ତାରିକଙ୍କ ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବା ନେଇ ସସପେନ୍ସ : ଫେବ୍ରୁଆରୀ ୧୭ରେ ମାକ୍ରନଙ୍କ ସହ ମୋଦୀଙ୍କ ବୈଠକ

NEWS7
jp-nadda-asked-10-question-to-somia-gandhi

ନୂଆଦିଲ୍ଲୀ, ୧୫/୦୨ : ବାଂଲାଦେଶର ପ୍ରଧାନମନ୍ତ୍ରୀ ଭାବେ ଆସନ୍ତା ୧୭ ତାରିଖରେ ଶପଥ ଗ୍ରହଣ କରିବେ ବିଏନପି ମୁଖ୍ୟ ତାରିଖ ରେହମାନ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ୧୩ଟି ଦେଶର ନେତାଙ୍କୁ ଶପଥ ସମାରୋହରେ ସାମିଲ ହେବାକୁ ନିମନ୍ତ୍ରଣ କରାଯାଇଛି । ଏହି ଦେଶ ମଧ୍ୟରେ ଭାରତ,ପାକିସ୍ତାନ, ଚାଇନା, ୟୁଏଇ ଆଦି ରହିଛନ୍ତି । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାରିକଙ୍କ ଶପଥ ସମାରୋହରେ ସାମିଲ ହେବେ ନା ନାହିଁ ତାକୁ ନେଇ ଦେଖାଦେଇଛି ସସପେନ୍ସ ।

ରିପୋର୍ଟ ଅନୁସାରେ, ପ୍ରଧାନମନ୍ତ୍ରୀ ମୋଦୀ ତାରିକଙ୍କ ଶପଥ ସମାରୋହରେ ସାମିଲ ହେବା ସମ୍ଭାବନା କମ୍ ରହିଛି । କାରଣ ସେଦିନ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ସହ ଦ୍ୱିପାକ୍ଷିକ ବୈଠକ ରହିଛି । ତେଣୁ ମୋଦୀ ନିଜେ ଢାକା ଯିବେନି । ସେ କୌଣସି ବରିଷ୍ଠ ମନ୍ତ୍ରୀ କିମ୍ବା ଅଧିକାରୀଙ୍କୁ ଢାକା ପଠାଇପାରନ୍ତି ।

ନିର୍ବାଚନ ପରେ ମୋଦୀଙ୍କ ଶୁଭେଚ୍ଛା

ବାଂଲାଦେଶ ସାଧାରଣ ନିର୍ବାଚନରେ ବୃହଜ ବିଜୟ ହାସଲ କରିଛି ବିଏନପି । ବିଏନପିର ବିଜୟ ପରେ ପ୍ରଧାନମନ୍ତ୍ରୀ ମୋଦୀ ଏକ୍ସରେ ତାରିକଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଏହାସହ ଦୁଇ ଦେଶ ମଧ୍ୟରେ ସମ୍ପର୍କ ନୂଆଦିଗର ରୂପ ନେବ ବୋଲି ମୋଦୀ ପ୍ରକାଶ କରିଥିଲେ । ଏରିକି ସେ ତାରିକଙ୍କୁ ଫୋନ୍ ମଧ୍ୟ କରିଥିଲେ ।

୧୩ ଦେଶକୁ ନିମନ୍ତ୍ରଣ

ଅନ୍ତରୀଣ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବା ପାଇଁ ୧୩ ଦେଶର ନେତାଙ୍କୁ ନିମନ୍ତ୍ରଣ କରିଛନ୍ତି । ଏହାଦ୍ୱାରା ବାଂଲାଦେଶ ନିଜର ବୈଦେଶିକ ନୀତି ସଜାଡି ପାରିବ । ଏହାସହ ପଡୋଶୀଙ୍କ ସହ ଉପୁଜୁଥିବା ସମସ୍ୟାର ସମାଧାନରେ ବଡ ପଦକ୍ଷେପ ହେବ ।

ନିମନ୍ତ୍ରଣ ପ୍ରଦାନ କରାଯାଇଥିବା ଦେଶମାନଙ୍କ ମଧ୍ୟରେ ଭାରତ, ଚାଇନା, ସାଉଦି ଆରବ, ପାକିସ୍ତାନ, ତୁର୍କୀ, ୟୁଏଇ, କତାର, ମାଲେସିଆ, ବ୍ରୁନେଇ, ଶ୍ରୀଲଙ୍କା, ମାଲଦୀପ ଏବଂ ଭୁଟାଲ ସାମିଲ ଅଛନ୍ତି । ଦକ୍ଷିଣ ଏସିଆରୁ ନେଇ ପଶ୍ଚିମ ଏସିଆର ଦେଶମାନଙ୍କୁ ଶପଥ ସମାରୋହରେ ଦେଖିବାକୁ ମିଳିବ । ଯାହା କୁଟନୈତିକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ।