RCBର ବିଜୟ ଖୁସିରେ କର୍ଣ୍ଣାଟକ ଲୋକେ ପିଇଗଲେ ୧୫୭ କୋଟିରୁ ଅଧିକ ଟଙ୍କାର ମଦ

Published By : Prameya-News7 Bureau | June 04, 2025 IST

ବେଙ୍ଗାଲୁରୁ ୪।୬: ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ) ୨୦୨୫ର ଚାମ୍ପିୟନ ହୋଇଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ପଞ୍ଜାବ କିଙ୍ଗସ (ପିବିକେଏସ୍)କୁ ଫାଇନାଲରେ ହରାଇ ପ୍ରଥମ ଥର ଆଇପିଏଲ ଟାଇଟଲ ଜିତିବା ଖୁସିରେ ଏବେ ପୂରା କର୍ଣ୍ଣାଟକରେ ଉତ୍ସବର ମାହୋଲ। ଆରସିବିର ଏହି ଐତିହାସିକ ବିଜୟ ଉଲ୍ଲାସ କେବଳ କ୍ରିକେଟ ଷ୍ଟାଡିମୟରେ ସୀମିତ ନାହିଁ ପୂରା କର୍ଣ୍ଣାଟକରେ ଛାଇ ଯାଇଛି। ଏଣୁ ରାଜ୍ୟରେ ଗୋଟିଏ ଦିନରେ ୧୫୭.୯୪ କୋଟି ଟଙ୍କାର ମଦ ବିକ୍ରି ହୋଇଯାଇଛି।

୩ ଜୁନ ମଙ୍ଗଳବାର ରାଜ୍ୟବ୍ୟାପି କାରବାରରୁ ଏହା ଜଣାପଡିଛି। ଗତବର୍ଷ ଆଇପିଏଲ ଫାଇନାଲରେ ରାଜ୍ୟରେ ଯେତିକି ମଦ ବିକ୍ରି ହୋଇଥିଲା ଏଥର ତା ଠୁ ୧୩୨.୨୪ କୋଟି ଟଙ୍କାର ଅଧିକ ମଦ ବିକ୍ରି ହୋଇଛି। ଫାଇନାଲ ମ୍ୟାଚରେ ଆରସିବି ଜିତିବା ମାତ୍ରେ ଫ୍ୟାନ୍ସ ରାସ୍ତାକୁ ଓହ୍ଲାଇ ଆସିଥିଲେ। ଆତଶବାଜୀଠୁ ଆରମ୍ଭ କରି ପାର୍ଟିର ପରିବେଶ ସୃଷ୍ଟି ହୋଇଥିଲା। ଏହି ସମୟରେ ବିୟର ବିକ୍ରି ଢେର ବଢି ଯାଇଥିଲା। ଜୁନ ୩ ତାରିଖ ରାତିରେ ୧.୪୮ଲକ୍ଷ ବାକ୍ସ ବୋତଲ ବନ୍ଦ ବିୟର ବିକ୍ରି ହୋଇଛି। ଏଥିରୁ କେବଳ ସରକାର ୩୦.୬୬ କୋଟି ଟଙ୍କାର ରାଜସ୍ୱ ପ୍ରାପ୍ତ କରିଛନ୍ତି। 

ଗତବର୍ଷ ଆଇପିଏଲ ଫାଇନାଲ ଦିନର ବିକ୍ରିକୁ ହିସାବକୁ ନେଲେ ୬.୨୯ କୋଟି ଟଙ୍କାର ରାଜସ୍ୱ ଆସୁଲ ହୋଇଥିଲା। ତେବେ କେବଳ ବିୟର ନୁହେଁ ହ୍ୱିସ୍କି, ରମ ଏବଂ ୱାଇନ ମଧ୍ୟ ଢେର ବିକ୍ରି ହୋଇଛି। ଏଥିରେ ୧.୨୮ ଲକ୍ଷ ପେଟି ଅନ୍ୟ ମଦ ବିକ୍ରି ହୋଇଥିବା ବେଳେ ରାଜସ୍ୱ ବାବଦକୁ ସରକାର ୧୯.୪୧ କୋଟି ଟଙ୍କା ଶୁଳ୍କ ପାଇଛନ୍ତି। ଏହିପରି ସବୁ ମିସାଇ କର୍ଣ୍ଣାଟକରେ ଜୁନ ୩ ତାରିଖ ଦିନ ୧୫୭.୯୪ କୋଟି ଟଙ୍କାର ମଦ ବିକ୍ରି ହୋଇଛି।     

ଆରସିବି ୨୦୦୮ ମସିହାରୁ ଆଇପିଏଲର ଅଂଶବିଶେଷ ହୋଇ ରହିଆସିଛି। ତେବେ ଟିମ୍‌ କେବେ ଟାଇଟଲ ବିଜେତା ହୋଇ ପାରିନଥିଲା। ଫାଇନାଲରେ ପିବିକେଏସକୁ ହରାଇ ବିରାଟ କୋହଲୀଙ୍କ ଟିମ ପ୍ରଥମ ଥର ଟାଇଟଲ ନିଜ ନାମରେ କରିଛି। ଏଣୁ କର୍ଣ୍ଣାଟକରେ ସବୁଆଡେ ‘ଏଇ ସାଲା କପ ନାମଡେ’ ( ଏ ବର୍ଷ କପ ଆମର) ଗୋଟିଏ ସ୍ଲୋଗାନ ଶୁଣିବାକୁ ମିଳୁଥିଲା। ବିରାଟ କୋହଲୀ ଓ ଟିମର ବିଜୟକୁ ଲୋକେ ରାଜ୍ୟ ପାଇଁ ଗୌରବର ବିଷୟ ବୋଲି କହିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.