୨୦୨୮ ସୁଦ୍ଧା ଦୁନିଆର ତୃତୀୟ ବୃହତ ଅର୍ଥବ୍ୟବସ୍ଥା, ୨୦୩୦ ସୁଦ୍ଧା ଉଚ୍ଚ-ମଧ୍ୟମ-ଆୟ ଦେଶ: ଏସବିଆଇ ରିପୋର୍ଟ

NEWS7
kendrapada-criminal-injured-in-police-encounter

ନୂଆଦିଲ୍ଲୀ: ଭାରତର ଆର୍ଥିକ ବିକାଶର ଗତି ଲଗାତାର ବଢୁଛି । ଏହାରି ଭିତରେ ଦେଶର ସବୁଠୁ ବଡ଼ ସରକାରୀ ବ୍ୟାଙ୍କ ଏସବିଆଇ ରିସର୍ଚ୍ଚ ସୋମବାର ଜାନୁଆରୀ ୧୯ରେ ଏକ ରିପୋର୍ଟ ଜାରି କରିଛି । ଏହି ରିପୋର୍ଟ ଅନୁସାରେ ଭାରତ ଏବେ ଦୁନିଆର ଚତୁର୍ଥ ବଡ଼ ଅର୍ଥନୀତି ଓ ୨୦୨୮ ସୁଦ୍ଧା ତୃତୀୟ ବଡ଼ ଅର୍ଥବ୍ୟବସ୍ଥା ହେବା ଆଡ଼କୁ ଅଗ୍ରସର ହେଉଛି । କେବଳ ଏତିକି ନୁହେଁ, ୨୦୩୦ ସୁଦ୍ଧା ଭାରତ ଦୁନିଆର ସେହି ଦେଶଗୁଡ଼ିକ ମଧ୍ୟରେ ସାମିଲ ହେବ, ଯେଉଁମାନଙ୍କୁ “ଅପର୍ ମିଡିଲ୍ ଇକୋନୋମି କଣ୍ଟ୍ରି କୁହାଯାଏ” ।

ଭାରତ ବର୍ତ୍ତମାନ ଯେଉଁ ସ୍ଥିତିରେ ଅଛି, ସେଠାରୁ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ଯାତ୍ରା ସହଜ ନୁହେଁ । ସ୍ୱାଧୀନତା ପରେ ଭାରତକୁ ୧ ଟ୍ରିଲିୟନ ଡଲାର ଅର୍ଥନୀତି ହେବା ପାଇଁ ୬୦ ବର୍ଷ ସମୟ ଲାଗିଥିଲା । କିନ୍ତୁ ଏହା ପରେ ବିକାଶର ଗତି ଲଗାତାର ବୃଦ୍ଧି ପାଇଛି । ଏସବିଆଇ ରିସର୍ଚ୍ଚର ରିପୋର୍ଟ ଅନୁସାରେ ଭାରତର ଅର୍ଥବ୍ୟବସ୍ଥା ୨୦୧୪ରେ ୨ ଟ୍ରିଲିୟନ ଡଲାର, ୨୦୨୧ରେ ୩ ଟ୍ରିଲିୟନ ଡଲାର ଓ ୨୦୨୫ରେ ୪ ଟ୍ରିଲିୟନ ଡଲାର ଲକ୍ଷ୍ୟ ହାସଲ କରିଥିଲା । ଏବେ ଅନୁମାନ କରାଯାଉଛି ଯେ ୨୦୨୭-୨୮ ସୁଦ୍ଧା ଭାରତ ୫ ଟ୍ରିଲିୟନ ଡଲାର ଅର୍ଥବ୍ୟବସ୍ଥା ହୋଇଯିବ । ଏହା ବ୍ୟତୀତ ଏହି ରିପୋର୍ଟ ଅନୁସାରେ ୨୦୩୫-୩୫ ସୁଦ୍ଧା ୧୦ ଟ୍ରିଲିୟନ ଡଲାରର ଅର୍ଥନୀତି ହେବା ମାର୍ଗ ମଧ୍ୟ ପ୍ରଶସ୍ତ ହୋଇଯିବ ।

ରିପୋର୍ଟ ଅନୁସାରେ କେବଳ ଦେଶର ମୋଟ ଆୟ ଅର୍ଥାତ୍ ଜିଡିପି ନୁହେଁ, ବରଂ ସାଧାରଣ ଲୋକଙ୍କ ହାରାହାରି ପ୍ରତି ବ୍ୟକ୍ତି ଆୟ (Per Capita Income)ରେ ମଧ୍ୟ ପରିବର୍ତ୍ତନ ଦେଖିବାକୁ ମିଳିପାରେ । ଭାରତର ପ୍ରତି ବ୍ୟକ୍ତି ଆୟ ୨୦୦୯ରେ ୧୦୦୦ ଡଲାର ପହଞ୍ଚିଥିଲା । ଦେଶକୁ ଏହି ସ୍ଥାନରେ ପହଞ୍ଚିବା ପାଇଁ ୬୨ ବର୍ଷ ସମୟ ଲାଗିଥିଲା । ଅନ୍ୟପଟେ ୨୦୨୬ରେ ଏହି ସଂଖ୍ୟା ୩୦୦୦ ଡଲାର ଓ ୨୦୩୦ ସୁଦ୍ଧା ୪୦୦୦ ଡଲାରରେ ପହଞ୍ଚିବାର ଅନୁମାନ ରହିଛି ।

ଏସବିଆଇ ରିସର୍ଚ୍ଚ ଅନୁସାରେ ୪୦୦୦-୪୫୦୦୦ ଡଲାର ପ୍ରତି ବ୍ୟକ୍ତି ଆୟର ଅର୍ଥ ହେଉଛି ଭାରତର “ଅପର୍ ମିଡିଲ୍ ଇନକମ୍ କଣ୍ଟ୍ରି” ବର୍ଗରେ ସାମିଲ ହେବ । ଏହି କ୍ଲବରେ ବର୍ତ୍ତମାନ ଚୀନ ଓ ଇଣ୍ଡୋନେସିଆ ପରି ଦେଶ ଅଛନ୍ତି । ରିପୋର୍ଟରେ ଏହା ମଧ୍ୟ ଉଲ୍ଲେଖ କରାଯାଇଛି ଯେ ଗତ ଦଶନ୍ଧି ମଧ୍ୟରେ ଭାରତ ବିଶ୍ୱର ଦ୍ରୁତତମ ଅଭିବୃଦ୍ଧିଶୀଳ ଦେଶମାନଙ୍କ ମଧ୍ୟରେ ରହିଛି । ୨୦୨୪ ପର୍ଯ୍ୟନ୍ତ ଦଶନ୍ଧିରେ, ଭାରତ ଗ୍ଲୋବାଲ୍ ଗ୍ରୋଥ୍ ଡିଷ୍ଟ୍ରିବ୍ୟୁସନରେ ୯୫ ପ୍ରତିଶତରେ ପହଞ୍ଚିଛି । ସରଳ ଭାଷାରେ କହିବାକୁ ଗଲେ, ଭାରତ ବିଶ୍ୱର ଅଧିକାଂଶ ଦେଶ ତୁଳନାରେ ଦ୍ରୁତ ଗତିରେ ଅଗ୍ରଗତି କରିଛି ।

ବିଶ୍ୱ ବ୍ୟାଙ୍କ ଦେଶଗୁଡ଼ିକୁ ସେମାନଙ୍କ ମୁଣ୍ଡପିଛା ମୋଟ ଜାତୀୟ ଆୟ (GNI) ଆଧାରରେ ଚାରୋଟି ବର୍ଗରେ ବିଭକ୍ତ କରିଛି: ନିମ୍ନ-ଆୟ, ନିମ୍ନ-ମଧ୍ୟମ-ଆୟ, ଉଚ୍ଚ-ମଧ୍ୟମ-ଆୟ, ଏବଂ ଉଚ୍ଚ-ଆୟ । ୧୯୯୦ ମସିହାରେ ଅଧିକାଂଶ ଦେଶ ନିମ୍ନ କିମ୍ବା ନିମ୍ନ-ମଧ୍ୟମ-ଆୟ ବର୍ଗରେ ଥିଲେ, ୨୦୨୪ ସୁଦ୍ଧା ଉଚ୍ଚ-ଆୟ ଏବଂ ଉଚ୍ଚ-ମଧ୍ୟମ-ଆୟ ଦେଶର ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇଛି । ଏହା ଦର୍ଶାଉଛି ଯେ ସମୟ ସହିତ ବିଶ୍ୱର ଅନେକ ଦେଶ ଆର୍ଥିକ ବିକାଶର ସିଡ଼ି ଚଢ଼ିଛନ୍ତି ଏବଂ ଭାରତ ମଧ୍ୟ ସମାନ ପଥରେ ଚାଲିଛି ।

ଏସବିଆଇ ରିସର୍ଚ୍ଚ ରିପୋର୍ଟରେ କୁହାଯାଇଛି ଯେ ଯଦି ଭାରତ ୨୦୪୭ ସୁଦ୍ଧା ଏକ ଉଚ୍ଚ-ଆୟକାରୀ ଦେଶ ହେବାକୁ ଚାହେଁ, ତେବେ ପ୍ରତି ମୁଣ୍ଡପିଛା ଆୟ ବାର୍ଷିକ ପ୍ରାୟ ୭.୫ରୁ ୯ ପ୍ରତିଶତ ହାରରେ ବୃଦ୍ଧି ପାଇବାକୁ ପଡିବ । ସୌଭାଗ୍ୟବଶତଃ, ଗତ ଦୁଇ ଦଶନ୍ଧି ମଧ୍ୟରେ ଭାରତର ପ୍ରତି ମୁଣ୍ଡପିଛା ଆୟ ଅଭିବୃଦ୍ଧି ଆହୁରି ଭଲ ହୋଇଛି । ଏହାର ଅର୍ଥ ହେଉଛି ଏହି ଲକ୍ଷ୍ୟ ହାସଲ କରିବା ସମ୍ପୂର୍ଣ୍ଣ ସମ୍ଭବ । ରିପୋର୍ଟରେ ସ୍ପଷ୍ଟ ଭାବରେ କୁହାଯାଇଛି ଯେ ଯଦି ଆର୍ଥିକ ସଂସ୍କାରର ଗତି ଜାରି ରହେ ଏବଂ ଉତ୍ପାଦନ ଓ ନିବେଶକୁ ସୁଦୃଢ଼ କରାଯାଏ, ତେବେ ଭାରତ ପାଇଁ ଏହି ଲକ୍ଷ୍ୟ ହାସଲ କରିବା କଷ୍ଟକର ନୁହେଁ ।

୧୯୯୦ ମସିହାରେ ଭାରତ ବିଶ୍ୱର ୧୪ତମ ବୃହତ୍ତମ ଅର୍ଥନୀତି ଥିଲା । ୨୦୨୫ ସୁଦ୍ଧା ଏହା ଚତୁର୍ଥ ସ୍ଥାନକୁ ଉଠିଥିଲା ଏବଂ ୨୦୨୮ ସୁଦ୍ଧା ଜର୍ମାନୀକୁ ପଛରେ ପକାଇ ତୃତୀୟ ସ୍ଥାନରେ ପହଞ୍ଚିବାର ଆଶା କରାଯାଉଛି । ଆମେରିକା ଏବଂ ଚୀନ୍ ପରେ ଭାରତର ତୃତୀୟ ସ୍ଥାନ କେବଳ ସଂଖ୍ୟାର ବିଷୟ ହେବ ନାହିଁ ବରଂ ଏକ ବିଶ୍ୱ ଶକ୍ତି ଭାବରେ ଏହାର ସ୍ୱୀକୃତିର ଏକ ପ୍ରତୀକ ହେବ ।