ଭୁବନେଶ୍ବର: ଯାତ୍ରା କଳାକାରଙ୍କୁ ନ୍ୟାୟ ଭିକ୍ଷା କରି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟିଲେ ଅଭିନେତା ତଥା ଯାତ୍ରା କଳାକାର ଓ କର୍ମଚାରୀ ସଂଘ ସଭାପତି ବାପି ପଣ୍ଡା। ତାଙ୍କ ସହ ହାସ୍ୟ ଅଭିନେତା ନରି ପଣ୍ଡା ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି । ଯାଜପୁର ଏସପି ଘଟଣାର ତଦନ୍ତ କରିବେ ବୋଲି ସେମାନଙ୍କୁ ଆଶ୍ବାସନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହା ପରେବି କୌଣସି ଅସୁବିଧା ହେଲେ ବ୍ୟକ୍ତିଗତ ଭାବେ ଫୋନ୍ କରି ଜଣାଇବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ। ଯାତ୍ରା କଳାକାରଙ୍କୁ ନେଇ ସୃଷ୍ଟି ହୋଇଥିବା ସମସ୍ୟାର ଖୁବ୍ ଶୀଘ୍ର ସମାଧାନ ହେବ ବୋଲି କହିଥିଲେ ।
ସେପଟେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ନରି ପଣ୍ଡା କହିଛନ୍ତି, ‘‘ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ମୁଁ ଖୁସି। ଆମ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି, ସାହସ ଦେଇଛନ୍ତି, ନରି ପଣ୍ଡା ନ୍ୟାୟ ପାଇବ। ମୋର ଆଇନ ଉପରେ ଭରସା ଅଛି।’’
ସେହିଭଳି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ବାପି ପଣ୍ଡାଙ୍କ ପ୍ରତିକ୍ରିୟା ଦେଇ କହିଛନ୍ତି ‘‘ ମୁଖ୍ୟମନ୍ତ୍ରୀ କହିଛନ୍ତି ନରି ପଣ୍ଡାଙ୍କୁ ନ୍ୟାୟ ମିଳିବ। ମୁଖ୍ୟମନ୍ତ୍ରୀ ଯାଜପୁର ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କଣ କରାଯାଇପାରିବ । ମୋ ଉପରେ ଭରସା ରଖନ୍ତୁ ବୋଲି ଆଶ୍ଵାସନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ। କିଛି ସମସ୍ୟା ହେଲେ ଜଣାଇବାକୁ କହିଛନ୍ତି। ମୁଖ୍ୟମନ୍ତ୍ରୀ ଆଶ୍ଵାସନା ଦେବା ପରେ ଏବେ ଆଶ୍ବସ୍ତ ବୋଲି କହିଲେ ବାପି ପଣ୍ଡା। ନିଜ ଜୀବନ ପ୍ରତି ବିପଦ ଥିବା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କଲେ ବାପି ପଣ୍ଡା। ମୁଖ୍ୟ ମନ୍ତ୍ରୀ FIR ଦେବାକୁ କହିଲେ ବୋଲି କହିଛନ୍ତି ବାପି ପଣ୍ଡା। କୌଣସି ସମସ୍ୟା ହେଲେ ତାଙ୍କ ବ୍ୟକ୍ତିଗତ ନମ୍ବରରେ ଯୋଗାଯୋଗ ପାଇଁ କହିଲେ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ଯାତ୍ରା ପ୍ରେମୀ। ତେଣୁ ଆମ କଥାକୁ ଗୁରୁତର ସହକାରେ ନେଇଛନ୍ତି।’’
ସୂଚନାଥାଉକି, ଯାତ୍ରା କଳାକାର ତଥା ହାସ୍ୟ ଅଭିନେତା ନରି ପଣ୍ଡା ଆଗାମୀ ଯାତ୍ରା ଋତୁ ୨୦୨୫- ୨୬ ପାଇଁ ତୁଳସୀ ଗଣନାଟ୍ୟକୁ ଯିବା ପାଇଁ ୧୬ ଲକ୍ଷ ଟଙ୍କାରେ ଏଗ୍ରିମେଣ୍ଟ କରିଥିଲେ। ସେ ଦୁଇଟି ପର୍ଯ୍ୟାୟରେ ୧୦ ଲକ୍ଷ ଟଙ୍କା ନେଇଥିବା ବେଳେ ଆଉ ଅବଶିଷ୍ଟ ଟଙ୍କା ପାଇଁ ତୁଳସୀ ଗଣନାଟ୍ୟ ମାଲିକ ଅନନ୍ତ ନାରାୟଣ ଧଳଙ୍କୁ ଫୋନ କରିବାରୁ ସେ ଫୋନରେ ତାଙ୍କୁ ଆଉ ତାଙ୍କ ପତ୍ନୀଙ୍କୁ ଖରାପ ବ୍ୟବହାର କରିଥିବା ନରି ପଣ୍ଡା ଅଭିଯୋଗ କରିଥିଲେ। ଖାଲି ସେତିକି ନୁହେଁ ନରି ପଣ୍ଡାଙ୍କୁ ତୁଳସୀ ଗଣନାଟ୍ୟର ମାଲିକ ମାଡ଼ ମଧ୍ୟ ଅଭିଯୋଗ କରିଥିଲେ ନରି।
ଅନ୍ୟ ପକ୍ଷରେ ନରି ପଣ୍ଡା କରିଥିବା ଅଭିଯୋଗ ବିରୁଦ୍ଧରେ ଆଇନର ଆଶ୍ରୟ ନେବେ ବୋଲି କହିଥିଲେ ଯାତ୍ରା ମାଲିକ ଅନନ୍ତ ନାରାୟଣ ଧଳ। ସେ କହିଥିଲେ ପୋଲିସ ମଧ୍ୟ ସିସିଟିଭି ଯାଞ୍ଚ କରିଛି। ମାଡ଼ ମରାଯିବା ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ। ଟଙ୍କା ନେଇଛନ୍ତି କାମ କରିବା ପାଇଁ ସେ କାମ କରନ୍ତୁ ନହେଲେ ସେ ଆଇନର ଆଶ୍ରୟ ନେବେ ବୋଲି କହିଥିଲେ ଯାତ୍ରା ମାଲିକ ଅନନ୍ତ ନାରାୟଣ ଧଳ। ଆଉ ଏହି ବିବାଦ ଏପର୍ଯ୍ୟନ୍ତ ସମାଧାନ ହୋଇପାରିନାହିଁ।
ସେହିଭଳି କିଛି ଦିନ ତଳେ ଯାତ୍ରାରେ ଚାଲିଥିବା ବିବାଦ ସଂପର୍କରେ କଳାକାର ମହାଂସଘ ଉପଦେଷ୍ଟା ବାପି ପଣ୍ଡା କହିଥିଲେ ଯେ, ଯାତ୍ରା କାହାର ପୈତୃକ ସଂପତ୍ତି ନୁହେଁ ଯେ, କଳାକାରଙ୍କୁ ବ୍ୟାନ୍ କରିଦେବେ । କଳାକାର ଚାହିଁଲେ ଯାତ୍ରା ଅନୁଷ୍ଠାନ ବନ୍ଦ ହୋଇଯିବ। ବିନା କାରଣ ଦର୍ଶାଅ ନୋଟିସରେ କେମିତି ବ୍ୟାନ୍ କରିଦେଲେ। ନରି ପଣ୍ଡା ଓ ପ୍ରତାପ ମହାନ୍ତିଙ୍କୁ ବ୍ୟାନ୍ କଲେ କେମିତି। ଆଜିର ଦିନରେ କଳାକାର ସୁରକ୍ଷିତ ନୁହଁନ୍ତି ବୋଲି କହିଥିଲେ। ଯାହା ପରେ ବାପି ପଣ୍ଡାଙ୍କୁ ଟାର୍ଗେଟ୍ କରିଥିଲେ ରାଜଧାନୀ ଓ ପାର୍ବତୀ ଗଣନାଟ୍ୟର ପରିଚାଳକ ଜଗତ ଜୀବନ ପଣ୍ଡା ।