ୱାକଫ ଆଇନକୁ ନେଇ J-K ବିଧାନସଭାରେ ହାତାହାତି ପରିସ୍ଥିତି, AAP ଓ BJP ବିଧାୟକ ମୁହାଁମୁହିଁ

Published By : Prameya-News7 Bureau | April 09, 2025 IST

ନୂଆଦିଲ୍ଲୀ ୦୯/୦୪: ଜାମ୍ମୁ-କାଶ୍ମୀର ବିଧାନସଭାରେ ହଙ୍ଗାମା । ଓ୍ୱାକଫ୍ ଆଇନ୍‌କୁ ନେଇ ପୁଣି ଥରେ ପ୍ରବଳ ହଟ୍ଟଗୋଳ । ଭାରତୀୟ ଜନତା ପାର୍ଟି ଓ ଆମ ଆଦମୀ ପାର୍ଟିର ବିଧାୟକଙ୍କ ମଧ୍ୟରେ ହୋହଲ୍ଲା ପରିସ୍ଥିତି । ସ୍ଥିତି ଏମିତି ହୋଇଛି ଯେ, କଥା ହାତାହାତି ଯାଏଁ ପଳେଇଛି । ଉଭୟ ପକ୍ଷର ନେତାମାନେ ପରସ୍ପର ବିରୋଧରେ ଜାରି ରଖିଥିଲେ ଆରୋପ ପ୍ରତ୍ୟାରୋପ । ଏହାସହ ନ୍ୟାସନାଲ କନଫରେନ୍ସ ବିଧାୟକମାନେ ସ୍ଲୋଗାନ ବି ଦେଇଥିଲେ । ଏନସି ବିଧାୟକମାନେ ଗୃହର ମଧ୍ୟଭାଗକୁ ଆସି ୱାକଫ ଆଇନ ଉପରେ ଆଲୋଚନା କରିବାକୁ ଦାବି କରିଥିଲେ।

ନ୍ୟାସନାଲ କନଫରେନ୍ସ ଦାବି କରିଛି ଯେ ୱାକଫ ଆଇନ ଉପରେ ଆଲୋଚନା ହେବା ଉଚିତ । ତେବେ ଭାରତୀୟ ଜନତା ପାର୍ଟିର ବିଧାୟକମାନେ ଏହାକୁ ବିରୋଧ କରିଥିଲେ । ସେମାନେ କହିଥିଲେ ଯେ ଆଲୋଚନା ହେବାକୁ ଦିଆଯାଉନି । ୱାକଫ ଆଇନ ଉପରେ ଆଲୋଚନା ପାଇଁ ଗୃହକୁ ମୁଲତବୀ ରଖିବାକୁ ମନା କରିବାରୁ ହଟ୍ଟଗୋଳ ମଧ୍ୟରେ ଜମ୍ମୁ-କାଶ୍ମୀର ବିଧାନସଭାକୁ ତିନି ଘଣ୍ଟା ପାଇଁ ମୁଲତବୀ ରଖାଯାଇଛି।


ସେପଟେ ବିଧାନସଭା ବାହାର ପ୍ରବେଶ ପଥରେ ବିଜେପି ଓ ଆପ ବିଧାୟକଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଏହି ସମୟରେ, ଠେଲାପେଲି ଓ ହାତାହାତି ହୋଇଥିଲା। ବିଧାନସଭା ଭିତରେ ଆପ୍ ନେତାମାନେ ବିବାଦୀୟ ମନ୍ତବ୍ୟ ଦେଉଥିବାର ବିଜେପି ନେତାମାନେ ଅଭିଯୋଗ କରିଛନ୍ତି । ବିଜେପି ବିଧାୟକମାନେ କହିଛନ୍ତି ଯେ ଗଣମାଧ୍ୟମ ସହ କଥାବାର୍ତ୍ତା ସମୟରେ ସେମାନେ ହିନ୍ଦୁମାନଙ୍କ ବିରୋଧରେ ଅପମାନଜନକ ଭାଷା ବ୍ୟବହାର କରୁଥିଲେ । ବିଧାନସଭା କାର୍ଯ୍ୟ ଦେଖିବାକୁ ଆସିଥିବା ପିଡିପି କର୍ମୀମାନେ ମୁଫତି ମହମ୍ମଦ ସୟିଦଙ୍କ ଉପରେ ବିବାଦୀୟ ମନ୍ତବ୍ୟକୁ ନେଇ ଆପ ବିଧାୟକଙ୍କ ସହ ମଧ୍ୟ ଧସ୍ତାଧସ୍ତି କରିଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.