ସମ୍ବଲପୁର ୧୩।୦୨: ଭୀମସାରରେ ସାଂଘାତିକ ଅବ୍ୟବସ୍ଥା । ବିନା ପ୍ରାକ୍ ସୂଚନାରେ ଲାଇନ କାଟିଦେଲା ବିଭାଗ । ଫଳରେ ମୋବାଇଲ ଟର୍ଚ୍ଚ ଲାଇଟରେ ୩ ଘଣ୍ଟା ରହିଲେ କ୍ୟାନସର ରୋଗୀ । ଏହାସହ ମୋବାଇଲ ଟର୍ଚ୍ଚ ଲାଇଟ୍ ଜରିଆରେ କେମୋ ଥେରାପି ନେଇଛନ୍ତି ରୋଗୀ। ଯାହା ସବୁଠାରୁ ସାଂଘାତିକ ଅବ୍ୟବସ୍ଥା । ଯାହାର ଭିଜୁଆଲ ଏବେ ଭାଇରାଲ ହୋଇଛି ।
ବୁଧବାର ଦିନ ୧୨ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଏହି ଘଟଣା ଘଟିଥିଲା । ପ୍ରାୟତଃ କେମୋ ନେଲା ପରେ ଶରୀରରେ ପାର୍ଶ୍ବ ପ୍ରତିକ୍ରିୟା ଦେଖାଯାଏ । ଶରୀରରେ ଗରମ ଅନୁଭୂତ ହେବା ସହ ଜଳାପୋଡା ବି ହୁଏ । ହେଲେ ବିନା ଲାଇନରେ ରୋଗୀଙ୍କୁ ୩ ଘଣ୍ଟା ରଖାଯିବା ବୁଝାପଡୁନି । ଏପଟେ ଲାଇନକୁ ଜିଇଡି ବିଭାଗ କାଟିବା ପରେ ଦାୟିତ୍ବରେ ଥିବା ବ୍ୟକ୍ତି ଜେନେରେଟର ମଧ୍ୟ ଚଳାଇନଥିଲେ । ସେପଟେ ଏହି ଘଟଣାରେ ଯାହାର ଭୁଲ ରହିଛି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମେଡିକାଲ ଅଧ୍ୟକ୍ଷ କହିଛନ୍ତି ।
ପଶ୍ଚିମ ଓଡିଶାରେ କ୍ୟାନ୍ସର ରୋଗୀଙ୍କ ଚିକିତ୍ସା ପାଇଁ ଏକମାତ୍ର ସାହାରା ପାଲଟିଛି ବୁର୍ଲା ଭିମ୍ସାର୍ । ସମଗ୍ର ପଶ୍ଚିମ ଓଡ଼ିଶାରୁ ହଜାର ହଜାର ରୋଗୀ ଏହି କ୍ୟାନ୍ସର ୱାର୍ଡରେ ଚିକିତ୍ସା ପାଇଁ ନିର୍ଭର କରୁଛନ୍ତି । ଏଠାରେ ଏଭଳି ମନୁଷ୍ୟକୃତ ତ୍ରୁଟି ଯୋଗୁଁ ଗୁରୁତର କ୍ୟାନ୍ସର ରୋଗୀଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିପାରେ ବୋଲି କୁହାଯାଉଛି । ତେଣୁ ଏହି ଘଟଣାରେ ରାଜ୍ୟ ସରକାର ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦିଗରେ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି ।