ମୁମ୍ଵାଇ ୨୧।୦୪: ବଲିଉଡ ତାରକାଙ୍କ ପୁଅ ଓ ଝିଅମାନେ ସାଧାରଣତଃ ପିତାମାତାଙ୍କ ପଦାଙ୍କ ଅନୁସରଣ କରି ଫିଲ୍ମ ଦୁନିଆରେ କ୍ୟାରିୟର ଗଢ଼ିଥାନ୍ତି । ଅନେକ ଥର ଏଭଳି ଘଟିଛି । କପୁର ଖାନଦାନର ପୁଅମାନେ ଚଳଚ୍ଚିତ୍ର ଦୁନିଆକୁ ଆସିଥିବାବେଳେ ଝିଅ, ବୋହୂଙ୍କୁ କିନ୍ତୁ ଅଭିନୟ କରିବା ମନା ଥିଲା । ମାତ୍ର କରିସ୍ମା ଓ କରୀନା ମନା ମାନିଲେ ନାହିଁ ଓ ଅଭିନୟ କରି ବେଶ୍ ପ୍ରଶଂସା ସାଉଁଟିଲେ । କିନ୍ତୁ ଏକଥା ଅନେକ ହୁଏତ ଜାଣନ୍ତି ନାହିଁ ଯେ ଗୋଟିଏ ସମୟରେ କରୀନା କ୍ରିମିନାଲ୍ ଲୟର ହେବାକୁ ଚାହୁଁଥିଲେ । କିନ୍ତୁ ଭାଗ୍ୟ ତାଙ୍କ ପାଇଁ ଅଲଗା କିଛି ରଖିଥିଲା ।
କରୀନା କ୍ୟାମେରା ସାମ୍ନାକୁ ଆସିଲେ ଓ ହିନ୍ଦୀ ସିନେଶିଳ୍ପରେ ଏଭଳି ବ୍ୟସ୍ତ ଅଭିନେତ୍ରୀ ପାଲଟିଗଲେ ଯେ ପଛକୁ ଫେରି ଚାହିଁବାକୁ ସମୟ ପାଇଲେ ନାହିଁ । ଏକ ସାକ୍ଷାତକାରରେ କରୀନା କହିଥିଲେ ଯଦିଓ ସେ ଫିଲ୍ମି ପରିବେଶରେ ବଡ଼ ହୋଇଛନ୍ତି କିନ୍ତୁ ଗୋଟିଏ ସମୟରେ କ୍ରିମିନାଲ୍ ଲୟର ହେବା ବିଚାର ତାଙ୍କ ମନକୁ ଆସିଥିଲା । ଏମିତିକି ପାଞ୍ଚଦିନ ସେ ଲ କଲେଜକୁ ଯାଇଥିଲେ । ଯେତେବେଳେ ଏତେ ମୋଟା ମୋଟା ବହି ସେ ଦେଖିଲେ, ତାଙ୍କ ମନକୁ ଆସିଲା ଯେ ଏସବୁ ତାଙ୍କ ପାଇଁ ନୁହେଁ ।
ଏହା ପରେ ଲାଇଟ୍-କ୍ୟାମେରା- ଆକ୍ସନ ଆଡ଼କୁ ସେ ଢଳିଲେ ବୋଲି ଏକ ସାକ୍ଷାତକାରରେ କହିଥିଲେ କରୀନା । ସୂଚନାଯୋଗ୍ୟ, କରୀନା ଅଭିଷେକ ବଚ୍ଚନଙ୍କ ସହିତ ୨୦୦୦ରେ ମୁକ୍ତିପ୍ରାପ୍ତ ‘ରିଫ୍ୟୁଜି’ରୁ ଅଭିନୟ ଆରମ୍ଭ କରିଥିଲେ । କୋଡ଼ିଏ ବର୍ଷରୁ ଅଧିକ ସମୟର କ୍ୟାରିୟରରେ ସେ ବେଶ୍ କେତୋଟି ହିଟ୍ ଫିଲ୍ମ ଭେଟି ଦେଇଛନ୍ତି ଦର୍ଶକଙ୍କୁ ।