କାଶ୍ମୀର ଭ୍ୟାଲିରେ ବହିଲାଣି ନିର୍ବାଚନୀ ହାଓ୍ବା; ଧାରା ୩୭୦ ପ୍ରତ୍ୟାହାର ପରେ ପ୍ରଥମ ଲଢ଼େଇ, ମେହବୁବା ବନାମ ଗୁଲାମନବୀ

Published By : Prameya-News7 Bureau | April 08, 2024 IST

ଶ୍ରୀନଗର: ଭୋଟ୍ ଦେବ ଜାମ୍ମୁ-କାଶ୍ମୀର । ଧାରା ୩୭୦ ପ୍ରତ୍ୟାହାର ପରେ ପ୍ରଥମ ନିର୍ବାଚନ। କାଶ୍ମୀର ଘାଟିରେ ତ୍ରିମୁଖୀ ଲଢ଼େଇ । ମେହବୁବା ବନାମ ଗୁଲାମନବୀ । କଂଗ୍ରେସକୁ ସାହା ପିଡିପି। ବିଜେପି ସହ ହାତ ମିଳାଇବେ କି ଡିପିଏପି ? ଭ୍ୟାଲିରେ ବହିଲାଣି ନିର୍ବାଚନୀ ହାଓ୍ବା, ଭୋଟ୍ ପାଇଁ ପ୍ରସ୍ତୁତ ହେଲେଣି ପ୍ରାର୍ଥୀ । ଧାରା ୩୭୦ ଉଚ୍ଛେଦ ପରେ ନିର୍ବାଚନ ଦୂରେଇ ରହିଥିବା ନେତା ପୁଣି ଥରେ ସମରସଜ୍ଜା ଆରମ୍ଭ କରିଦେଲେଣି । ୨୦୧୯ ପରେ ପ୍ରଥମ ଥର ପାଇଁ ଜାମ୍ମୁ-କାଶ୍ମୀରରେ ଲୋକସଭା ନିର୍ବାଚନ ସମ୍ଭବନା ସୃଷ୍ଟି ହୋଇଛି । ନିର୍ବାଚନ ଆୟୋଗ ତାରିଖ ଘୋଷଣା କରିବା ପରେ ଘାଟିରେ ଭୋଟ୍ ପାରା ଉପରମୁହାଁ । ନିର୍ବାଚନ ପାଇଁ ନେତାଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ିବାରେ ଲାଗିଛି । ଜାମ୍ମୁ-କାଶ୍ମୀରରୁ ଲଦାଖ ଅଲଗା ହେବା ପରେ ଏଠାରେ ୫ଟି ଲୋକସଭା ଆସନରେ ମତଦାନ ହେବ । ଏନେଇ ଜାତୀୟ ଦଳ କଂଗ୍ରେସ ଓ ବିଜେପି ବ୍ୟତୀତ ଆଞ୍ଚଳିକ ଦଳମାନେ ନିଜର ପ୍ରାର୍ଥୀ ଘୋଷଣା କରିଛନ୍ତି । 

ପ୍ରାର୍ଥୀ ଘୋଷଣାରେ ଆଗରେ ପିଡିପି । ୩ଟି ଆସନରେ ଲଢ଼ିବ ମୁଫ୍‌ତି ବାହିନୀ । ଦୁଇଟି ସିଟ୍‌ରେ କଂଗ୍ରେସକୁ ସମର୍ଥନ । ଘାଟିରେ ମେହବୁବାଙ୍କୁ ଚେକ୍ ଦେବେ ଆଜାଦ୍ । ବାରମୂଲା,   ଶ୍ରୀନଗର ଓ ଅନନ୍ତନାଗ-ରଜୌରୀ ପାଇଁ ପ୍ରାର୍ଥୀ ଘୋଷଣା କରିଛି ପିପୁଲ୍ସ ଡେମୋକ୍ରେଟିକ୍‌ ପାର୍ଟି । ହେଲେ ଜାମ୍ମୁ ଓ ଉଧମପୁର ସଂସଦୀୟ କ୍ଷେତ୍ରରେ ଦଳ କୌଣସି ପ୍ରାର୍ଥୀ ଦେଇନାହିଁ । ଏହି ଦୁଇଟି ଆସନ କଂଗ୍ରେସ ସମର୍ଥନରେ ଛାଡ଼ିଛନ୍ତି ପିଡିପି ସୁପ୍ରିମୋ । ସେପଟେ ଗୁଲମନବୀ ଆଜାଦଙ୍କ ଦ୍ବାରା ନୂଆ କରି ଗଠିତ ହୋଇଥିବା ଡେମୋକ୍ରେଟିକ୍‌ ପ୍ରୋଗେସିଭ୍‌ ଆଜାଦ ପାର୍ଟି ବା ଡିପିଏପି ମଧ୍ୟ ନିର୍ବାଚନୀ ବୈତରଣୀ ପାର୍ ହେବାକୁ ମୈଦାନକୁ ଓହ୍ଲାଇଛି । ଚଳିତ ୨୦୨୪ ମହାସଂଗ୍ରାମରେ ଅନନ୍ତନାଗ-ରଜୌରୀରୁ ମୁହାଁମୁହିଁ ହେବେ ଗୁଲାମନବୀ ଆଜାଦ୍ ଓ ମେହବୁବା ମୁଫତି । ସେପଟେ କାଶ୍ମୀର ଭ୍ୟାଲିର ଅନ୍ୟତମ କଡ଼ା ପ୍ରତିଦ୍ବନ୍ଦ୍ବୀ ପାର୍ଟି ନ୍ୟାସଲାନ୍ କନଫ୍ରେନ୍ସ ମଧ୍ୟ ୩ଟି ଆସନରେ ପ୍ରାର୍ଥୀ ଘୋଷଣା କରିଛି । 


ଜାମ୍ମୁ-କାଶ୍ମୀରରେ ପ୍ରାର୍ଥୀ ଘୋଷଣା କରିବାରେ ପଛରେ ପଡ଼ିଛନ୍ତି ଭାରତୀୟ ଜନତା ପାର୍ଟି ଓ ଜତୀୟ କଂଗ୍ରେସ । ବିଜେପି କାଶ୍ମୀର ଅଞ୍ଚଳର ୩ଟି ଆସନରେ ଆଶାୟୀଙ୍କ ନାଁ ପ୍ରକାଶ କରିନଥିବା ବେଳେ କଂଗ୍ରେସର ଏବେବି ଅଡ଼ୁଆ ଅଙ୍କ ଛିଡ଼ୁନାହିଁ । ମାତ୍ର ଜାତୀୟ କଂଗ୍ରେସ କାଶ୍ମୀରରେ ଧାରା ୩୭୦ ଉଚ୍ଛେଦକୁ ଅସ୍ତ୍ର କରି ନିର୍ବାଚନୀ ବୈତରଣୀ ପାର୍ ହେବାକୁ ପ୍ରୟାସ ଚଳାଇଛି । ଦଳ କ୍ଷମତାକୁ ଆସିଲେ ଜାମ୍ମୁ-କାଶ୍ମୀରକୁ ପୁଣି ଥରେ ରାଜ୍ୟ ମାନ୍ୟତା ଫେରାଇ ଦେବ ବୋଲି ପ୍ରତିଶ୍ରୁତି ଦେଇଛି । ଏପଟେ କିନ୍ତୁ ବିଜେପି ଝେଲମ୍ ଉପତ୍ୟକାରେ ବହୁଥିବା ବିକାଶ ସ୍ରୋତକୁ ସମ୍ପଳ କରି ଭୋଟ୍ ଅମଳ କରିବାକୁ ଚେଷ୍ଟା କରୁଛି । ବିବାଦୀୟ ଧାରା ୩୭୦ ଉଚ୍ଛେଦ ପରେ ୫ ବର୍ଷରେ କାଶ୍ମୀର ଘାଟିକୁ ଫେରିଥିବା ଶାନ୍ତି, ସୌହାର୍ଦ୍ଧ୍ୟ ଓ ପର୍ଯ୍ୟଟନ ବିକାଶକୁ ନେଇ ରଣନୀତି ପ୍ରସ୍ତୁତି କରିଛି । 

ଜାମ୍ମୁ-କଶ୍ମୀରରେ ୫ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ହେବ। ଏପ୍ରିଲ ୧୯ରେ ପ୍ରଥମ ପର୍ଯ୍ୟାୟରେ ଉଧମପୁର ଲୋକସଭା ସିଟ୍‌ ପାଇଁ ମତଦାନ ହେବ। ଏହା ପରେ ଏପ୍ରିଲ୍ ୨୬ରେ ଦ୍ବିତୀୟ ପର୍ଯ୍ୟାୟରେ ଜାମ୍ମୁ ସିଟ୍‌ରେ ଭୋଟିଂ । ତୃତୀୟ ପର୍ଯ୍ୟାୟ ମେ’ ୭ରେ ଅନନ୍ତନାଗ ଆସନରେ ଜନମତ ସବ୍ୟସ୍ତ କରିବେ ଜନତା । ସେହିପରି ମେ’ ୧୩ରେ ଚତୁର୍ଥ ପର୍ଯ୍ୟାୟରେ ଶ୍ରୀନଗର ଏବଂ ୫ମ ପର୍ଯ୍ୟାୟରେ ମେ’ ୨୦ରେ ବରାମୂଲା ସିଟ୍‌ରେ ନିର୍ବାଚନ ହେବ । ଆଉ ଫଳାଫଳ ଜୁନ୍ ୪ ତାରିଖରେ ଆସିବ। 

  • Jammu Kashmir
  • Lok Sabha Election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.