ରାଜ୍ୟ ସରକାରଙ୍କ ମୁଖପତ୍ର 'ପ୍ରଗତି ପ୍ରବାହ' ଉନ୍ମୋଚିତ, ଝାରସୁଗୁଡ଼ାର ସଫଳ ଯୁବ ଚାଷୀ ହୃଦାନନ୍ଦ ବିଶିଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

NEWS7
karnataka-likely-to-impose-2-cess-on-movie-tickets-ott-subscriptions

ଭୁବନେଶ୍ୱର: ଉନ୍ମୋଚିତ ହୋଇଛି ରାଜ୍ୟସରକାରଙ୍କ ମୁଖପତ୍ର ‘ପ୍ରଗତି ପ୍ରବାହ’। ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ପ୍ରକାଶିତ ଏହି ପୁସ୍ତିକାଟିକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିଜ ବାସଭବନ ତଥା ଆବାସିକ କାର୍ଯ୍ୟାଳୟ ଠାରେ ଉନ୍ମୋଚନ କରିଛନ୍ତି।‘ପ୍ରଗତି ପ୍ରବାହ’ ରାଜ୍ୟ ବିକାଶର ଚଳନ୍ତି ପ୍ରତିଛବି ବୋଲି ମୁଖ୍ୟମନ୍ତ୍ରୀ ଏହି ଅବସରରେ କହିଥିଲେ ଏବଂ ଏହି ପୁସ୍ତିକାର ପ୍ରକାଶନ ପାଇଁ ସୂଚନା ଓ ଲୋକସମ୍ପର୍କ ବିଭାଗକୁ ଧନ୍ୟବାଦ ଦେଇଥିଲେ।

ସୂଚନାଯୋଗ୍ୟ ଯେ, "ପ୍ରଗତି ପ୍ରବାହ"ର ଉନ୍ମୋଚନ ସମୟରେ ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ଗ୍ରାମର ଜଣେ ସଫଳ ଯୁବ ଚାଷୀ ହୃଦାନନ୍ଦ ବିଶି ମଧ୍ୟ ଉପସ୍ଥିତ ଥିଲେ। ଏହି ପୁସ୍ତିକାରେ ହୃଦାନନ୍ଦଙ୍କ ସଫଳ କାହାଣୀ ମଧ୍ୟ ଉଲ୍ଲେଖ ଅଛି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ହୃଦାନନ୍ଦ ବିଶିଙ୍କୁ ସମ୍ମାନିତ କରିବା ସହିତ ତାଙ୍କ ସଫଳତା ପାଇଁ ଶୁଭେଚ୍ଛା ପ୍ରଦାନ କରିଥିଲେ।ଏହା ସହିତ ଆଗକୁ କିଭଳି ଆହୁରି ସରକାରଙ୍କ ହିତାକାଂକ୍ଷୀ ଯୋଜନା ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା,  ପି.ଏମ କିଷାନ ଓ  'ସିଏମ- କିଷାନ' ମାଧ୍ୟମରେ ଆହୁରି ନିଜର କୃଷି କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ ସେ ବିଷୟରେ ପରାମର୍ଶ ଦେଇଥିଲେ।

"ଆମ ସରକାର ଚାଷୀ ମାନଙ୍କ ଉନ୍ନତି ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରୁଛି।ଚାଷୀଟିଏ ଆଜି ମାନନୀୟ ପ୍ରଧାନମନ୍ତ୍ରୀ ମୋଦୀଜୀଙ୍କ "ଆତ୍ମନିର୍ଭରଶୀଳ ଭାରତ"ର ଉଦ୍ଦେଶ୍ୟକୁ ପୂରଣ କରୁଛି। ଚାଷୀ ନିଜ ଫସଲ ଦ୍ୱାରା ଗୋଟିଏ ପରିବାର ନୁହେଁ ଅନେକ ପରିବାର ଚଳାଇବାର କ୍ଷମତା ରଖୁଛି, ଯାହାକି ଆମ ଦେଶର ପ୍ରକୃତ ଷ୍ଟାର୍ଟ-ଅପ ବୋଲି ମୁଖ୍ୟମନ୍ତ୍ରୀ ସଫଳ ଚାଷୀ ବିଶିଙ୍କ ସହ କଥା ହୋଇ ତାଙ୍କୁ କହିଥିଲେ।

ଉଲ୍ଲେଖଯୋଗ୍ୟ ଯେ, B.Sc (Physics), MBA ଏବଂ Mechanical Engineering ଭଳି ଉଚ୍ଚଶିକ୍ଷା ଲାଭ କରିବା ପରେ ମଧ୍ୟ ବାହାରେ ଚାକିରି ନକରି ନିଜ ମାଟିରେ ସୁନା ଫଳାଇବା ନିଶାରେ ବିଶି ଚାଷକୁ ଆପଣାଇଥିଲେ। ଆଧୁନିକ ଜ୍ଞାନକୌଶଳ ଯଥା Drip Irrigation ଓ Mulching ପଦ୍ଧତିରେ ଚାଷ କରି ସେ ଆଜି ଜଣେ ‘ଲକ୍ଷପତି ଚାଷୀ’ ଭାବେ ଉଭା ହୋଇଛନ୍ତି। ତାଙ୍କର ଏହି ପ୍ରେରଣାଦାୟୀ ସଫଳତା କାହାଣୀ 'ପ୍ରଗତି ପ୍ରବାହ' ପତ୍ରିକାରେ ସ୍ଥାନ ପାଇଛି।

ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ ହୃଦାନନ୍ଦ ବିଶିଙ୍କୁ ସରକାରୀ ସହାୟତା ଓ ସବସିଡି ମିଳୁଛି କି ନାହିଁ ସେ ସମ୍ପର୍କରେ ପଚାରି ବୁଝିଥିଲେ। ଚାଷୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଝାରସୁଗୁଡ଼ା ଜିଲ୍ଲାପାଳଙ୍କ ଜରିଆରେ ସମସ୍ତ ସରକାରୀ ସହାୟତା ତୁରନ୍ତ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ବିଶେଷ କରି କୋଲ୍ଡ କୃଷି ଭିତ୍ତିଭୂମିର ବିକାଶ ପାଇଁ ଜିଲ୍ଲାପାଳ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ସେ ସ୍ପଷ୍ଟ କରିଥିଲେ। ଏଥିସହିତ ବିଭିନ୍ନ କୃଷି ଯୋଜନାର ସୁଯୋଗ ନେଇ ନିଜର କୃଷି କାର୍ଯ୍ୟକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେବା ସହ ଚାଷୀଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କହିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ପ୍ରକାଶ ମିଶ୍ର, ପୂର୍ବତନ ବିଧାୟକ ନାଉରି ନାଏକ, ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ଅନୁଜ କୁମାର ଦାସ ପଟ୍ଟନାୟକ, ଝାରସୁଗୁଡା ସୂଚନା ଓ ଲୋକସମ୍ପର୍କ ଅଧିକାରିଣୀ ସୁଶ୍ରୀ କୃଷ୍ଣାକେଶୀ ବଳିଆରସିଂହଙ୍କ ସମେତ ସୂଚନା ଓ ଲୋକସମ୍ପର୍କ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ।