ଲର୍ଡ୍ସରେ ମିଳିଥିବା ପରାଜୟକୁ ଭୁଲି ପାରୁ ନାହାନ୍ତି ଭାରତୀୟ ଖେଳାଳି, କେଏଲ୍ ସେୟାର କଲେ ଇମୋସନାଲ୍ ପୋଷ୍ଟ

Published By : Prameya-News7 Bureau | July 16, 2025 IST

ନୂଆଦିଲ୍ଲୀ: ଭାରତୀୟ ଟିମ ଲର୍ଡ୍ସ ଗ୍ରାଉଣ୍ଡରେ ଇଂଲଣ୍ଡ ହାତରୁ ୨୨ ରନ୍‌ରେ ପରାସ୍ତ ହୋଇଥିଲା । ଏହି ମ୍ୟାଚ୍ ଜିତିବା ପାଇଁ ଭାରତ ହାତରେ ସୁବର୍ଣ୍ଣ ସୁଯୋଗ ଥିଲା । କିନ୍ତୁ ଟିମ୍ ଇଣ୍ଡିଆ ୧୯୩ ରନ୍ ଲକ୍ଷ୍ୟ ହାସଲ କରିପାରିନଥିଲା । ଦ୍ୱିତୀୟ ଇନିଂସରେ କେଏଲ୍ ରାହୁଲ ଓ ରବିନ୍ଦ୍ର ଜାଡେଜାଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟର ରନ୍ କରିପାରିନଥିଲେ । ଭାରତକୁ ଶେଷ ସେସନରେ ବିଜୟ ପାଇଁ ୩୧ ରନ୍ ଆବଶ୍ୟକ ଥିଲା, କିନ୍ତୁ ଲକ୍ଷ୍ୟ ହାସଲ ପୂର୍ବରୁ ହିଁ ସିରାଜ କ୍ଲିନ୍ ବୋଲ୍ଡ ହୋଇଥିଲେ । ଏହି ଇନିଂସରେ ରବିନ୍ଦ୍ର ଜାଡେଜାଙ୍କ ବ୍ୟାଟିଂକୁ ପ୍ରଶଂସା କରାଯାଉଛି । ସେ ୧୮୧ ବଲ୍ ଖେଳି ୬୧ ରନ୍ କରି ଅପରାଜିତ ଫେରିଥିଲେ । ମ୍ୟାଚ୍ ଶେଷର ଦୁଇ ଦିନ ପରେ ଏବେ କେଏଲ୍ ରାହୁଲ୍ ଏକ ଇମୋସନାଲ୍ ପୋଷ୍ଟ ସେୟାର କରିଛନ୍ତି ।     

ଭାରତୀୟ ଓପନର୍ ରାହୁଲଙ୍କ ମତରେ କିଛି ମ୍ୟାଚ୍ ବିଜୟ ଓ ପରାଜୟଠାରୁ ବଡ଼ ହୋଇଥାଏ । ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ତୃତୀୟ ଟେଷ୍ଟ ଶେଷ ସେସନ୍ ଯାଏଁ ଚାଲିଥିଲା, କିନ୍ତୁ ବେନ୍ ଷ୍ଟୋକ୍ସଙ୍କ ଟିମ୍ ଶେଷରେ ବାଜି ମାରିଥିଲା । କେଏଲ୍ ରାହୁଲ ଲେଖିଛନ୍ତି, “କିଛି ମ୍ୟାଚ୍ ବିଜୟ ଓ ପରାଜୟଠାରୁ ଅଧିକ ହୋଇଥାଏ । ସେମାନେ ଆପଣଙ୍କ ଭାବନା ଓ ଆପଣଙ୍କ ଚରିତ୍ରର ପରୀକ୍ଷା ନିଅନ୍ତି । ଏଥିରୁ ମିଳିଥିବା ଶିକ୍ଷା ଆପଣଙ୍କୁ ଅଧିକ ମଜଭୁତ କରେ ।"




ତେନ୍ଦୁଲକର-ଆଣ୍ଡରସନ୍ ଟେଷ୍ଟ ସିରିଜରେ କେଏଲ୍ ରାହୁଲ ତିନି ମ୍ୟାଚ୍ ଖେଳି ୩୭୫ ରନ୍ କରିଛନ୍ତି । ସିରିଜରେ ତାଙ୍କ ଆଭରେଜ୍ ୬୨.୫୦ ରହିଛି । ଇଂଲଣ୍ଡ ବିପକ୍ଷରେ ଜାରି ଟେଷ୍ଟ ସିରିଜରେ କେଏଲ୍ ରାହୁଲଙ୍କ ବ୍ୟାଟରୁ ଦୁଇଟି ଶତକ ଓ ଗୋଟିଏ ଅର୍ଦ୍ଧଶତକ ବାହାରିଛି । ସିରିଜରେ ତାଙ୍କର ସର୍ବୋଚ୍ଚ ୧୩୭ ରନ୍ ରହିଛି । ସିରିଜରେ ସବୁଠୁ ଅଧିକ ରନ୍ ହାସଲ କରିବାରେ ରାହୁଲ ହେଉଛନ୍ତି ଚତୁର୍ଥ ବ୍ୟାଟର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.