ନୀଳଗିରି: ପ୍ରକାଶ ପାଇଛି ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ଫଳ। ଚଳିତବର୍ଷ ରେଗୁଲାର ଛାତ୍ରଙ୍କ ପାସ୍ ହାର ୯୪ ପ୍ରତିଶତ ଥିବାବେଳେ ଛାତ୍ରୀଙ୍କ ପାସ୍ ହାର ରହିଛି ୯୬ ପ୍ରତିଶତ। ଯେଉଁଥିରେ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖି ଏ-୧ ଗ୍ରେଡରେ ପାସ୍ କରିଛନ୍ତି ୧୮୧୨ ଜଣ ଛାତ୍ରଛାତ୍ରୀ । ଆଉ ଏହି ଗ୍ରେଡରେ ସ୍ଥାନ ପାଇ ନୀଳଗିରି ଉପଖଣ୍ଡ ଟପ୍ପର ହୋଇଛନ୍ତି ବାଲେଶ୍ବର ବାଲିପାଳ ଗ୍ରାମର ଜୟପ୍ରକାଶ ବେହେରା।
ବାଲିପାଳ ଗ୍ରାମର କମଳାକାନ୍ତ ବେହେରା ଏବଂ ସୁମତୀ ବେହେରାଙ୍କ ପୁଅ ଜୟପ୍ରକାଶ ୫୬୦ ନମ୍ବର ରଖି ନୀଳଗିରି ଉପଖଣ୍ଡ ଟପ୍ପର ହୋଇଛନ୍ତି। ଶନିବାର ତାଙ୍କୁ ବିଦ୍ୟାଳୟ ତରଫରୁ ସମ୍ବର୍ଦ୍ଧିତ କରିବା ସହ ମିଠା ଖୁଆଇ ତାଙ୍କର ଉଜ୍ଜ୍ବଳ ଭବିଷ୍ୟତ କାମନା କରିଛନ୍ତି। ୧୦ ଘଣ୍ଟାର ପରିଶ୍ରମ ଓ ସମସ୍ତଙ୍କ ଆଶୀର୍ବାଦ ପାଇଁ ଆଜି ଏଭଳି ସଫଳତା ପାଇଥିବା କହିଛନ୍ତି ଜୟପ୍ରକାଶ।
ନୀଳଗିରି ବ୍ଲକରେ ମୋଟ ୪୧ ଗୋଟି ସ୍କୁଲର ୧୯୭୨ ପିଲା ପରୀକ୍ଷା ପାଇଁ ଆବେଦନ କରିଥିବା ବେଳେ ୧୯୩୭ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ମୋଟ ୧୨ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ହୋଇଥିବା ବେଳେ ଚଳିତ ପରୀକ୍ଷାରେ ଏ-୧ରେ ମୋଟ ୯ ଜଣ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ନୀଳଗିରି ବ୍ଲକ ଅଧୀନ ଅଯୋଧ୍ୟା ନୋଡାଲ ହାଇସ୍କୁଲରେ ଜଣେ ଛାତ୍ର ନୀଳଗିରି ଉପଖଣ୍ଡ ଟପ୍ପର ହୋଇ ଅଞ୍ଚଳ ପାଇଁ ଆଣିଛନ୍ତି ଗର୍ବ।