LIVE TV

ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ-୨୦୨୫ ଅବସରରେ ସପ୍ତମ ରାଜ୍ୟସ୍ତରୀୟ ଦୃଷ୍ଟିହୀନ ମହିଳା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

NEWS7
jio-financial-services-joins-hands-with-blackrock-will-start-broking-services

ଭୁବନେଶ୍ୱର: ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର ଏବଂ ଓଡ଼ିଶା ଦୃଷ୍ଟିହୀନ କ୍ରିକେଟ ସଂଘର ମିଳିତ ଆନୁକୂଲ୍ୟରେ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ କ୍ରିକେଟ ଷ୍ଟାଡିୟମ ଠାରେ ମଙ୍ଗଳବାର ଆୟୋଜିତ ୩-ଦିନିଆ ସପ୍ତମ ରାଜ୍ୟ ସ୍ତରୀୟ ଦୃଷ୍ଟିହୀନ ମହିଳା କ୍ରିକେଟ ଟୁର୍ଣ୍ଣାମେଂଟ ଉଦ୍ଘାଟିତ ହୋଇଯାଇଛି ।

ଉଦ୍ଘାଟନୀ ସମାରୋହରେ ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ଓ ସଶକ୍ତୀକରଣ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀମତି ରଜନୀ ଜାନୀ ମୁଖ୍ୟ ଅତିଥି ଭାବେ ଯୋଗ ଦେବା ସହିତ ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀ ଭାସ୍କର ରାଇତୋ, ଉପ-ଶାସନ ସଚିବ ଶ୍ରୀ ବସନ୍ତ ବେହେରା, ଉପ-ଶାସନ ସଚିବ, ଶ୍ରୀ ସନ୍ନ୍ୟାସୀ କୁମାର ବେହେରା, ଶିଶୁ ଓ ମହିଳା ବିକାଶ ସମିତିର ଅଧ୍ୟକ୍ଷା ମେଜର୍ ଡକ୍ଟର କଳ୍ପନା ଦାସ, ସୋଆର କ୍ରୀଡ଼ା ଅଧିକାରୀ ଶ୍ରୀମତି ସୁନୀତା ବର୍ମା ଓ ଶ୍ରୀ ପ୍ରମୋଦ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ । ଆନ୍ତର୍ଜାତିକ ଦୃଷ୍ଟିବାଧିତ କ୍ରିକେଟର ତଥା ଓଡ଼ିଶା ଦୃଷ୍ଟିହୀନ କ୍ରିକେଟ ସଂଘର ସଭାପତି ମହମ୍ମଦ ଜାଫର ଇକ୍ବାଲ ଉଦ୍ଘାଟନୀ ଉତ୍ସବ ପରିଚାଳନା କରିଥିଲେ ।

ଏହି ଟୁର୍ଣ୍ଣାମେଂଟରେ ୮ଟି ଦଳ ଯଥା-ସ୍କୁଲ ଫର୍ ଦି ବ୍ଲାଇଣ୍ଡ,ରାଣୀପାଟଣା ବାଲେଶ୍ୱର, ଲୁଇ ବ୍ରେଲ୍ ସ୍କୁଲ ଦୃଷ୍ଟିହୀନ ମହିଳା କ୍ରିକେଟ ଟିମ୍, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଭୁବନେଶ୍ୱର, ଶୈଳବାଳା ଦୃଷ୍ଟିହୀନ ମହିଳା କ୍ରିକେଟ ଟିମ୍, କଟକ, ରେଡକ୍ରସ ସ୍କୁଲ ଫର ଦ ବ୍ଲାଇଣ୍ଡ, ଆମ୍ବପୁଆ, ଗଞ୍ଜାମ, ମୟୁରଭଞ୍ଜ ଦୃଷ୍ଟିହୀନ ମହିଳା ଦଳ, ଭୀମଭୋଇ ଦୃଷ୍ଟିହୀନ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ବଲାଙ୍ଗୀର ଦୃଷ୍ଟିହୀନ କ୍ରିକେଟ ଦଳ ଭାଗ ନେଇଥିଲେ ।

ପ୍ରଥମ ଲିଗ ମ୍ୟାଚ୍ ବାଲେଶ୍ୱର ସ୍କୁଲ ଫର ଦ ବ୍ଲାଇଣ୍ଡ ରାଣୀପାଟଣା ଏବଂ ମୟୁରଭଞ୍ଜ ଦୃଷ୍ଟିହୀନ ମହିଳା ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଓ ଏଥିରେ ବାଲେଶ୍ୱର ବିଜୟ ଲାଭ କରିଥିଲା ।

ସେହିପରି ଦ୍ୱିତୀୟ ମ୍ୟାଚ ରମାଦେବୀ ବିଶ୍ୱବିଦ୍ୟାଳୟ ଏବଂ ସ୍କୁଲ ଫର ଦ ବ୍ଲାଇଣ୍ଡ, ଆମ୍ବପୁଆ ମଧ୍ୟରେ ହୋଇଥିବା ବେଳେ ରମାଦେବୀ ବିଶ୍ୱବିଦ୍ୟାଳୟ ବିଜୟ ଲାଭ କରିଥିଲା । ତୃତୀୟ ମ୍ୟାଚ ଲୁଇ ବ୍ରେଲ ସ୍କୁଲ ଓ ବଲାଙ୍ଗୀର ଦୃଷ୍ଟିହୀନ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଓ ଏଥିରେ ଲୁଇ ବ୍ରେଲ ସ୍କୁଲ ଭୁବନେଶ୍ୱର ବିଜୟ ଲାଭ କରିଥିଲା ।

ସେହିପରି ୪ର୍ଥ ମ୍ୟାଚ ଶୈଳବାଳା କଲେଜ କଟକ, ଓ ଭୀମଭୋଇ ସ୍କୁଲ ଭୁବନେଶ୍ୱର ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଏବଂ ଏଥିରେ ଶୈଳବାଳା କଲେଜ ବିଜୟ ଲାଭ କରିଥିଲା ।

ପଦ୍ମିନୀ ଟୁଡୁ, ରଚନା ଜେନା, ସୁକାନ୍ତି ଦଳପତି ଓ ବିନିତା ତପୋ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ମ୍ୟାଚର ଶ୍ରେଷ୍ଠ ଖେଳାଳୀ ଭାବେ ପୁରସ୍କୃତ ହୋଇଥିଲେ ।