ଜେଇଇ ମେନ୍ ରେଜଲ୍ଟ ପ୍ରକାଶ, ଏନଟିଏ ୱେବସାଇଟ୍‌ରେ ପରୀକ୍ଷା ଫଳ ଉପଲବ୍ଧ

Published By : Prameya-News7 Bureau | April 19, 2025 IST

ଭୁବନେଶ୍ୱର ୧୯/୦୪: ପ୍ରକାଶ ପାଇଛି ନେସନାଲ ଟେଷ୍ଟିଂ ଏଜେନ୍ସି(ଏନଟିଏ) ଜେଇଇ ମେନ ସେସନ-୨ ରେଜଲ୍ଟ ଘୋଷଣା । ପରୀକ୍ଷାର୍ଥୀ ସେମାନଙ୍କ ପରୀକ୍ଷା ଫଳ ବର୍ତ୍ତମାନ ସିଧାସଳଖ ଏନଟିଏର ୱେବସାଇଟରେ ଦେଖିପାରିବେ। ତେବେ ୨୪ ଜଣ ଛାତ୍ରଛାତ୍ରୀ ଶତ ପ୍ରତିଶତ ମାର୍କ ରଖି କୃତକାର୍ଯ୍ୟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୨ଜଣ ଛାତ୍ର ଓ ୨ଜଣ ଛାତ୍ରୀ ରହିଛନ୍ତି । ଓଡ଼ିଶାରୁ ଓମ୍ ପ୍ରକାଶ ବେହେରା ଟପ୍ପର ହୋଇଛନ୍ତି । ଓଡ଼ିଆ ସମେତ ୧୩ଟି ଭାଷାରେ ପରୀକ୍ଷା ଦେଇଥିଲେ ଛାତ୍ରଛାତ୍ରୀ । ପରୀକ୍ଷାର୍ଥୀ ସେମାନଙ୍କ ପରୀକ୍ଷା ଫଳ ବର୍ତ୍ତମାନ ସିଧାସଳଖ ଏନଟିଏର ୱେବସାଇଟ Jeemain.nta.nic.inରେ ଦେଖିପାରିବେ ।

ପ୍ରକାଶିତ ରେଜଲ୍ଟରେ ୨୪ ଜଣ ଛାତ୍ରଛାତ୍ରୀ ୧୦୦ ପ୍ରତିଶତ ମାର୍କ ରଖିଛନ୍ତି । ସେମାନଙ୍କ ମଧ୍ୟରୁ ରାଜସ୍ଥାନରୁ ସର୍ବାଧିକ ୭ ଜଣ ଟପ୍ପର ହୋଇଛନ୍ତି । ମହାରାଷ୍ଟ୍ର ଏବଂ ତେଲେଙ୍ଗାନାରୁ ୪ ଜଣ, ଉତ୍ତରପ୍ରଦେଶରୁ ୩ଜଣ, ପଶ୍ଚିମବଙ୍ଗରୁ ୨ଜଣ ଏବଂ ଗୁଜରାଟ, ଦିଲ୍ଲୀ, କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶରୁ ଜଣେ ଲେଖାଏଁ ଛାତ୍ରଛାତ୍ରୀ ରହିଛନ୍ତି । ଟପ୍ପରଙ୍କ ମଧ୍ୟରେ ଦୁଇଜଣ ଛାତ୍ରୀ ରହିଛନ୍ତି । ପଶ୍ଚିମବଙ୍ଗର ଦେବଦତ୍ତ ମାଝୀ ଓ ଆନ୍ଦ୍ରପ୍ରଦେଶରୁ ସାଇ ମାନୋଗନା ଗୁଠିକୋଣ୍ଡା ରହିଛନ୍ତି ।

ଦୁଇଟି ପର୍ଯ୍ୟାୟରେ ଜାନୁଆରୀରୁ ଏପ୍ରିଲ ଯାଏଁ ଜେଇଇ ମେନ୍ ପରୀକ୍ଷା ହୋଇଥିଲା । ଦୁଇଟି ସେସନ୍‌ରେ ମୋଟ ୧୫,୩୯,୮୪୮ ଛାତ୍ରଛାତ୍ରୀ ରେଜିଷ୍ଟ୍ରେସନ୍ କରିଥିଲେ । ୧୪,୭୫,୧୦୩ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ଜାନୁଆରୀରରେ ହୋଇଥିବା ସେସନ୍‌ରେ ୧୨,୫୮,୧୩୬ ଛାତ୍ରଛାତ୍ର ପରୀକ୍ଷା ଦେଇଥିବାବେଳେ ଏପ୍ରିଲରେ ୯,୯୨,୩୫୦ ଜଣ ପରୀକ୍ଷା ଦେଇଥିଲେ । ଏହି କମ୍ପ୍ୟୁଟର ବେସ୍‌ଡ ପରୀକ୍ଷା ୧୩ଟି ଭାଷାରେ ୩୦୦ ସହରରେ ହୋଇଥିଲା । ସେଥିରୁ ଦୁବାଇ, ସିଙ୍ଗାପୁର, ଦୋହା ଓ ୱାସିଂଟନ ଡିସି ଅନ୍ତର୍ଜାତୀୟ ପରୀକ୍ଷା କେନ୍ଦ୍ର ଥିଲା ।

ପରୀକ୍ଷାରେ EWS ବର୍ଗ ପରୀକ୍ଷାର୍ଥୀଙ୍କ ପାଇଁ ୮୦. ୩୮ କଟ୍‌ଅଫ୍ ରହିଛି । ସେହିପରି ଓବିସି ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ୭୯.୪୩ କଟଅଫ୍ ଥିବାବେଳେ ଏସ୍‌ସି ଓ ଏସ୍‌ଟିଙ୍କ ପାଇଁ ଯଥାକ୍ରମେ ୬୧.୧୫ ଓ ୪୭.୯୦ କଟ୍‌ଅଫ୍ ରହିଥିଲା । ଏପ୍ରିଲ ୨ରୁ ୯ ଯାଏ ଜେଇଇ ମେନ୍‌ର ଦ୍ବିତୀୟ ସେସନ୍‌ ହୋଇଥିଲା । ଯଦି କୌଣସି ଛାତ୍ରଛାତ୍ରୀଙ୍କୁ ଆଇଆଇଟି ପରି ଉଚ୍ଚ ଶିକ୍ଷା ସଂସ୍ଥାରେ ପଢିବାକୁ ହେଲେ ଜେଇଇ ମେନ୍ ପରୀକ୍ଷା ଦେବାକୁ ପଡିଥାଏ ।


ରେଜଲ୍ଟ କିପରି ଚେକ କରିବେ ଜାଣନ୍ତୁ...

ଆପଣ Jeemain.nta.nic.in ୱେବସାଇଟ ପରିଦର୍ଶନ କରନ୍ତୁ। ସେସନ ୧ ସ୍କୋର କାର୍ଡ ଡାଉନଲୋଡ ଲିଙ୍କରେ କ୍ଲିକ କରନ୍ତୁ। ଆବଶ୍ୟକ ତଥ୍ୟ ଦେଇ ସାଇଟରେ ଲଗ୍-ଇନ କରନ୍ତୁ। ଏହାପରେ ଆପଣ ନିଜ ରେଜଲ୍ଟ ଦେଖିପାରିବା ସହ ଡାଉନଲୋଡ ମଧ୍ୟ କରିପାରିବେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.