ମୁମ୍ଵାଇ ୧୮।୦୩; ଜାନୁଆରୀ ୧୭ ତାରିଖରେ ରିଲିଜ୍ ହୋଇଥିଲା କଙ୍ଗନା ରଣାୱତ୍ଙ୍କ ଫିଲ୍ମ ‘ଏମର୍ଜେନ୍ସି’ । ଫିଲ୍ମ ବକ୍ସ ଅଫିସ୍ରେ ଖାସ୍ କମାଲ କରିପାରିଲା ନାହିଁ । କିନ୍ତୁ ଓଟିଟି ପ୍ଲାଟ୍ଫର୍ମ ନେଟ୍ଫ୍ଲିକ୍ସକୁ ଆସିବା ପରେ ଫିଲ୍ମଟି ଖୁବ୍ ପ୍ରଶଂସା ସାଉଁଟୁଛି । ଅନେକ କହୁଛନ୍ତି, ଫିଲ୍ମ ଏତେ ଭଲ ହୋଇଛି ଯେ ଏହାକୁ ଓସ୍କାର ପୁରସ୍କାର ପାଇଁ ପଠାଇବା ଉଚିତ୍ । ଏହାର ଜବାବରେ କଙ୍ଗନା ଆମେରିକା ଉପରେ ଉତ୍କ୍ଷିପ୍ତ ହୋଇ ଓସ୍କାରକୁ ମୂର୍ଖଙ୍କ ସମ୍ମାନ ବୋଲି କହିଛନ୍ତି ।
ଫିଲ୍ମ ‘ଏମର୍ଜେନ୍ସି’କୁ ମିଳୁଥିବା ପ୍ରଶଂସାମୂଳକ ବାର୍ତ୍ତାଗୁଡ଼ିକର ସ୍କ୍ରିନ୍ଶଟ୍ କଙ୍ଗନା ନିଜ ଇନ୍ଷ୍ଟା ଷ୍ଟୋରୀରେ ପୋଷ୍ଟ୍ କରିଛନ୍ତି । ଏଥିରେ ଜଣେ ୟୁଜର ଲେଖିଛନ୍ତି, ଫିଲ୍ମକୁ ଭାରତ ତରଫରୁ ଓସ୍କାର ପଠାଇବା ଉଚିତ୍ । ଏହାର ଜବାବରେ କଙ୍ଗନା ଲେଖିଛନ୍ତି, ଆମେରିକା ନିଜର ପ୍ରକୃତ ଚେହେରା ଦେଖାଇବାକୁ ଚାହିଁବ ନାହିଁ- ବିକାଶଶୀଳ ଦେଶମାନଙ୍କୁ ସେ କେମିତି ଧମକ ଦେଉଛି, ଦବାଇ ରଖୁଛି ଓ ଚାପ ପକାଉଛି। ଏ ସବୁ ‘ଏମର୍ଜେନ୍ସି’ରୁ ସାମ୍ନାକୁ ଆସିସାରିଛି । ମୂର୍ଖ ଓସ୍କାର ପୁରସ୍କାର ସେ ନିଜ ପାଖରେ ରଖୁ । ଆମ ପାଖରେ ଜାତୀୟ ସମ୍ମାନ ଅଛି । କଙ୍ଗନାଙ୍କୁ ସମାଲୋଚନା କରୁଥିବା ଏବଂ ତାଙ୍କ ଫିଲ୍ମକୁ ନେଇ ବିଭିନ୍ନ ଅନୁମାନ କରୁଥିବା ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକଙ୍କୁ ସେ କହିଛନ୍ତି, ମୋ ବିଷୟରେ କୌଣସି ଧାରଣା ରଖ ନାହିଁ । ମୋତେ ବୁଝିବାକୁ ଚେଷ୍ଟା ବି କରନାହିଁ । ମୁଁ ତା’ଠୁ ଉଦ୍ଧ୍ୱର୍ରେ ।
ଦୀର୍ଘ ଦିନ ଧରି ବିବାଦ ପରେ ସେନ୍ସର ବୋର୍ଡରୁ ପାସ୍ ହୋଇ ଫିଲ୍ମ ‘ଏମର୍ଜେନ୍ସି’ ଗତ ଜାନୁଆରୀ ୧୭ ତାରିଖରେ ରିଲିଜ୍ ହୋଇଥିଲା। ବିବାଦ ଓ ବିରୋଧ ଯୋଗୁ ଫିଲ୍ମ ବକ୍ସ ଅଫିସ୍ରେ ମାତ୍ର ୨୨ କୋଟି ବ୍ୟବସାୟ କଲା । ପରେ ଏହା ନେଟ୍ଫ୍ଲିକ୍ସରେ ମୁକ୍ତିଲାଭ କଲା । ଫିଲ୍ମରେ କଙ୍ଗନା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକା ନିର୍ବାହ କରିଛନ୍ତି । ତାଙ୍କ ସହ ମହିମା ଚୌଧୁରୀ, ଶ୍ରେୟସ ତଲପଡ଼େ, ଅନୁପମ ଖେର ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି ।