ପହଲଗାମ ଗୁଳିକାଣ୍ଡ ମାମଲା: ସଂସଦର ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କଲେ କପିଲ ଶିବଲ

Published By : Prameya-News7 Bureau | April 25, 2025 IST

ନୂଆଦିଲ୍ଲୀ ୨୫।୪: ରାଜ୍ୟସଭା ସାଂସଦ କପିଲ ଶିବଲ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସଂସଦର ସ୍ୱତନ୍ତ୍ର ଅଧିବେଶନ ଡକାଇ ଜମ୍ମୁ-କାଶ୍ମୀର ପହଲଗାମରେ ହୋଇଥିବା ଆତଙ୍କୀ କାଣ୍ଡର ନିନ୍ଦା କରିବା ଓ ଏକ ପ୍ରସ୍ତାବ ଗୃହୀତ କରିବାକୁ ଆଗ୍ରହ କରିଛନ୍ତି। ସେ କହିଛନ୍ତି ଯେ ଅଧିବେଶନରେ ଏହି ବାର୍ତ୍ତା ଯିବା ଦରକାର ଦେଶ ଏକଜୁଟ ଅଛି ଓ ଆତଙ୍କବାଦ ବିରୋଧରେ କଡ଼ା ଆଭିମୁଖ୍ୟ ଆପଣେଇବ। ଶିବଲ ସରକାରଙ୍କୁ ଏହା ବି ଅନୁରୋଧ କରିଛନ୍ତି ଯେ ଶାସକ ଓ ବିରୋଧୀ ଦଳ ସାଂସଦଙ୍କୁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦେଶକୁ ପଠାଯାଉ। 

ଏହା ଦ୍ୱାରା ପାକିସ୍ତାନ ଉପରେ କୁଟନୈତିକ ଚାପ ପକାଯାଇ ପାରିବ। କପିଲ ଶିବଲ ଗଣମାଧ୍ୟମ ସହ ଆଲୋଚନାରେ ସଂସଦର ବିଶେଷ ଅଧିବେଶନ ଡକାଇବାକୁ ଆଗ୍ରହ କରିଛନ୍ତି। ସେ କହିଛନ୍ତି ଏହି ସମୟରେ ପ୍ରଧାନମନ୍ତ୍ରୀ ସଂସଦର ସ୍ୱତନ୍ତ୍ର ଅଧିବେଶନ ଡକାନ୍ତୁ ଓ ଘଟଣା ଉପରେ ଚର୍ଚ୍ଚା କରାନ୍ତୁ। ଆମେ ସମସ୍ତଙ୍କୁ ଏହି ବାର୍ତ୍ତା ଦେବା ଦରକାର ‘ଦେଶ ଏକଜୁଟ ଅଛି ଓ ଆତଙ୍କବାଦ ବିରୋଧରେ ଏକଜୁଟ ହୋଇ ଛିଡା ହୋଇଛି’। ସେ ଏହି ଆକ୍ରମଣକୁ ଭାରତର ସାର୍ବଭୌମତା ଉପରେ ଆକ୍ରମଣ ବୋଲି କହିଛନ୍ତି। 

ଏଣୁ ଏହାକୁ ନେଇ ସଂସଦରେ ସର୍ବସମ୍ମତ ପ୍ରସ୍ତାବ ଗୃହୀତ କରିବାକୁ ସେ କହିଛନ୍ତି। ଶିବଲଙ୍କ କହିବା କଥା ହେଉଛି ଏହା ସେହି ସମୟ ଯେତେବେଳେ ପୂରା ବିଶ୍ୱକୁ ଏହି ବାର୍ତ୍ତା ଦିଆଯିବା ଦରକାର ଭାରତର ନାଗରିକ ଓ ସଂସଦ ଏକ ଓ ଏପ୍ରକାର ଆକ୍ରମଣକୁ ବରଦାସ୍ତ କରାଯିବନି। ସେହିପରି ପାକିସ୍ତାନ ଉପରେ କୁଟନୈତିକ ଚାପ ପକାଇବା ପାଇଁ ପ୍ରମୁଖ ଦେଶମାନଙ୍କୁ ଭାରତ ଏହା କହିବା ଦରକାର ଯେ ଯଦି ସେମାନେ ପାକିସ୍ତାନ ସହିତ ବ୍ୟାପାର କରୁଛନ୍ତି ତେବେ ଆମେ ତୁମ ସହ ବେପାର କରିବୁନି।  ଏହିପରି ପାକିସ୍ତାନ ଉପରେ କୁଟନୈତିକ ଚାପ ପକାଇବାକୁ ଶିବଲ ପ୍ରଧାନମନ୍ତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.