ମଙ୍ଗଳବାର ୨ଟା ପର୍ଯ୍ୟନ୍ତ ବନ୍ଦ ରହିବ ଜଗନ୍ନାଥ ଦର୍ଶନ, ସେନାପଟା ଲାଗି ନୀତି ପାଇଁ ଶ୍ରୀମନ୍ଦିର ପ୍ରଶାସନ ପ୍ରଶାସନର ନିଷ୍ପତ୍ତି

Published By : Prameya-News7 Bureau | June 09, 2025 IST

ପୁରୀ: ମହାପ୍ରଭୁଙ୍କ ସେନାପଟା ଲାଗି ନୀତି ପାଇଁ ବନ୍ଦ ରହିବ ମହାପ୍ରଭୁ ଜଗନ୍ନାଥ ଦର୍ଶନ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ସୋମବାର ରାତ୍ର ଆଳତି ପହୁଡ଼ଠାରୁ ମଙ୍ଗଳବାର ଦିନ ୨ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ।

ସେପଟେ ସୋମବାର ଜ୍ୟେଷ୍ଠ ଶୁଳ୍କ ତ୍ରୟୋଦଶୀ ତିଥିରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଓ ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା ପାଇଁ ଦଇତାପତିମାନେ ଶ୍ରୀମନ୍ଦିରରେ ପ୍ରବେଶ କରିଛନ୍ତି। ପ୍ରାୟ ଏକମାସ ଧରି ଦଇତାପତିମାନେ ମହାପ୍ରଭୁଙ୍କ ସେବା ନୀତି ଓ ଶ୍ରୀଅଙ୍ଗ ସୁରକ୍ଷା ଦାୟିତ୍ବରେ ରହିବେ। 

ସୋମବାର ବିଳମ୍ୱିତ ରାତିରେ ମହାପ୍ରଭୁଙ୍କ ବାହୁଟକଣ୍ଟ ସହ କୋଠ ସୁଆଁସିଆଁମାନେ ଚାରମାଳ ବାନ୍ଧିବେ। ମଙ୍ଗଳବାର ଦଇତାପତି ମାନଙ୍କ ଦ୍ବାରା ପାଟବସ୍ତ୍ର ଆଛାଦିତ କରାଯାଇ ସେନାପଟା ଲାଗି କରାଯିବ। ସ୍ନାନ ବେଦୀରେ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଭକ୍ତଙ୍କ ମହଲରେ ପ୍ରବଳ ଉତ୍ସାହ ଉଦ୍ଦୀପନା ପ୍ରକାଶ ପାଇଛି। 

ସେହିଭଳି ସ୍ନାନ ପୂର୍ଣ୍ଣିମା ପାଇଁ ପୁରୀ ଜିଲ୍ଲା, ପୋଲିସ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଶ୍ରୀମନ୍ଦିର ଯାଇ ସମସ୍ତ ସେବାୟତଙ୍କ ସହିତ ଆଲୋଚନା କରିବା ସହିତ ସ୍ନାନ ମଣ୍ଡପରେ ଚାଲିଥିବା ସମସ୍ତ ପ୍ରସ୍ତୁତିର ଅନୁଧ୍ୟାନ କରିଛନ୍ତି। ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କିଭଳି ସୁରୁଖୁରୁରେ ଏବଂ ଶୃଙ୍ଖଳିତ ଭାବେ କରିପାରିବେ ସେନେଇ ବିଶେଷ ଗୁରୁତ୍ବ ଦିଆଯାଇଛି। 

ବିଗତ ବର୍ଷମାନଙ୍କରେ ଭକ୍ତମାନେ ସ୍ନାନ ମଣ୍ଡପରେ କାଠ ରାମ୍ପ ସାହାଯ୍ୟରେ ଦର୍ଶନ କରୁଥିବା ବେଳେ ଚଳିତ ବର୍ଷ ଖାଣ୍ଡେଲାଇ ପଥର ଦ୍ବାରା ଏଏସଆଇ ପକ୍ଷରୁ ଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଛି ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି। ସେହିପରି ପୁରୀ ଏସପି ବିନୀତ ଅଗ୍ରୱାଲ ବରିଷ୍ଠ ପୋଲିସ ଅଧିକାରୀ ମାନଙ୍କୁ ନେଇ ଶ୍ରୀମନ୍ଦିର ଭିତରେ ସୁରକ୍ଷା, ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ନେଇ ସମୀକ୍ଷା କରିଛନ୍ତି। 

ପୋଲିସ ପକ୍ଷରୁ ସ୍ନାନ ପୂର୍ଣ୍ଣିମା‌ ୨୦୨୫ ବ୍ୟବସ୍ଥା ବଳୀ ପୁସ୍ତକ ମହାପ୍ରଭୁଙ୍କ ନିକଟ ରେ ପୂଜାର୍ଚ୍ଚନା କରାଯାଇଛି। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ସୁରକ୍ଷା, ଟ୍ରାଫିକ, ପାର୍କିଂ ପାଇଁ ସମସ୍ତ ବ୍ୟବସ୍ଥା ଗ୍ରହଣ କରିଛି ପୋଲିସ ପ୍ରଶାସନ। ସୁରକ୍ଷା ଦାୟିତ୍ବରେ ୭୦ ପ୍ଲାଟୁନ ପୋଲିସ ଫୋର୍ସ ସହିତ ୪ ଜଣ ଏସପି ଏବଂ ୪୫୦ ବରିଷ୍ଠ ପୋଲିସ ଅଧିକାରୀ ମୁତୟନ ହେବେ। ଶ୍ରୀମନ୍ଦିର ଭିତରେ, ବାହାରେ ଓ ବଡ଼ଦାଣ୍ଡ ସହିତ ସମୁଦ୍ର କୂଳରେ ମଧ୍ୟ ପୋଲିସ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.