ଅଜିତ ଡୋଭାଲଙ୍କ ବୟାନ ଉପରେ କଡା଼ ପ୍ରତିକ୍ରିୟା ରଖିଲେ ପିଡିପି ମୁଖ୍ୟ ମେହବୁବା ମୁଫ୍ତି, ଜାଣନ୍ତୁ କହିଲେ କ’ଣ?

NEWS7
jacqueline-fernandez-summoned-by-ed-for-investigation

ଶ୍ରୀନଗର ୧୧।୧: ଜମ୍ମୁ–କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିପୁଲସ୍ ଡେମୋକ୍ରାଟିକ୍ ପାର୍ଟି (ପିଡିପି) ମୁଖିଆ ମେହବୁବା ମୁଫ୍ତି ରବିବାର ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ଅଜିତ ଡୋଭାଲଙ୍କ ଏକ ବୟାନ ଉପରେ କଡ଼ା ପ୍ରତିକ୍ରିୟା ଦେଇଛନ୍ତି। ଏ ନେଇ ମୁଫ୍ତି ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଥିବା ବେଳେ ଡୋଭାଲଙ୍କ ବୟାନ ଦେଶରେ ମୁସଲମାନଙ୍କ ବିରୋଧରେ ହିଂସାକୁ ଉସକାଉଥିବାର କହିଛନ୍ତି।

ମୁଫ୍ତି କହିଛନ୍ତି ଯେ ଏନଏସଏଙ୍କ ବୟାନର ଭାଷା ସମାଜରେ ଘୃଣାକୁ ପ୍ରୋତ୍ସାହିତ କରୁଛି ଓ ଜଣେ ବରିଷ୍ଠ ସୁରକ୍ଷା ଅଧିକାରୀଙ୍କ ଭୂମିକା ଓ ତାଙ୍କ କର୍ତ୍ତବ୍ୟ ପ୍ରତି ଗୁରୁତର ପ୍ରଶ୍ନବାଚୀ ସୃଷ୍ଟି କରିଛି। ମୁଫ୍ତି ଏକ୍ସରେ କରିଥିବା ପୋଷ୍ଟରେ ଉଲ୍ଲେଖ କରିଛନ୍ତି ଯେ ଏନଏସଏଙ୍କ ମୁଖ୍ୟ କର୍ତ୍ତବ୍ୟ ଦେଶର ସୁରକ୍ଷା ସୁନିଶ୍ଚିତ କରିବା। ତେବେ ଦୁର୍ଭାଗ୍ୟର କଥା ଡୋଭାଲଙ୍କ ଭଳି ଜଣେ ଦାୟିତ୍ୱ ସମ୍ପନ୍ନ ଅଧିକାରୀ ତାଙ୍କ ଭାଷଣରେ ସାମ୍ପ୍ରଦାୟିକ ଘୃଣା ବିଚାରଧାରାକୁ ବାଛିବା ଓ ମୁସଲମାନଙ୍କ ବିରୋଧରେ ହିଂସାକୁ ସାଧାରଣ କରିବାର ମାର୍ଗ ଆପଣେଇଛନ୍ତି।

ଏକବିଂଶ ଶତାବ୍ଦୀରେ ଶହଶହ ବର୍ଷ ପୁରୁଣା ଘଟଣା ଗୁଡିକ ପାଇଁ ‘ପ୍ରତିଶୋଧ’ନେବାର ଆହ୍ୱାନ କେବଳ ଏକ ‘ଡଗ ହ୍ୱିସିଲ’, ଯାହା ଗରିବ ଓ ଅଶିକ୍ଷିତ ଯୁବକଙ୍କୁ ଏପରି ସଂଖ୍ୟାଲଘୁଙ୍କୁ ଟାର୍ଗେଟ କରିବା ପାଇଁ ଉସକାଉଛି ଯେଉଁମାନେ ପୂର୍ବରୁ ସବୁଆଡୁ ଆକ୍ରମଣର ସାମ୍ନା କରୁଛନ୍ତି। ଏହି ବିବାଦ ସେତେବେଳେ ଆରମ୍ଭ ହେଲା ଯେତେବେଳେ ଏନଏସଏ ଡୋଭାଲ ନୂଆଦିଲ୍ଲୀରେ ଅନୁଷ୍ଠିତ ‘ବିକଶିତ ଭାରତ ୟଙ୍ଗ ଲିଡର୍ସ ଡାୟଲଗ’ ର ଉଦଘାଟନ ଉତ୍ସବକୁ ସମ୍ବୋଧିତ କଲେ। ଭାଷଣରେ ତାଙ୍କର ଶବ୍ଦ ଏବେ ରାଜନୈତିକ ଓ ବୌଦ୍ଧିକ ଅଳିନ୍ଦରେ ଏକ ବିତର୍କକୁ ଜନ୍ମ ଦେଇଛି।

ଡୋଭାଲଙ୍କ ସମ୍ବୋଧନ କେବଳ ଅତୀତର ସ୍ମୃତି ନଥିଲା ବରଂ ବର୍ତ୍ତମାନ ଓ ଭବିଷ୍ୟତର ଭାରତ ଲାଗି ଏକ ଗୁରୁତର ଚେତାବନୀ ଓ ଚ୍ୟାଲେଞ୍ଜ ରୂପେ ଦେଖାଯାଉଛି। ଡୋଭାଲ ତାଙ୍କ ଭାଷଣରେ ଆଜିର ସ୍ୱାଧୀନ ଭାରତ ଯେତିକି ସଶକ୍ତ ଓ ଆତ୍ମବିଶ୍ୱାସୀ ଦେଖାଯାଉଛି ସେତିକି ସେ ସବୁବେଳେ ନଥିଲା। ଏହି ସ୍ୱାଧୀନତାର ମୂଲ୍ୟ ଆମର ପୂର୍ବଜମାନେ ଅସହନୀୟ ଜାତନା, ଅପମାନ ଓ ବଳିଦାନ ମାଧ୍ୟମରେ ସୁଝିଛନ୍ତି।

ଡୋଭାଲଙ୍କ ଅନୁସାରେ ଏହି ଇତିହାସ ଆଜି ସବୁ ଭାରତୀୟ ଯୁବକଙ୍କ ଆଗରେ ଏକ ପ୍ରଶ୍ନ ହୋଇ ଛିଡା ହୋଇଛି। ଯାହା ଭିତରେ ଚେତନା ଓ ସଂଘର୍ଷ ବହ୍ନି ଜଳିବା କଥା। ଡୋଭାଲ ତାଙ୍କ ବକ୍ତବ୍ୟରେ ପ୍ରତିଶୋଧ (ବଦଲା) ଭଳି ସମ୍ବେଦନଶୀଳ ଶବ୍ଦର ଉଲ୍ଲେଖ କରି କହିଛନ୍ତି ଯେ ହୁଏତ ଏହି ଶବ୍ଦ ଅସହଜ ଲାଗୁଥାଇପାରେ, ହେଲେ ବଦଳା ନିଜ ଭିତରେ ନିଜେ ଏକ ବଡ ଶକ୍ତି ହୋଇପାରେ।