କମୁଛି ଜନ୍ମହାର,ସରକାରଙ୍କୁ ଘାରିଲା ଚିନ୍ତା; ପିଲା ଜନ୍ମ କରିବାକୁ ୨୫ ହଜାର ଟଙ୍କା ଦେବେ ସରକାର

NEWS7
jayaprakash-topped-the-nilagiri-sub-division-with-a-1-grade-in-matric-exam

ଅମରାବତୀଆନ୍ଧ୍ରପ୍ରଦେଶରେ କମୁଛି ଜନ୍ମହାର। ଆଗକୁ ସ୍ଥିତି ସଂକଟାପନ୍ନ ହେବା ପୂର୍ବରୁ ଏବେଠୁ ଅଣ୍ଟା ଭିଡ଼ିଲେଣି ରାଜ୍ୟ ସରକାର। ପିଲା ଜନ୍ମ କରିବା ପାଇଁ ଆନ୍ଧ୍ରପ୍ରଦେଶ ସରକାର ପ୍ରୋତ୍ସାହନ ରାଶି ଦେବାକୁ ଚିନ୍ତା କରୁଛନ୍ତି। ଏନେଇ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ ଗୁରୁବାର ସୂଚନା ଦେଇଛନ୍ତି। ହ୍ରାସ ପାଉଥିବା ଜନ୍ମ ହାରକୁ ବୃଦ୍ଧି କରିବା ପାଇଁ ଦ୍ୱିତୀୟ ସନ୍ତାନ ପରଠାରୁ ଦମ୍ପତିଙ୍କ ପାଇଁ ୨୫,୦୦୦ ଟଙ୍କାର ପ୍ରୋତ୍ସାହନ ରାଶି ଦିଆଯିବାକୁ ବିଚାର କରାଯାଉଛି ବୋଲି ନାଇଡୁ କହିଛନ୍ତି। 

ବିଧାନସଭାରେ ଉଦବୋଧନ ଦେଇ ନାଇଡୁ କହିଛନ୍ତି ଯେ ବର୍ତ୍ତମାନ ଆନ୍ଧ୍ରପ୍ରଦେଶରେ ମୋଟ ଜନ୍ମହାର ୧.୫ ହାରରେ ରହିବା ସହ ରିପ୍ଲେସ୍ମେଣ୍ଟ ଲେବଲର ତଳେ ରହିଛି। ତେଣୁ ରାଜ୍ୟ ସରକାର ମୋଟ ପ୍ରଜନନ ହାର (TFR)କୁ ବର୍ତ୍ତମାନର ୧.୫ ରୁ ୨.୧ କୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି “ଆମେ ଏକ ନୂଆ ପଦ୍ଧତି ଉପରେ ବିଚାର କରୁଛୁ। ଆମେ ଦ୍ୱିତୀୟ ସନ୍ତାନ କିମ୍ବା ତା’ଠାରୁ ଅଧିକ ସନ୍ତାନ ଜନ୍ମ କରୁଥିବା ପିତାମାତାଙ୍କୁ ପ୍ରସବ ସମୟରେ ୨୫,୦୦୦ ଟଙ୍କା ଦେବୁ। ଏହା ଏକ ବଡ଼ ପରିବର୍ତ୍ତନ ଆଣିବ। ଯଦି ଆମେ ଏହା କରିପାରିବା, ତେବେ ଏହା ବହୁତ ଉପଯୋଗୀ ହେବ।”

ଜନସଂଖ୍ୟା ପରିଚାଳନାର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରି ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ବୟସ୍କ ଜନସଂଖ୍ୟା ଯୋଗୁ ଅନେକ ଦେଶ ବର୍ତ୍ତମାନ ବଡ଼ ଆହ୍ୱାନର ସମ୍ମୁଖୀନ ହେଉଛନ୍ତି। ତେଣୁ ସରକାର ମାର୍ଚ୍ଚ ଶେଷ ସୁଦ୍ଧା ଜନସଂଖ୍ୟା ପରିଚାଳନା ଉପରେ ଏକ ନୀତି ଆଣିବାକୁ ଏବଂ ଏପ୍ରିଲରୁ ଏହାକୁ କାର୍ଯ୍ୟକାରୀ କରିବାକୁ ଯୋଜନା କରୁଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡୁ କହିଛନ୍ତି।