ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ୍ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

NEWS7
karnataka-voting-bigstory-followup

ଚଣ୍ଡୀଗଡ଼: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ସିଂହ ମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇଛି। ତାଙ୍କୁ ମୋହାଲିର ଫୋର୍ଟିସ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେ ଡାକ୍ତରଙ୍କ କଡ଼ା ତତ୍ତ୍ୱାବଧାନରେ ଚିକିତ୍ସାଧୀନ ଅଛନ୍ତି। ଆଜି ସକାଳେ ସଙ୍ଗରୁରରୁ ଫେରିବା ପରେ ମୁଖ୍ୟମନ୍ତ୍ରୀଙ୍କୁ ହସ୍ପିଟାଲକୁ ନିଆଯାଇଥିଲା। ତଥାପି, ଫୋର୍ଟିସ୍ ହସ୍ପିଟାଲ ଏପର୍ଯ୍ୟନ୍ତ କୌଣସି ବିବୃତ୍ତି ଜାରି କରିନାହିଁ।

ରିପୋର୍ଟ ଅନୁସାରେ, ସାଙ୍ଗରୁର ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀଙ୍କ ରକ୍ତଚାପ ହଠାତ୍ ବୃଦ୍ଧି ପାଇଥିଲା । ପରେ ତାଙ୍କୁ ଘଟଣାସ୍ଥଳରେ ପରୀକ୍ଷା କରାଯାଇଥିଲା। ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ଆସିନଥିଲା । ଫଳରେ ତାଙ୍କୁ ତୁରନ୍ତ ହେଲିକପ୍ଟର ଯୋଗେ ମୋହାଲିର ଫୋର୍ଟିସ୍ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ଡାକ୍ତରଙ୍କ ତତ୍ତ୍ୱାବଧାନରେ ତାଙ୍କର ପରୀକ୍ଷା କରାଯାଉଛି।

ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ ହେଲିକପ୍ଟର ଯୋଗେ ଚଣ୍ଡିଗଡ଼ ଯାତ୍ରା କରୁଥିଲେ। ଉଡ଼ାଣ ସମୟରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇଯାଇଥିଲା। ସେ ଅସହଜ ଅନୁଭବ କରିଥିଲେ ଏବଂ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ତାଙ୍କୁ ଯାଞ୍ଚ ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତରଙ୍କ ଏକ ଦଳ ତାଙ୍କର ପରୀକ୍ଷା କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନଙ୍କ ସମସ୍ତ ରିପୋର୍ଟ ଯାଞ୍ଚ ନହେବା ପର୍ଯ୍ୟନ୍ତ ସେ ହସ୍ପିଟାଲରେ ରହିବେ।

ହସ୍ପିଟାଲ ବାହାରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ପଞ୍ଜାବ ପୋଲିସ ଡିଜିପି ଗୌରବ ଯାଦବ ଏବଂ ମୁଖ୍ୟ ସଚିବ ମଧ୍ୟ ହସ୍ପିଟାଲରେ ଉପସ୍ଥିତ ଅଛନ୍ତି । ହସ୍ପିଟାଲ ପ୍ରଶାସନ କିମ୍ବା ଆମ ଆଦମୀ ପାର୍ଟି ଏପର୍ଯ୍ୟନ୍ତ କୌଣସି ମେଡିକାଲ୍ ବୁଲେଟିନ୍ ଜାରି କରିନାହାନ୍ତି।