ଧରୁନଥିଲେ ମୋବାଇଲ, କେବଳ ସେଲ୍ଫ ଷ୍ଟଡି...AIR-1 ଓମ୍‌ପ୍ରକାଶ ବେହେରାଙ୍କ ସକ୍‌ସେସ୍ ମନ୍ତ୍ର

Published By : Prameya-News7 Bureau | April 19, 2025 IST

ନୂଆଦିଲ୍ଲୀ ୧୯/୦୪: ପ୍ରକାଶ ପାଇଛି ଜେଇଇ ମେନ୍ ୨୦୨୫ ପରୀକ୍ଷା ଫଳ । ୨୪ ପରୀକ୍ଷାର୍ଥୀ ଶତ ପ୍ରତିଶତ ମାର୍କ ରଖି କୃତକାର୍ଯ୍ୟ ହୋଇଛନ୍ତି । ତେବେ ଟପ୍‌ରେ ଅଛନ୍ତି ଓଡ଼ିଶାର ଓମ୍ ପ୍ରକାଶ ବେହେରା । ସାଧାରଣ ପରିବାରରୁ ଆସିଥିବା ଓମ୍‌ପ୍ରକାଶ ରାଜ୍ୟ ତଥା ଦେଶ ପାଇଁ ଆଣିଛନ୍ତି ଗୌରବ । ଯେଉଁଠି କୋଟାରେ ଦୈନିକ ଛାତ୍ରଛାତ୍ରୀ ଜୀବନ ହାରୁଥିବା ଅଭିଯୋଗ ଆସେ । ସେଇଠୁ ପାଠ ପଢି ଓମ୍ ଏବେ ସବୁ ଚର୍ଚ୍ଚାରେ ପକାଇଛନ୍ତି ପୂର୍ଣ୍ଣଛେଦ । 

ପାଠ ପଢାଇବାକୁ ଛାଡିବାକୁ ଡରୁଥିବା ବାପା ମାଆଙ୍କ ପାଇଁ ମନରୁ ଡର କାଢିବାରେ ହୋଇଛନ୍ତି ସମର୍ଥ । ଅନେକ ବାଧାବିଘ୍ନକୁ ପାର୍ କରି ସଫଳ ଓମ୍‌ପ୍ରକାଶଙ୍କ କାହାଣୀ ଥିଲା ବେଶ୍ ସଂଘର୍ଷପୂର୍ଣ୍ଣ । ଆର୍ଥିକ ଅନଟନ ନହେଲେ ବି ଜୀବନର ସୁଖ ସ୍ୱାଚ୍ଛନ୍ଦ୍ୟକୁ ଦେଇଥିଲେ ବଳିଦାନ । ଆସନ୍ତୁ ଜାଣିବା କେମିତି ଥିଲା ତାଙ୍କର ସଫଳାତର ଯାତ୍ରା ।  

୨୦୦୮, ଜାନୁୟାରୀ ୧୨ରେ ଓମ୍ ପ୍ରକାଶଙ୍କ ବେହେରାଙ୍କ ଜନ୍ମ । ବାପା କମଳକାନ୍ତ ବେହେରା ଓଡ଼ିଶା ପ୍ରଶାସନିକ ସେବାରେ କାର୍ଯ୍ୟରତ । ମାଆ ସ୍ମିତା ପେଶାରେ ଜଣେ ଅଧ୍ୟାପିକା । ହେଲେ ଓମ୍‌ଙ୍କ ପାଠପଢା ପାଇଁ ମାଆ ଚାକିରି ଜୀବନରୁ ନେଇଥିଲେ ୩ ବର୍ଷ ବ୍ରେକ୍ । ରାଜସ୍ଥାନ କୋଟାରେ ପୁଅ ଟ୍ରେନିଂ ନେବ ବୋଲି ସେଠି ରହି ଦେଖା ଚାହାଁ କରୁଥିଲେ । ଘର ଦ୍ୱାର ଛାଡି ମାଆ ପୁଅ କୋଟାରେ ରହୁଥିଲେ । ପିଲାଟି ଦିନରୁ ମେଧାବୀ ଛାତ୍ର ଥିଲେ ଓମ୍ ପ୍ରକାଶ । 

ଦଶମ ପରୀକ୍ଷାରେ ୯୨% ମାର୍କ ରଖି ବାପା ମାଆଙ୍କ ଟେକ ରଖିଥିଲେ । ପରେ କୋଟା ଆଲେନରେ ଭର୍ତ୍ତି ହୋଇଥିଲେ କୋଚିଂ ପାଇଁ । ପାଖାପାଖି ୩ ବର୍ଷ ଧରି ଜେଇଇ ପାଇଁ କରିଥିଲେ ପ୍ରସ୍ତୁତି । ଦିନକୁ ୮ ରୁ ୯ଘଣ୍ଟା ପଢୁଥିଲେ ପାଠ । ତେବେ ପରିଶ୍ରମ ଆଗରେ ହାର୍‌ ମାନିଥିଲା ଡିଜିଟାଲ୍ ଦୁନିଆ । କାରଣ ୩ ବର୍ଷ ପାଇଁ ମୋବାଇଲକୁ ଜୀବନରୁ ଦେଇଥିଲେ ଦୂରେଇ ।

ଏବେ ୨୦୨୫ ଜେଇଇ ମେନ୍ ସେସନ୍‌ରେ ସେ ଓଡ଼ିଶାରୁ ଅଲ ଇଣ୍ଡିଆ ରାଙ୍କ-୧ ହାସଲ କରିଛନ୍ତି । ୩୦୦ରୁ ରଖିଛନ୍ତି ୩୦୦ ମାର୍କ । କଠିନ ପରିଶ୍ରମ, ଅନୁଶାସନ ଓ ପାଠ ପଢା ପ୍ରତି ସମର୍ପଣ ଭାବ ବଳରେ ଏହି ସଫଳତା ହାସଲ କରିଛନ୍ତି ଓମ୍ ପ୍ରକାଶ । ତାଙ୍କ କହିବା କଥା ବାପାମାଆଙ୍କ ସମର୍ଥନ ଓ ଆଶୀର୍ବାଦ ତାଙ୍କ ସଫଳତାର ପ୍ରକୃତ କାରଣ ।



News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.