ନୂଆଦିଲ୍ଲୀ: ନାବାଳିକାରୁ ସାବାଳିକା ଯାଏ ଯୁବତୀ ସହୁଛନ୍ତି ଯୌନ ନିର୍ଯାତନା। ଜଣେ କି ୧୦ ଜଣ ନୁହେଁ, ୬୫ରୁ ବି ଅଧିକ ନରରକ୍ଷାସ କରୁଛନ୍ତି ଏଭଳି ଅତ୍ୟାଚାର। ଘଟଣା ସାମ୍ନାକୁ ଆସିବା କେରଳରେ ହଇଚଇ ସୃଷ୍ଟି ହୋଇଛି। ଏନଜିଓ ସଂସ୍ଥା ଆଗରେ ଜୀବନର ସବୁ ଦୁଃଖ କାହାଣୀ କହିଛନ୍ତି ଜଣେ ୧୮ ବର୍ଷୀୟା ଯୁବତୀ।
ମହିଳା ସମକ୍ୟା ନାମକ ଏକ ଏନଜିଓ ସଂସ୍ଥା କ୍ଷେତ୍ର ପରିଦର୍ଶନ ପାଇଁ ଯୁବତୀଙ୍କ ଘରକୁ ଯାଇଥିବା ବେଳେ ଯୁବତୀ ଜଣଙ୍କ ତାଙ୍କୁ ସମସ୍ତ କଥା ଜଣାଇଥିଲେ।
କେମିତି ମାତ୍ର ୧୩ ବର୍ଷ ବୟସରୁ ଏପର୍ଯ୍ୟନ୍ତ ସେ ଯୌନ ନିର୍ଯାତନାର ଶିକାର ହେଉଛନ୍ତି ଏକଥା ଶୁଣିବା ପରେ ଏନ୍ଜିଓ ସଂସ୍ଥା ସଦସ୍ୟମାନେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ଏହାପରେ ସେମାନେ ପାଥନ୍ନାମଥିତା ଜିଲ୍ଲାର ଶିଶୁ କଲ୍ୟାଣ କମିଟିକୁ ଜଣାଇଥିଲେ। ଶିଶୁ କଲ୍ୟାଣ କମିଟି(ସିଡବ୍ଲୁସି) ଦ୍ୱାରା କାଉନସେଲିଂ ସେସନରେ ସମସ୍ତ କଥା ସାମ୍ନାକୁ ଆସିଥିଲା।
ଏ ସମ୍ପର୍କରେ ସୁଚନା ପାଇ ସିଡବ୍ଲୁସି ଏକ ମନସ୍ତାତ୍ତ୍ୱିକଙ୍କ ସହାୟତାରେ ପୀଡ଼ିତା ବାଳିକାଙ୍କୁ ନେଇ ଏକ କାଉନସେଲିଂ କରିଥିଲେ। ସେ ୧୩ ବର୍ଷର ହୋଇଥିବା ବେଳେ ତାଙ୍କୁ ତାଙ୍କର ପଡୋଶୀ ଅଶ୍ଲୀଳ ସିନେମା ଦେଖାଉ ଥିଲେ ବୋଲି ପ୍ରକାଶ କରିଥିଲେ ଯୁବତୀ।
କେବଳ ସେତିକି ନୁହେଁ, ବାଳିକା ଜଣକ ନିଜ ସ୍କୁଲରେ କ୍ରିଡ଼ାରେ ସକ୍ରିୟ ଅଂଶ ଗ୍ରହଣ କରୁଥିଲେ। ତେବେ କ୍ରିଡ଼ା ପାଇଁ ହେଉଥିବା ଟ୍ରେନିଂ ସେସନରେ ମଧ୍ୟ ତାଙ୍କ ସହ ଯୌନ ଉତ୍ପୀଡ଼ନ କରାଯାଉଥିଲା ବୋଲି ସେ ପ୍ରକାଶ କରିଛନ୍ତି। ଏହା ସହ ତାଙ୍କର ଅନେକ ଅନ୍ତରଣ ମୁହୁର୍ତ୍ତର ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା ଯାହାକୁ ନେଇ ସେ ଗଭୀର ମାନସିକ ଆଘାତ ପାଇଥିଲେ ବୋଲି ଯୁବତୀ ଜଣଙ୍କ ସିଡବ୍ଲୁସି ଆଗରେ କହିଛନ୍ତି। ସମସ୍ତ ଘଟଣା ଶୁଣିବା ପରେ ସିଡବ୍ଲୁସି ନିଜ ଆଡ଼ୁ ଥାନାରେ ଏକ ମାମଲା ରୁଜୁ କରିଥିଲା।
ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଇ ପୁଲିସ ୧୦ ଅଭିଯୁକ୍ତଙ୍କୁ ଅଟକ ରଖିଛି। ତେବେ ପୀଡିତାଙ୍କ ଷ୍ଟେଟମେଣ୍ଟ ବହୁ ଜଲଦି ନିଆଯିବ ବୋଲି ପୁଲିସ କହିଛି।
ଏନେଇ ପାଥନ୍ନାମଥିତା ଜିଲ୍ଲା ଶିଶୁ କଲ୍ୟାଣ କମିଟିର ଅଧ୍ୟକ୍ଷ ଏନ ରାଜୀବ କହିଛନ୍ତି “ଏହା ଏକ ଗମ୍ଭୀର ମାମଲା। ପୀଡ଼ିତା ଜଣଙ୍କ ଅଷ୍ଟମ ଶ୍ରେଣୀରେ ପଢ଼ିବା ବେଳଠୁ ଯୌନ ଉତ୍ପୀଡ଼ନର ସାମ୍ନା କରି ଆସୁଛନ୍ତି। ସେ କ୍ରିଡ଼ାରେ ବହୁ ସକ୍ରିୟ, ତେବେ ତାଙ୍କୁ ସର୍ବସାଧାରଣ ସ୍ଥାନମାନଙ୍କରେ ମଧ୍ୟ ଯୌନ ନିର୍ଯାତନା ଦିଆଯାଇଛି।”