ନୂଆଦିଲ୍ଲୀ ୨୬।୭: ଜଗଦୀପ ଧନଖଡଙ୍କ ଅଚାନକ ଇସ୍ତଫା ଯୋଗୁ ଦେଶରେ ଉପରାଷ୍ଟ୍ରପତି ନିର୍ବାଚନ ଏବେ ଜରୁରି ହୋଇପଡିଛି। ନିର୍ବାଚନ ଆୟୋଗ ଏଥି ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଥିବା ବେଳେ ଶୁକ୍ରବାର ରାଜ୍ୟସଭା ମହାସଚିବ ପି.ସି.ମୋଦିଙ୍କୁ ଆଗାମୀ ଉପରାଷ୍ଟ୍ରପତି ନିର୍ବାଚନ ଲାଗି ରିଟର୍ଣ୍ଣିଂ ଅଫିସର ନିଯୁକ୍ତ କରିଛନ୍ତି। ପ୍ରକ୍ରିୟା ଅନୁସାରେ ଲୋକସଭା ମହାସଚିବ ହୁଅନ୍ତୁ କି ରାଜ୍ୟସଭା ସେମାନଙ୍କୁ ପାଳି ଅନୁସାରେ ନିର୍ବାଚନ ଅଧିକାରୀ ନିଯୁକ୍ତ କରାଯାଏ।
ଗତ ଉପରାଷ୍ଟ୍ରପତି ନିର୍ବାଚନ କାଳରେ ଲୋକସଭା ମହାସଚିବ ନିର୍ବାଚନ ଅଧିକାରୀ ଥିଲେ। ସେହି ଅନୁସାରେ ଏଥର ନିର୍ବାଚନ ବେଳକୁ ରାଜ୍ୟସଭା ମହାସଚିବଙ୍କୁ ନିର୍ବାଚନ ଅଧିକାରୀ ନିଯୁକ୍ତ କରାଯାଇଥିବା ବେଳେ ଅତୀତରେ ତାଙ୍କୁ ନେଇ ହୋଇଥିବା କିଛି ବିବାଦୀୟ ଘଟଣା ଏବେ ସାମ୍ନାକୁ ଆସୁଛି। ଏହି ସବୁ ଘଟଣା ପି.ସି.ମୋଦି ନିର୍ବାଚନ ଅଧିକାରୀ ନିଯୁକ୍ତ ହେବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
ପି.ସି.ମୋଦି କିଏ?
ପି.ସି. ମୋଦି ଜଣେ ଅଭିଜ୍ଞ ବ୍ୟୁରୋକ୍ରାଟ, ଯାହାଙ୍କୁ ନଭେମ୍ବର ୨୦୨୧ରେ ରାଜ୍ୟସଭା ମହାସଚିବ ନିଯୁକ୍ତ କରାଯାଇଥିଲା। ତେବେ ଏହି ପଦବୀରେ ପି.ସି. ମୋଦିଙ୍କ ନିଯୁକ୍ତିକୁ ନେଇ ସେତେବେଳେ ପ୍ରଶ୍ନ ଉଠିଥିଲା। ପି.ସି. ମୋଦିଙ୍କୁ ରାଜ୍ୟସଭା ମହାସଚିବ ନିଯୁକ୍ତ କରାଯିବା ବେଳେ ବିରୋଧୀ ଏହାକୁ ପ୍ରସଙ୍ଗ କରିଥିଲେ। କାରଣ ତାଙ୍କ ପୂର୍ବରୁ ଏହି ପଦବୀରେ ଥିବା ଅଧିକାରୀ ପି.ପି.କେ.ରାମଚର୍ୟୁଲୁଙ୍କୁ ଏହି ପଦବୀରେ ଅବସ୍ଥାପିତ ହେବାର ମାତ୍ର ୨ ମାସ ପରେ ହଟାଇ ଦିଆଯାଇଥିଲା।
ତେବେ ଖାସ କଥା ଯାହା ତାହା ହେଉଛି ରାମଚର୍ୟୁଲୁ ଏପରି ପ୍ରଥମ ଅଧିକାରୀ ଯିଏ ରାଜ୍ୟସଭା ସଚିବାଳୟରୁ ଏହି ପଦବୀ ପର୍ଯ୍ୟନ୍ତ ପହଞ୍ଚିଥିଲେ। ତାଙ୍କୁ ଅଚାନକ ବିଦା କରିଦିଆଯିବା ବିରୋଧୀମାନଙ୍କୁ ଅସନ୍ତୁଷ୍ଟ କରିଥିଲା। ଏ ନେଇ ବିରୋଧୀ ଦଳ ଗୃହରେ ପ୍ରଶ୍ନ ମଧ୍ୟ ଉଠାଇଥିଲେ। ଖାସ କରି ଆଇନ ବିଷାରଦଙ୍କୁ ରାଜ୍ୟସଭା ମହାସଚିବ ନିଯୁକ୍ତ କରାଯାଇଥାଏ। ଏଥିରେ ପି.ସି.ମୋଦି ଭାରତୀୟ ରାଜସ୍ୱ ସେବା (ଆଇଆରଏସ) ର ୧୯୮୨ ବ୍ୟାଚ୍ ଅଧିକାରୀ, ଯିଏ ମେ ୨୦୨୧ରେ କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (ସିବିଡିଟି)ରୁ ଅବସର ଗ୍ରହଣ କରିଥିଲେ।
ପି.ସି.ମୋଦିଙ୍କ ଉପରେ ପୂର୍ବରୁ ଥିଲା ଗୁରୁତର ଅଭିଯୋଗ
ଉଲ୍ଲେଖଯୋଗ୍ୟ ଯେ ପି.ସି.ମୋଦିଙ୍କ ନାମ ପୂର୍ବରୁ ମଧ୍ୟ ବିବାଦରେ ଥିଲା। ମୁମ୍ବାଇର ତତ୍କାଳୀନ ମୁଖ୍ୟ ଆୟକର ଆୟୁକ୍ତ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ନିକଟରେ ପି.ସି.ମୋଦିଙ୍କ ବିରୋଧରେ ଏକ ଲିଖିତ ଅଭିଯୋଗ କରିଥିଲେ। ଏଥିରେ ମୋଦି ଏକ ସମ୍ବେଦନଶୀଳ ମାମଲାକୁ ଚପାଇ ଦେବା ପାଇଁ ତାଙ୍କୁ ନିର୍ଦ୍ଦେଶ ଦେଇଥିବା ଅଭିଯୋଗ କରିଥିଲେ। ଏହି ଅଭିଯୋଗର ୨ ମାସ ପରେ ସରକାର ମୋଦିଙ୍କୁ ସେବାକୁ ଅଧିକ ୧ ବର୍ଷ ସମ୍ପ୍ରସାରଣ କରିଥିଲେ। ଏହା ପରେ ପ୍ରମୁଖ କର ୟୁନିଟର ମୁଖ୍ୟ ରୂପେ ତାଙ୍କୁ ଆଉ ଦୁଇଟି କାର୍ଯ୍ୟକାଳ ବିସ୍ତାର ଦିଆଯାଇଥିଲା।
କେମିତି ହୁଏ ଉପରାଷ୍ଟ୍ରପତି ନିର୍ବାଚନ?
ସମ୍ବିଧାନର ଅନୁଚ୍ଛେଦ ୬୬(୧) ଅନୁସାରେ ଉପରାଷ୍ଟ୍ରପତିଙ୍କ ନିର୍ବାଚନ ଲୋକସଭା ଓ ରାଜ୍ୟସଭା ଉଭୟ ସଦନର ସଦସ୍ୟଙ୍କ ଦ୍ୱାରା କରାଯାଏ। ଏହି ନିର୍ବାଚନ ଆନୁପାତିକ ପ୍ରତିନିଧିତ୍ୱ ପ୍ରଣାଳୀ ଅନୁସାରେ ଏକକ ସଂକ୍ରମଣୀୟ ଭୋଟଦାନ ପଦ୍ଧତୀରେ ତଥା ଗୁପ୍ତ ଭୋଟ ଦ୍ୱାରା ହୋଇଥାଏ। ରିଟର୍ଣ୍ଣିଂ ଅଫିସର ନିର୍ବାଚନର ପୁରା ପ୍ରକ୍ରିୟା ଉପରେ ନଜର ରଖନ୍ତି। ଯେପରିକି ନିର୍ବାଚନ ଅଧିସୂଚନା ଜାରି ହେବା, ପ୍ରାର୍ଥୀପତ୍ର ସ୍ୱୀକାର କରିବା, ଅମାନତ ରାଶି ଜମା ରଖିବା, ପ୍ରାର୍ଥୀପତ୍ର ଯାଞ୍ଚ କରିବା, ପ୍ରାର୍ଥୀପତ୍ର ପ୍ରତ୍ୟାହାର ଓ ଶେଷରେ ଭୋଟ ଗଣନା ମଧ୍ୟ ତାଙ୍କ ଦେଖରେଖରେ ହୁଏ। ଏଣୁ ପି.ସି.ମୋଦିଙ୍କ ଦେଖରେଖରେ ଆାଗମୀ ଉପରାଷ୍ଟ୍ରପତି ନିର୍ବାଚନ ଯେପରି ସୁରୁଖୁରୁରେ ହୁଏ ତା ଉପରେ ବିରୋଧୀ ଦଳ ଏବେଠୁ ସତର୍କ ନଜର ରଖିଲେଣି।