ଜାଡ଼େଜା-ସୁନ୍ଦର ଏଡ଼ାଇ ଦେଲେ ଷ୍ଟୋକ୍ସଙ୍କ ଅଫର, ରାଗିଗଲେ ଇଂଲଣ୍ଡ ଅଧିନାୟକ; ହାତ ବି ମିଳାଇଲେ ନାହିଁ

Published By : Prameya-News7 Bureau | July 27, 2025 IST

ମାଞ୍ଚେଷ୍ଟର: ମାଞ୍ଚେଷ୍ଟରରେ ଭାରତ-ଇଂଲଣ୍ଡ ମଧ୍ୟରେ ଖେଳା ଯାଇଥିବା ଚତୁର୍ଥ ଟେଷ୍ଟ ମ୍ୟାଚ୍‌ରେ ଭାରତୀୟ ଦଳ ଦମଦାର ବ୍ୟାଟିଂ କରି ମ୍ୟାଚ୍‌କୁ ଡ୍ର ରଖିବାରେ ସଫଳ ହୋଇଛନ୍ତି। ଇଂଲଣ୍ଡର ୩୧୧ ରନର ଅଗ୍ରଣୀ ସତ୍ତ୍ଵେ ଭାରତୀୟ ଦଳ ମ୍ୟାଚ୍‌କୁ ଡ୍ର କରିବା ସହିତ ସିରିଜ୍ ହାରିବାର ବିପଦକୁ ଟାଳିବାରେ ସକ୍ଷମ ହୋଇଛି। ଚତୁର୍ଥ ଦିନରେ ଗିଲ୍ ଓ ରାହୁଲଙ୍କ ଦମଦାର ବ୍ୟାଟିଂ ପରେ ପଞ୍ଚମ ଦିନରେ ଜାଡ଼େଜା ଓ ସୁନ୍ଦରଙ୍କ ସାହସିକ ଇନିଂସ ବଳରେ ଭାରତ ମ୍ୟାଚ୍‌କୁ ଡ୍ର କରାଇବାରେ ସକ୍ଷମ ହୋଇଛି।

ଜାଡ଼େଜା ଓ ସୁନ୍ଦରଙ୍କ ଭାଗିଦାରୀରୁ ଏହା ନିଶ୍ଚିତ ହୋଇ ଯାଇଥିଲା ଯେ, ଏହି ମୁକାବିଲା ଡ୍ର ରହିବ। ତଥାପି ଇଂଲଣ୍ଡ ଅଧିନାୟକ ବେନ ଷ୍ଟୋକ୍ସ  ଜାଡ଼େଜା ଓ ସୁନ୍ଦରଙ୍କୁ ଡ୍ରର ଅଫର ଦେଇଥିଲେ। ହେଲେ ଦୁଇ ଖେଳାଳି ଇଂଲଣ୍ଡର ଅଧିନାୟକ ବେନ ଷ୍ଟୋକ୍ସଙ୍କ ଏହି ପ୍ରସ୍ତାବକୁ ଅଗ୍ରାହ୍ୟ କରି ବ୍ୟାଟିଂ ଜାରି ରଖିଥିଲେ। କାରଣ ଦୁଇ ବ୍ୟାଟର ନିଜର ଶତକର ନିକଟତର ଥିଲେ। ଏହା ପରେ ଜାଡ଼େଜା ଓ ସୁନ୍ଦର ଶତକ ହାସଲ କରିଥିଲେ। ମ୍ୟାଚ୍ ଡ୍ର ଘୋଷଣା ହେବା ପରେ ଷ୍ଟୋକ୍ସ ଜାଡ଼େଜାଙ୍କ ସହ ହାତ ବି ମିଳାଇ ନ ଥିଲେ।ଏହାକୁ ନେଇ ଦୁଇ ଖେଳାଳିଙ୍କ ମଧ୍ୟରେ କିଛି ପାଟିତୁଣ୍ଡ ବି ହୋଇଥିବା ଦେଖିବାକୁ ମିଳିଥିଲା।

ଯେବେ ଭାରତର ସ୍କୋର ୩୮୬/୪ ଥିଲା, ଭାରତ ୭୫ ରନର ଅଗ୍ରଣୀ ହାସଲ କରି ନେଇଥିଲା। ସେହି ସମୟରେ ଷ୍ଟୋକ୍ସ ଅମ୍ପାୟରଙ୍କ ସହ କଥା ହୋଇ ହାତ ମିଳାଇବାକୁ ପ୍ରସ୍ତାବ ଦେଇଥିଲେ। ଅର୍ଥାତ ଏହା ମ୍ୟାଚ୍ ଡ୍ର ରଖିବାକୁ ସଙ୍କେତ ଥିଲା। ସେହି ସମୟରେ ୧୫ ଓଭର ଖେଳ ବାକି ଥିଲା। ଇଂଲଣ୍ଡ ବିଜୟର କୌଣସି ସମ୍ଭାବନା ନ ଥିଲା। ଏହି ସମୟରେ ଜାଡ଼େଜା ଓ ସୁନ୍ଦର ନିଜ ନିଜର ଶତକର ନିକଟତର ଥିଲେ ଏବଂ ମଇଦାନରେ କାନ୍ଥ ପରି ଛିଡ଼ା ହୋଇଥିଲେ। ବେନ ଷ୍ଟୋକ୍ସ ଭାରତର ବ୍ୟାଟିଂ ଜାରି ରଖିବା ନିଷ୍ପତ୍ତିରେ ଖୁସି ନ ଥିଲେ ଏବଂ ଅମ୍ପାୟର ଓ ବ୍ୟାଟରଙ୍କ ସହ ଲମ୍ବା ଆଲୋଚନା ପରେ ରାଜି ହୋଇଥିଲେ। ଏହା ପରେ ଭାରତର ଦୁଇ ବ୍ୟାଟର ଜାଡ଼େଜା ଓ ସୁନ୍ଦର ନିଜ ନିଜର ଶତକ ପୂରଣ କରିଥିଲେ। 

ମ୍ୟାଚ୍ ପରେ ଦୁଇ ଦଳର ଖେଳାଳି ହାତ ମିଳାଇଥିଲେ। ମାତ୍ର ଷ୍ଟୋକ୍ସ ଜାଡ଼େଜା ଓ ସୁନ୍ଦରଙ୍କ ସହ ହାତ ମିଳାଇବାକୁ ମନା କରି ଦେଇଥିଲେ। ଏହାକୁ ନେଇ ଜାଡ଼େଜା ଓ ଷ୍ଟୋକ୍ସଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ଦେଖିବାକୁ ମିଳିଥିଲା। ଏହାର ଭିଡିଓ ଏବେ ଭାଇରାଲ୍ ହୋବାରେ ଲାଗିଛି।  ଏହା ପରେ ଦୁଇ ବ୍ୟାଟର ଇଂଲଣ୍ଡର ବ୍ୟାଟରଙ୍କୁ ନୟାନ୍ତ କରିଥିଲେ। ଜାଡ଼େଜା ଶତକ ପୂରଣ କରିବା ପରେ ନିଜ ଶୈଳୀରେ ଉତ୍ସବ ମନାଇଥିଲେ। ସୁନ୍ଦର ନିଜର ପ୍ରଥମ ଟେଷ୍ଟ ଶତକ ହାସଲ କରିବା ପରେ ଖୁସି ପ୍ରକାଶ କରିଥିଲେ। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.