ରାଜସ୍ଥାନରୁ ମିଳିଲା ଡାଇନୋସରର ଜୀବାଶ୍ମ ଭଳି ଅବଶେଷ , ଦେଖିବାକୁ ପୂରା କଙ୍କାଳ ପରି

Published By : Prameya-News7 Bureau | August 21, 2025 IST

ରାଜସ୍ଥାନ : ରାଜସ୍ଥାନର ଜୈସଲମେର ଜିଲ୍ଲାର ଏକ ଗାଁରେ ଡାଇନୋସର ଯୁଗର ଜୀବାଶ୍ମ ମିଳିଛି। ଏଠାରେ ଏକ ପୋଖରୀ ଖନନ କାମ ଚାଲି ଥିଲା ,ଏତିକି ବେଳେ ବଡ଼ ବଡ଼ ହାଡ଼ ଆକାରର ଏକ ଗଠନ (ଷ୍ଟ୍ରକର) ଓ ଜୀବାଶ୍ମ   ଭଳି କିଛି ଅବଶେଷ ମିଳିଛି। ବିଶେଷଜ୍ଞଙ୍କ କହିବାନୁସାରେ , ଏହା ଏକ ଡାଇନୋସରର କଙ୍କାଳ ହୋଇପାରେ। ଏଥିରେ ଏହି ସ୍ଥାନର ପ୍ରାଗୈତିହାସିକ ଡାଇନୋସର ଯୁଗ ସହ ଜଡ଼ିତ ହେବାର ସମ୍ଭାବନା ବୃଦ୍ଧି ପାଇଛି। ହେଲେ ଏହାର ବୈଜ୍ଞାନିକ ନିଶ୍ଚିତକରଣ ଏପର୍ଯ୍ୟନ୍ତ ହୋଇ ନାହିଁ। ଏବେ ଜିଆଇଏସ ଟିମ୍‌ ଏହାର ବୌଜ୍ଞାନିକ ପରୀକ୍ଷଣ କରିବ। ଫତେଗଡ ଉପଖଣ୍ଡର ମେଘା ଗାଁରେ ଏକ ପୋଖରୀର ଖନନ କରିବା ବେଳେ ଲୋକଙ୍କୁ ପଥରର ଏହି ସ୍ୱତନ୍ତ୍ର ଗଠନ ଓ ଏକ ବଡ଼ କଙ୍କାଳ ସଦୃଶ ଏକ ଗଠନ ମିଳିଛି। ଏଥିରୁ କିଛି ଖଣ୍ଡ ଜୀବାଶ୍ମ କାଠ ପରି ଦେଖାଯାଇ ଥିବା ବେଳେ ଆଉ କିଛି ହାଡ଼ ପରି ଦେଖାଯାଉଛି। 

ବିଶେଷଜ୍ଞଙ୍କ ମତରେ ପଶ୍ଚିମୀ ରାଜସ୍ଥାନରେ ଜୀବାଶ୍ମ କାଠ ଅସାମାନ୍ୟ ନୁହେଁ , କିନ୍ତୁ ହାଡ଼ ଭଳି ଗଠନର ଉପସ୍ଥିତି ଏହି ଆବିଷ୍କାରକକୁ ସ୍ୱତନ୍ତ୍ର କରିଥାଏ। ଫତେଗଡ଼ ଉପଖଣ୍ଡର ଅଧିକାରୀ ତଥା ତହସିଲଦାର ବୁଧବାର ଦିନ ଘଟଣାସ୍ଥଳକୁ ଗସ୍ତ କରି ଥିଲେ ଏବଂ ଅବଶେଷ ଗୁଡ଼ିକୁ ନିରୀକ୍ଷଣ କରି ଥିଲେ। 

ଫତେଗଡ଼ର ଉପଖଣ୍ଡ ଅଧିକାରୀ ଭରତରାଜ ଗୁର୍ଜର ଗୁରୁବାର ପିଟିଆଇକୁ କହିଥିଲେ , ଆମେ ଉଚ୍ଚ ଅଧିକାରୀଙ୍କୁ ସୂଚିତ କରି ଦେଇଛୁ ଏବଂ ଭାରତୀୟ ଭୂତାତ୍ତ୍ୱିକ ସର୍ବେକ୍ଷଣ (ଜିଆଇଏସ)ର  ବୈଜ୍ଞାନିକମାନେ ତଦନ୍ତ ପାଇଁ ଘଟଣାସ୍ଥଳ ପରିଦର୍ଶନ କରିବେ ବୋଲି ଆଶା କରାଯାଉଛି। ପୂରା ଯାଞ୍ଚ ପରେ ହିଁ ଆମେ ଜୀବାଶ୍ମର ବୟସ ଓ ପ୍ରକାରର ନିଶ୍ଚିତ କରି ପାରିବୁ। 

ପ୍ରଫେସର ଶ୍ୟାମ ସୁ୍ଦର ମୀଣା କହିଛନ୍ତି , ଏହି ଅବଶେଷ କୌଣସି ଗଭୀର ଖନନରୁ ବାହାରି ନାହିଁ ବରଂ ପୃଷ୍ଠ ଭାଗରେ ହିଁ ପଡ଼ିଥିବାର ଦେଖା ଯାଉଛି। ସମ୍ଭବ ଯେ, ଏହା ଅଧିକ ପ୍ରାଚୀନ ହୋଇ ନଥିବ ଏବଂ କେବଳ ୫୦ରୁ ୧୦୦ ବର୍ଷ ପୁରୁଣା ହୋଇ ଥିବ। କେବଳ କାର୍ବନ ଡେଟିଂ ଓ ବୈଜ୍ଞାନିକ ବିଶ୍ଳେଷଣର ଅନ୍ୟ ଉପାୟରେ ଏହାର ସଠିକ୍‌ ବୟସ ବିଷୟରେ ଜଣାପଡ଼ିପାରେ। 


ଅଧିକାରୀମାନେ କହିଛନ୍ତି , ସନ୍ଦିଗ୍ଧ ଜୀବାଶ୍ମ ପୋଖରୀ ନିକଟରେ ପଥରର ଛୋଟ ଛୋଟ ଖଣ୍ଡରେ ମିଶ୍ରିତ ଭାବେ ମିଳିଛି। ପୂର୍ବରୁ ଥର ମରୁଭୂମିରେ ଜୀବାଶ୍ମ କାଠ ମିଳିଥିବାର ରିପୋର୍ଟ ଆସିଛି, କିନ୍ତୁ କଙ୍କାଳ ଭଳି ଗଠନ ସହ ମିଳିତ ଆବିଷ୍କାର ଏହି ମାମଲାକୁ ସ୍ୱତନ୍ତ୍ର କରିଛି।

ଏହି ଆବିଷ୍କାର ପରେ ବହୁ ସଂଖ୍ୟାରେ ଗ୍ରାମବାସୀ ଘଟଣା ସ୍ଥଳରେ ଜମା ହୋଇ ଯାଇଥିଲେ ଏବଂ ଅବଶେଷର ଭିଡ଼ିଓ ଓ ଫଟୋ ସୋସିଆଲ ମିଡ଼ିଆରେ ସେୟାର କରିବାକୁ ଲାଗିଥିଲେ ।

 କହି ରଖୁଛୁ କି ଜୈସଲମେର ଜିଲ୍ଲାରେ ପୂର୍ବରୁ ମଧ୍ୟ ଡାଇନୋସର ଯୁଗର ଗୁରୁତ୍ତ୍ୱପୂର୍ଣ୍ଣ ଜୀବାଶ୍ମ ଓ ପାଦଚିହ୍ନ ମିଳିଥିଲା। ବିଶେଷଜ୍ଞଙ୍କ କହିବାନୁସାରେ , ଯଦି ଏହି ନବୀନତମ ଆବିଷ୍କାର ପ୍ରମାଣିତ ହୋଇଯାଏ ତ ଏଥିରେ ଦେଶରେ ଜୀବାଶ୍ମ ବିଜ୍ଞାନ ଅନୁସନ୍ଧାନର କେନ୍ଦ୍ର ଭାବେ ରାଜସ୍ଥାନର ମହତ୍ତ୍ୱ ଆହୁରି ବଢିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.