ନୂଆଦିଲ୍ଲୀ ୨୬/୦୭: କାରଗିଲ ଯୁଦ୍ଧ । ବୀର ଯବାନଙ୍କ ଗାଥା । ନାଁ ଶୁଣିଲେ ମନକୁ ଆସିଯାଏ ମାତୃଭୂମି ପ୍ରତି ବଳିଦାନର ବୀରତ୍ୱ । ମନେପଡ଼େ କେମିତି ୧୩ରୁ ୧୮ ହଜାର ଫୁଟ ଉପରେ ଶତ୍ରୁ ସୈନ୍ୟଙ୍କୁ ନିପାତ କରି ବିଜୟର ବାନା ଉଡ଼ାଇଥିଲେ ଭାରତୀୟ ସେନା । ଆହୁରି ବି ପାକିସ୍ତାନର ଧୋକା, ସୈନ୍ୟର ଷଡ଼ଯନ୍ତ୍ରକୁ ଚୂରମାର କରି ଭାରତୀୟ ସେନା ନେଇଥିବା ପ୍ରତିଶୋଧର କଥା ।
୨୪ ବର୍ଷ ତଳର ଏହି ସ୍ମୃତି ଆଜି ବି ପ୍ରତିଟି ଭାରତୀୟଙ୍କ ମନରେ ତାଜା ହୋଇ ରହିଛି । ଏହି କଥା ମନେପଡ଼ିଲେ ଆମ ଛାତି ଗର୍ବ ଆଉ ଗୌରବରେ ଫୁଲି ଉଠେ । ତେବେ ଏତେ ସହଜ ନଥିଲା ଅପରେସନ ବିଜୟକୁ ସଫଳ କରାଇବା । ଏତେ ସହଜ ନଥିଲା ହଜାର ହଜାର ଫୁଟ ଉପରେ ବିଜୟର ବାନା ଉଡ଼ାଇବା ।
ଏତେ ସହଜ ନଥିଲା ଧୋକା ବାଜ ପାକିସ୍ତାନକୁ ଧକ୍କା ଦେଇ ବାହାର କରିବା । ତଥାପି ପଣ କରିଥିଲେ ଭାରତୀୟ ସେନା । ମାରିବୁ ନହେଲେ ମରିବୁ । ୧୯୯୯ ମସିହା ଜୁଲାଇ ମାସରେ ଭାରତକୁ ପ୍ରବେଶ କରିଥିଲେ ପାକିସ୍ତାନୀ ସେନା । କାରଗିଲ ସେକ୍ଟରରେ ଖାଲି ପଡ଼ିଥିବା ବଙ୍କର ଗୁଡ଼ିକୁ ଛଦ୍ମ ବେଶରେ ଆସି ଅକ୍ତିଆର କରିନେଇଥିଲା ଧୋକାବାଜ ପାକିସ୍ତାନ । ଆଉ ଭାରତ ସହ ଯୁଦ୍ଧ କରିବାକୁ ପ୍ରସ୍ତୁତ ହେଉଥିଲା । ଉଦ୍ଦେଶ୍ୟ ଥିଲା ୧୯୭୧ରେ ଭାରତ ଜିତିଥିବା ଅଞ୍ଚଳକୁ କବଜାକୁ ନେବା ।
ଭାରତୀୟ ସେନାର ଅଜାଣତରେ ଟାଇଗର ହିଲ ଉପରେ ଷଡଯନ୍ତ୍ର ରଚୁଥାଆନ୍ତି ପାକିସ୍ତାନୀ ସେନା । ସେନା କ୍ୟାମ୍ପ ଉପରେ ଆକ୍ରମଣ କରିବାକୁ କରୁଥାଆନ୍ତି ପ୍ଲାନ । ହେଲେ କାନ୍ଥ ପରି ଚଟାଣ ହୋଇ ଛିଡାହୋଇଥିଲେ ଭାରତର ଯବାନ । ଶତ୍ରୁକୁ ଦେଇଥିଲେ ମୁହଁତୋଡ ଜବାବ । ଦୋହଲି ଯାଇଥିଲା କାଶ୍ମୀରଠାରୁ ଦିଲ୍ଲୀ । ଶତ୍ରୁ ଉପରେ ନଜର ରଖିବାକୁ ପଇଁତରା ମାରୁଥାଆନ୍ତି ଭାରତୀୟ ସେନା । ହେଲେ ପାକିସ୍ତାନୀ ସେନାଙ୍କ ବର୍ବରତା ସୀମା ଟପୁଥିଲା ।
ଭାରତୀୟ ସେନାଙ୍କୁ ଉଠାଇ ନେଇ ଦେଉଥିଲେ ଅକଥନୀୟ ଅତ୍ୟାଚାର । ଏଥର କିନ୍ତୁ ଚୁପ ରହିନଥିଲା ଭାରତୀୟ ସେନା । ଜବାବ ଦେବାକୁ ଆରମ୍ଭ ହୋଇଥିଲା ଅପରେସନ ବିଜୟ । ସମୁଦ୍ର ପତନଠାରୁ ୧୮ ହଜାର ଫୁଟ ଉଚ୍ଚ ଏବଂ ରକ୍ତ ବରଫ ପାଲଟିଗଲା ଭଳି ମାଇନସ ୪୮ ଡିଗ୍ରୀ ସେଲିସିୟସ ତାପମାତ୍ରାରେ ଶତ୍ରୁ ସୈନ୍ୟର ମୁକାବିଲା କରିବା ହୁଏତ କୌଣସି ଦେଶର ଯବାନଙ୍କ ପାଇଁ ସହଜ ନୁହେଁ ।
ହେଲେ ମାଟି ମାର ସୁରକ୍ଷା ପାଇଁ ଛାତିରେ ଗୁଳି ଖାଇ ପଛକୁ ହଟୁନଥିଲେ ଭାରତୀୟ ସେନା । ଆଜି ବି ପ୍ରତିଟି ଭାରତୀୟ ମନରେ ଲିପିବଦ୍ଧ ହୋଇ ରହିଛି ସେନାର ପରାକ୍ରମ । କେବଳ ଦେଶବାସୀ ନୁହେଁ ସରକାର ବି ଗର୍ବୀତ । ସେଥିପାଇଁ ଦେଶ ପାଳୁଛି କାର୍ଗିଲ ବିଜ ଦିବସ । ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ସେମାନଙ୍କ ପରାକ୍ରମଙ୍କୁ ଜଣାଇଛନ୍ତି ସମ୍ମାନ ।