ମଞ୍ଜୁଶ୍ରୀଙ୍କ ଚିକିତ୍ସା ପାଇଁ ମଞ୍ଚରୁ ଭିକ୍ଷା ମାଗିଲେ ନାଟ୍ୟ ନିର୍ଦ୍ଦେଶକ

Published By : Prameya-News7 Bureau | May 27, 2025 IST

ବ୍ରହ୍ମପୁର: ମହିଳା କଳାକାରଙ୍କ ଚିକିତ୍ସା ପାଇଁ ମଞ୍ଚରେ ଭିକ୍ଷା ମାଗିଲେ ନାଟ୍ୟ ନିର୍ଦ୍ଦେଶକ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ମର୍ଦମେଖ ଗ୍ରାମରେ। ଯାହା ଏବେ ଚର୍ଚ୍ଚାର କାରଣ ପାଲଟିଛି। 

ସୂଚନା ଅନୁସାରେ, ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ମର୍ଦମେଖ ଗ୍ରାମରେ ସୋମବାର ରାତିରେ ସ୍ଥାନୀୟ କଳାକାରମାନେ ଅପେରା "କାନ୍ଦୁଛି କେବଳ ଟୋରି ପାଇଁ" ମଞ୍ଚସ୍ଥ କରିଥିଲେ। ଏହି ନାଟକର ନିର୍ଦ୍ଦେଶନା ଦେଇଥିଲେ ଓଡ଼ିଶା ନାଟ୍ୟ ନିର୍ଦ୍ଦେଶକ ସଂଘ ଗଂଜାମ ଜିଲ୍ଲା ଶାଖାର ଯୁବ ଓ ଅଭିଜ୍ଞ ନାଟ୍ୟ ନିର୍ଦ୍ଦେଶକ ସୁଶାନ୍ତ ପଟ୍ଟନାୟକ। 

ତେବେ ନାଟକ ଆରମ୍ଭରୁ ପରିବେଷଣ ହୋଇଥିବା ମେଲୋଡିରେ ସୁଶାନ୍ତ ପଟ୍ଟନାୟକ, "କିଏ କେବେ ଦେଖିଛ କି କଳାକାର କାନ୍ଦିବାର" ଗୀତରେ ଅଭିନୟ କରିବା ସହ, ଏହି ଗୀତରେ ଅଭିନୟ କରି ହିଁ କିଡନୀ ହରାଇ ଅର୍ଥାଭାବରୁ ନିଜର ଚିକିତ୍ସା କରିପାରୁନଥିବା ଯାତ୍ରା ଜଗତର କଣ୍ଠଶିଳ୍ପୀ ମଞ୍ଜୁଶ୍ରୀଙ୍କ ଚିକିତ୍ସା ପାଇଁ ଭିକ୍ଷା ମାଗିଥିଲେ।

ତାଙ୍କର ନିଖୁଣ ଅଭିନୟ ସହ ଏଭଳି ମହତ କାମକୁ ପ୍ରଶଂସା କରିବା ସହ ମଞ୍ଜୁଶ୍ରୀଙ୍କ ଚିକିତ୍ସା ପାଇଁ ସହାୟତା କରିଥିଲେ। ତେବେ ଏଠାରୁ ପ୍ରାୟ ୧୬,୮୬୫ ଟଙ୍କାର ସହାୟତା ମିଳିଥିବାବେଳେ କଣ୍ଠ ଶିଳ୍ପୀ ମଞ୍ଜୁଙ୍କ ଚିକିତ୍ସା ପାଇଁ ଅନ୍ୟମାନେ ମଧ୍ୟ ସାହାଯ୍ୟ କରିବାକୁ ଆଗେଇ ଆସନ୍ତୁ ବୋଲି କହିଛନ୍ତି ନାଟ୍ୟ ନିର୍ଦ୍ଦେଶକ ସୁଶାନ୍ତ ପଟ୍ଟନାୟକ। 

ସେପଟେ ନିର୍ଦ୍ଦେଶକ ସୁଶାନ୍ତ ପଟ୍ଟନାୟକଙ୍କ ଏଭଳି ଉଦ୍ୟମକୁ ଭୁୟସୀ ପ୍ରଶଂସା କରିଛନ୍ତି ଜିଲ୍ଲା ନାଟ୍ୟ ନିର୍ଦ୍ଦେଶକ ସଂଘର ସଭାପତି ରାଜ ଗୋପାଳ ପାଢ଼ୀ ଓ ପୁରା ଟିମ। ଆମ ନିର୍ଦ୍ଦେଶକ ସଂଘ ପାଇଁ ଏହା ଗର୍ବର ବିଷୟ ବୋଲି ପାଢ଼ୀ କହିବା ସହ ନିର୍ଦ୍ଦେଶକ ସୁଶାନ୍ତ ପଟ୍ଟନାୟକଙ୍କୁ  ସାଧୁବାଦ ଜଣାଇଛନ୍ତି।

ଆଉ କିଛିଦିନ ତଳେ ରମ୍ଭା ଚନ୍ଦନ ଯାତ୍ରା ଭଳି ଏକ ପବିତ୍ର ଓ ଆଧ୍ୟାତ୍ମିକ ପରିବେଶରେ ଚାଲିଥିବା ଅପେରାରେ ଜଣେ ଆଇଟମ ଗାର୍ଲ ଅର୍ଦ୍ଧ ଉଲଗ୍ନ ହୋଇ ନାଚି କଳାକାର, ମଞ୍ଚ ଓ ସଭ୍ୟ ସମାଜକୁ ନିନ୍ଦିତ କରିଥିବା ବେଳେ ବର୍ତ୍ତମାନ ଅପେରା ମଞ୍ଚରେ ଜଣେ ନାଟ୍ୟ ନିର୍ଦ୍ଦେଶକ ଜଣେ ମହିଳା କଳାକାରଙ୍କ ଚିକିତ୍ସା ପାଇଁ ଗୀତର ତାଳେ ତାଳେ ଭିକ୍ଷା ମାଗି ପଇସା ଯୋଗାଡ଼ କରିବା ପୁଣି ଚର୍ଚ୍ଚାରେ ରହିଛି।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.