ଜ୍ୱରରେ କମ୍ପୁଛନ୍ତି ତିନିଠାକୁର, ଆଜି ଶ୍ରୀଅଙ୍ଗରେ ଲାଗି ହେବ ଫୁଲୁରୀ ତେଲ

Published By : Prameya-News7 Bureau | June 16, 2025 IST

ପୁରୀ ୧୬/୦୬: ଦେବ ସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରି ଅଣସର ଘରେ ଜ୍ୱରରେ ପୀଡିତ ଅଛନ୍ତି ଚତୁର୍ଦ୍ଧାମୂର୍ତ୍ତୀ। ଅଣସର ଗୃହରେ ଦଇତା ଓ ପତି ମହାପାତ୍ରଙ୍କ ଦ୍ୱାରା ଗୁପ୍ତ ସେବା ଚାଲିଥିବାବେଳେ ଚତୁର୍ଦ୍ଧା ବିଗ୍ରହଙ୍କ ଶ୍ରୀଅଙ୍ଗରେ ଆଜି ଲାଗି କରାଯିବ ଫୁଲୁରୀ ତେଲ। ମହାପ୍ରଭୁଙ୍କ ଗୁପ୍ତ ନିତୀ ମଧ୍ୟରେ ଫୁଲୁରୀ ତେଲ ଲାଗି ହେଉଛି ଏକ ଗୁରୁତ୍ୱପୂର୍ଣ ଅଂଶ। 

ବଡ଼ଓଡ଼ିଆ ମଠ ପକ୍ଷରୁ ଚତୁର୍ଦ୍ଧାବିଗ୍ରହଙ୍କ ଲାଗି ଏହି ଫୁଲୁରୀ ତେଲ ଯୋଗାଯାଇଥାଏ। ହେରାପଞ୍ଚମୀ ଦିନ ଶୁଦ୍ଧ ରାଶି ତେଲରେ ଚେରମୂଳି ଓ ସୁବାସିତ ଫୁଲ ପକାଇ ଏକ ପାତ୍ରରେ ରଖି ତାକୁ ମାଟିତଳେ ପୋତା ଯାଇଥାଏ । ଦେବସ୍ନାନ ପୂର୍ଣ୍ଣିମା ପୂର୍ବଦିନ ମାଟିତଳୁ ତେଲକୁ ବାହାର କରାଯାଇ ପଞ୍ଚମୀ ଦିନ ତେଲକୁ ଛଣାଯାଏ । ପରେ ଅମୁଣିଆ ପ୍ରସ୍ତୁତ କରି ମହାପ୍ରଭୁଙ୍କ ପାଇଁ ପଠାଯାଏ । ବଡ଼ଓଡ଼ିଆ ମଠର ସଦସ୍ୟ ମାନେ ପ୍ରାୟ ୬ ସେର ଫୁଲୁରୀ ତେଲ ନେଇ ଶ୍ରୀମନ୍ଦିରକୁ ଯାଇ ଦଇତାପତିଙ୍କୁ ଅର୍ପଣ କରିଥାନ୍ତି। 

ମଧ୍ୟାହ୍ନଧୂପ ଏବଂ ଦକ୍ଷିଣ ଘର ଭୋଗ ସଂପନ୍ନ ହେବାପରେ ଜୟବିଜୟ ଦ୍ୱାର ବନ୍ଦ ହୋଇ ଅଣସର ଦ୍ୱାର ଖୋଲାଯାଇ ପତି ମହାପାତ୍ର ୩ଟି ରୂପା ପିଙ୍ଗଣରେ ତେଲକୁ ନେଇ ସଂସ୍କାର କରିବା ପରେ ଦଇତାପତି ସେବକମାନେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି କରିଥାନ୍ତି। ବିଶ୍ୱାସ ରହିଛି ଫୁଲୁରୀ ତେଲ ମହାପ୍ରଭୁଙ୍କ ଶରୀରରେ ଲେପନ କରାଗଲେ ଶରୀରର ପୀଡ଼ା କମ୍ ହୋଇଥାଏ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.