍ତ ଟାର୍ଗେଟ୍ କରିପାରିବ। ଏହାର ପେଲୋଡ୍ କ୍ଷମତା ୩ ମେଗାଟନ୍ ପର୍ଯ୍ୟନ୍ତ ରହିଥିବା ବେଳେ ଜେଏଲ-୩ କୁ ଟାଇପ୍ ୦୯୬ ଏବଂ ଅପଗ୍ରେଡ୍ ଟାଇପ୍ 094A SSBN ସବମରିନରୁ ଲଞ୍ଚ କରାଯାଇ ପାରିବ।

ଭାରତର କେ-୬ ଭଳି ଜେଏଲ୍-୩ ବି ମଲ୍ଟିପଲ ଇଣ୍ଡିପେଣ୍ଡେଣ୍ଟ ଟାର୍ଗେଟବଲ ରି-ଏଣ୍ଟ୍ରି ଭେଇକଲ (ଏମ୍‌ଆଇଆରଭି) ସକ୍ଷମ ହୋଇଥିବା ବେଳେ ଆଡଭାନ୍ସ ଇଣ୍ଟର୍ସିଆଲ ଏବଂ ସାଟେଲାଇଟ୍‌ ଆଧାରିତ ସିଷ୍ଟମ ଦ୍ୱାରା ପରିଚାଳିତ ହେଉଛି। ଏହା ୨୦୨୦ ମସିହାରୁ ବ୍ୟବହୃତ ହୋଇଆସୁଛି। ଏହା ମାକ୍ ୨୦ ଠାରୁ ବି ଅଧିକ ବେଗରେ ଯାତ୍ରା କରିପାରିବ ବୋଲି ଆକଳନ କରାଯାଇଛି। ଫଳରେ ଏହି ମିସାଇଲ୍‌କୁ ଅଟକାଇବା ଅତ୍ୟନ୍ତ କଷ୍ଟକର।

ତେଣୁ ଭରତର କେ-୬ ସହ ତୁଳନାରେ ଜେଏଲ୍-୩ ବହୁତ ଆଗରେ ରହିଛି। ତେବେ ବି K-6 ବର୍ଦ୍ଧିତ ରେଞ୍ଜ୍ ଏହାକୁ ବଙ୍ଗୋପସାଗର କିମ୍ବା ଦକ୍ଷିଣ ଭାରତ ମହାସାଗରରେ ପାଟ୍ରୋଲ୍ ଜୋନର ରଣନୈତିକ ଲକ୍ଷ୍ୟ ଭେଦ କରିବାରେ କ୍ଷମତା ହାସଲ କରିଛି। ଯାହା ଚୀନକୁ ଅଟକାଇବାରେ ସକ୍ଷମ ହେବ।  

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.