ନୂଆଦିଲ୍ଲୀ ୩୦।୫: କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ ଶୁକ୍ରବାର ଜିଡିପି ବୃଦ୍ଧି ହାରରେ ହ୍ରାସକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ୨୦୨୪-୨୫ ଆର୍ଥିକ ବର୍ଷରେ ୬.୫%ର ଆର୍ଥିକ ବୃଦ୍ଧି ହାର ଏବେକା ପରିସ୍ଥିତିରେ ବହୁତ କମ, ହେଲେ ମୋଦି ସରକାର ଲୋକଙ୍କ ଧ୍ୟାନ ହଟାଇବାକୁ ଉଦ୍ୟମ କରୁଛନ୍ତି। ଜାରି ତଥ୍ୟ ଅନୁସାରେ ଦେଶର ଆର୍ଥିକ ବୃଦ୍ଧି ୨୦୨୪-୨୫ ଆର୍ଥିକ ବର୍ଷର ଜାନୁୟାରୀ-ମାର୍ଚ୍ଚ ତ୍ରୈମାସିକରେ ଧିମେଇ ଯାଇ ମଧ୍ୟ ୭.୪%ଥିଲା। ଯାହା ପୂରା ଆର୍ଥିକ ବର୍ଷରେ ୬.୫%କୁ ଖସି ଆସିଛି।
ଏ ନେଇ ଜୟରାମ ରମେଶ ଏକ୍ସ ରେ ଏକ ପୋଷ୍ଟ କରିଛନ୍ତି। ଏଥିରେ ସେ ଉଲ୍ଲେଖ କରିଛନ୍ତି ଯେ ‘ ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ଏନଏସଓ) ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ କାର୍ଯ୍ୟାନ୍ୱୟନ ମନ୍ତ୍ରାଳୟ ଆର୍ଥିକ ବର୍ଷ ୨୦୨୪-୨୫ର ଜିଡିପି ବୃଦ୍ଧି ନିମନ୍ତେ ତାଙ୍କର ଚୂଡ଼ାନ୍ତ ଅନୁମାନ ଜାରି କରିଛନ୍ତି। ବର୍ଷର ବାସ୍ତବିକ ଜିଡିପି ବୃଦ୍ଧି ୬.୫%, ଯାହା ୨୦୨୨-୨୩ ଆର୍ଥିକ ବର୍ଷରେ ମଧ୍ୟ ଦେଖାଯାଇଥିବା ବୃଦ୍ଧି ଠାରୁ ଦ୍ରୁତ ହ୍ରାସ ଓ ପ୍ରଧାନମନ୍ତ୍ରୀ ରୂପେ ଡ. ମନମୋହନ ସିଂହଙ୍କ ଦଶନ୍ଧୀ ବ୍ୟାପୀ କାର୍ଯ୍ୟକାଳରେ ୭.୭%ର ଉଚ୍ଚ ବିକାଶ ହାରର ରେକର୍ଡ ଠାରୁ ଢେର ଦୂରରେ’ ବୋଲି ଉଲ୍ଲେଖ କରିଛନ୍ତି।
The National Statistics Office (NSO), Ministry of Statistics and Programme Implementation (MoSPI) has released its provisional estimates for GDP growth in FY 2024-2025. Annual real GDP growth is 6.5% - a sharp deceleration from the growth witnessed even in FY22-23, and far…
— Jairam Ramesh (@Jairam_Ramesh) May 30, 2025
ଜୟରାମ ରମେଶ କହିଛନ୍ତି ଯେ ଜାନୁୟାରୀ-ମାର୍ଚ୍ଚ ୨୦୨୫ରେ ମେନୁଫେକ୍ଚରିଂ କ୍ଷେତ୍ରର ବୃଦ୍ଧି ବର୍ଷକ ପୂର୍ବର ୧୧.୩% ବଦଳେ ୪.୮% ଥିଲା, କିନ୍ତୁ ଏହି ବାସ୍ତବିକତାକୁ ଦେଖିବା ବଦଳେ ସରକାର ପୁଣି ଥରେ ଘଟଣା ଉପରୁ ଧ୍ୟାନ ହଟାଇବାର ରାସ୍ତା ଆପଣେଇଛନ୍ତି। ରମେଶ କଟାକ୍ଷ କରି କହିଛନ୍ତି ଯେ ‘ଦେଶରେ ମେକ-ଇନ-ଇଣ୍ଡିଆ କାର୍ଯ୍ୟକ୍ରମ ଆରମ୍ଭ କରାଯିବାର ୧୧ ବର୍ଷ ପରେ କୁହାଯାଉଛି ଏହାର ପ୍ରାରମ୍ଭିକ ପରିଣାମ ଦେଖିବା ପାଇଁ ଏବେ ଆହୁରି ଅପେକ୍ଷା କରିବାକୁ ପଡିବ’।
ସେ ଦାବି କରିଛନ୍ତି ଯେ ‘ଭାରତର ଜନସଂଖ୍ୟା ଲାଭାଂଶ ଓ ଅନୁକୂଳ ଅନ୍ତର୍ଜାତୀୟ ଭୂ-ରାଜନୀତି ଆମକୁ ଆଗାମୀ ୨-୩ ଦଶକରେ ଉଚ୍ଚ ବିକାଶ ହାରରେ ଆଗକୁ ବଢିବା ପାଇଁ ଐତିହାସିକ ଅବସର ପ୍ରଦାନ କରୁଛି। ଏପରି ପରିସ୍ଥିତିରେ ୬.୫%ର ବୃଦ୍ଧି ଅନେକ କମ୍, ଯାହା ଧିମା ଖର୍ଚ୍ଚ ବୃଦ୍ଧି, ସ୍ଥିର ବାସ୍ତବିକ ପାରିଶ୍ରମିକ, ବଢୁଥିବା ଅସମାନତା ଓ ଦେଶ ଭିତରେ ଘରୋଇ ନିବେଶ ହାର ଲଗାତାର ହ୍ରାସକୁ ପ୍ରଦର୍ଶିତ କରୁଥିବା ବେଳେ ଭଲ ବୋଲି କୁହାଯାଇ ପାରିବନି’।