ଗିରଫ ହେଲେ ଜଳଛାୟା ବିଭାଗ ଯୁଗ୍ମ ନିର୍ଦ୍ଦେଶକ, ଭିଜିଲାନ୍ସ ଚଢ଼ାଉରୁ ମିଳିଛି ୫୦ କୋଟିରୁ ଅଧିକ ସମ୍ପତ୍ତି

Published By : Prameya-News7 Bureau | July 01, 2025 IST

ଭୁବନେଶ୍ବର: ଗିରଫ ହେଲେ ମୃତ୍ତିକା ସଂରକ୍ଷଣ ଓ ଜଳଛାୟା ବିଭାଗ ଯୁଗ୍ମ ନିର୍ଦ୍ଦେଶକ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମୃତ୍ତିକା ସଂରକ୍ଷଣ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ରେଡ୍‌ ହୋଇଥିଲା। ଯାହାପରେ ମଙ୍ଗଳବାର ତାଙ୍କୁ ଗିରଫ କରାଯାଇଛି। ଚଢ଼ଉ ସମୟରେ ୫୦ କୋଟିରୁ ଅଧିକ ଟଙ୍କାର ସ୍ଥାବର ଅସ୍ଥାବର ସମ୍ପତ୍ତି ଠାବ ହୋଇଛି । 

ସୂଚନାଥାଉକି, ଦୟାନିଧିଙ୍କ ବିରୋଧରେ କିଛି ମାସ ହେବ ଭିଜିଲାନ୍ସ ଅଫିସ୍‌କୁ ଶହଶହ ପିଟିସନ୍‌ ଆସୁଥିଲା। ଦୟାନିଧି ରାୟଗଡ଼ା ଜଳ ବିଭାଜିକା ମିଶନର ପ୍ରକଳ୍ପ ନିର୍ଦ୍ଦେଶକ ଥିବା ବେଳେ ଠକେଇ କରିଥିବା ନେଇ ସର୍ବାଧିକ ପିଟିସନ୍‌ ଥିଲା । ଭିଜିଲାନ୍ସ ଅଧିକାରୀମାନେ ଆରମ୍ଭ କରିଥିଲେ ତଦନ୍ତ । ଏହି ସମୟରେ ଜଣାପଡ଼ିଥିଲା, ବାବୁ ଜଣଙ୍କ ବେଆଇନ୍‌ ଭାବେ କଳା ଟଙ୍କା ରୋଜଗାର କରି କୋଟିକୋଟି ଟଙ୍କା ସମ୍ପତ୍ତି କରିଛନ୍ତି । ତାଙ୍କ ଘରେ ଚଢ଼ଉ ପାଇଁ ଭିଜିଲାନ୍ସ ଅଧିକାରୀମାନେ ଭବାନୀପାଟଣା ସ୍ୱତନ୍ତ୍ର ବିଚାରପତିଙ୍କ ଦ୍ୱାରସ୍ଥ ହୋଇଥିଲେ । କୋର୍ଟ ଅନୁମତି ପରେ ସୋମବାର ଦିନ ଚଢ଼ଉ ହୋଇଥିଲା ।

ସ୍ଥାବର ଅସ୍ଥାବର ସମ୍ପତ୍ତି ମଧ୍ୟରେ ରହିଛି, ଭୁବନେଶ୍ୱର ଗୋଠପାଟଣାରେ ଥିବା ମହାନଦୀ ଆପାର୍ଟମେଣ୍ଟ୍‌ରେ ୩ ବିଏଚ୍‌କେ ଫ୍ଲାଟ୍‌, ନବରଙ୍ଗପୁର ମାଝିଗୁଡ଼ା ଛକ ନିକଟସ୍ଥ ପାଦଲଗୁଡ଼ାରେ ଏକ ନିର୍ମାଣାଧୀନ କୋଠା, ଚନ୍ଦ୍ରଶେଖରପୁର ଏଲ୍‌ଆଇଜି ୧୦/୧ରେ ଘର, ନବରଙ୍ଗପୁର ସର୍କିଟ୍‌ ହାଉସ୍‌ ଆଗରେ ୧୪ ଶହ ବର୍ଗଫୁଟ୍‌ର ଏକ ସପିଂ କମ୍ପେ୍ଲକ୍ସରେ ଥିବା ୫ଟି ଦୋକାନ ଘର, ବିଜ୍ରାଗୁଡ଼ାଠାରେ ୪୦ ଏକରର ଫାର୍ମହାଉସ୍‌ । ଏସବୁ ତାଙ୍କ ନାଁରେ ରହିଛି ।

ଫାର୍ମ ହାଉସ୍‌ରେ ପ୍ରାୟ ୧ କୋଟି ଟଙ୍କା ବ୍ୟୟରେ ଡ୍ରିପ୍‌ ଇରିଗେସନ୍‌ ଜରିଆରେ ବିଭିନ୍ନ ପନିପରିବା ଚାଷ ଚାଲିଛି । ସେଭଳି ନବରଙ୍ଗପୁର ବ୍ଲକ ଫୋଟାକୋଟ ଗାଁରେ ୬ ଏକର ଜମିରେ ମଧ୍ୟ ଫାର୍ମ ହାଉସ୍‌ ରହିଛି । ସେଠାରେ ୪୬ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ଭିଜିଲାନ୍ସ ପ୍ରମାଣ ପାଇଛି । ନବରଙ୍ଗପୁରର ଅନ୍ୟ ସ୍ଥାନରେ ୨୭ ଏକର ଜମି ରହିଛି । ଭବାନୀପାଟଣା ଟାଉନ ପାଖରେ ୧୧ ଏକର ଜମି ହାତେଇଛନ୍ତି ବାବୁ । ତା’ଛଡ଼ା ବ୍ୟାଙ୍କରେ ୫୮ ଲକ୍ଷ ୪୧ ହଜାର ଟଙ୍କା, ଗୋଟିଏ ବେନାମୀ କାର୍‌, ୧ଟି ବାଇକ୍‌, ୩୧୨ ଗ୍ରାମ୍‌ ସୁନା ଅଳଙ୍କାର, ୯ ଲକ୍ଷ ଟଙ୍କାର ଦାମୀ ଗୃହଉପକରଣ ଠାବ ହୋଇଛି । ଏହାଛଡ଼ା ଦୟାନିଧିଙ୍କ ଧର୍ମଗଡ଼ ଥାନା ଅନ୍ତର୍ଗତ ବିକ୍ରମଗୁଡ଼ାଠାସ୍ଥିତ ଶ୍ୱଶୁର ଘରେ ମଧ୍ୟ ଭିଜିଲାନ୍ସର ଚଢ଼ଉ କରିଥିଲା । ଏହି ସମୟରେ ସେଠାରେ କିଛି କାଗଜପତ୍ର ଜବତ ହୋଇଛି । ଦୟାନିଧି ତାଙ୍କ ଅଧିକ ସମ୍ପତ୍ତି ପତ୍ନୀଙ୍କ ନାଁରେ କରିଥିବା ଜଣାପଡ଼ିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.