ବିଶ୍ୱର ସୁନ୍ଦର ସହରରେ ଅଜବ ନିୟମ, କ୍ରିକେଟ୍ ଖେଳିବା ଦଣ୍ଡନୀୟ ଅପରାଧ

Published By : Prameya-News7 Bureau | September 11, 2024 IST

ନୂଆଦିଲ୍ଲୀ ୧୧/୦୯: ଧର୍ମ ନିରପେକ୍ଷ ରାଷ୍ଟ୍ର ଭାରତ । ଆଉ କ୍ରିକେଟ୍‌କୁ ଧର୍ମ ଭାବେ କରାଯାଏ ବିବେଚନା । ଯେତେବେଳେ ଆଇସିସି ବିଶ୍ୱକପ୍ ଅନୁଷ୍ଠିତ ହୁଏ, କେବଳ ଭାରତ ନୁହେଁ ସାରା ବିଶ୍ୱର ଥାଏ ନଜର । କେବଳ ବିଶ୍ୱକପ୍ ନୁହେଁ, ଆଇପିଏଲ୍, ବିବିଏଲ୍ ପରି ଅନେକ ଲିଗ୍‌କୁ ନେଇ ଉତ୍ସାହୀତ ଥାନ୍ତି ଲୋକେ । କିନ୍ତୁ ଖୁବ୍ କମ୍ ପ୍ରଶଂସକ ଜାଣିଥିବେ ଯେ ଦୁନିଆରେ ଏପରି ସହର ଅଛି, ଯେଉଁଠାରେ କ୍ରିକେଟ୍ ଖେଳିବା ମନା । ଏମିତିକି ଏଠାରେ କ୍ରିକେଟ ଖେଳିଲେ ଅପରାଧ ଭାବେ ଗଣାହୁଏ । ଆସନ୍ତୁ ଜାଣିବା କେଉଁଠି ଅଛି ସହର । 

ଇଟାଲିର ଏହି ସହରରେ କ୍ରିକେଟ୍‌ ବ୍ୟାନ୍‌ । ନାଁ  ମନ୍‌ଫାଲକୋନ୍‌ । ଏଠାକାର ମେୟରଙ୍କ କହିବା କଥା, କ୍ରିକେଟ୍‌ ମନ୍‌ଫାଲକୋନ୍‌ର ସାଂସ୍କୃତିକ ମହତ୍ତ୍ୱକୁ ବିପଦରେ ପକାଉଛି । ମନ୍‌ଫାଲକୋନ୍‌ର ଜନସଂଖ୍ୟା ୩୦ ହଜାର । ତନ୍ମଧ୍ୟରୁ ଏକ ତୃତୀୟାଂଶ ବିଦେଶୀ । ଏମାନଙ୍କ ମଧ୍ୟରୁ  ଅଧିକାଂଶ ବାଂଲାଦେଶୀ ମୁସ୍‌ଲିମ । ବିଶାଳ କ୍ରୁଜ୍‌ ଜାହାଜ ନିର୍ମାଣ ଲାଗି ୧୯୯୦ ଦଶକରେ ସେମାନେ ଏହି ସହରରେ ପହଞ୍ଚିଥିଲେ । ମନ୍‌ଫାଲକୋନ୍‌ ସହରରେ ଯଦି କେହି  କ୍ରିକେଟ୍‌ ଖେଳୁଥିବା ଧରାପଡ଼ନ୍ତି, ତେବେ ତାଙ୍କୁ ୧୦୦  ପାଉଣ୍ଡ୍‌ ବା ହାରାହାରି ୧୧ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିପାରେ । 


ମେୟର ଆନ୍ନା ମାରିଆ ସିସିଷ୍ଟ୍‌ କହନ୍ତି, ସେ  ନିଜ ସହର ଓ ତା’ର ଖ୍ରିଷ୍ଟିଆନ୍‌ ମହତ୍ତ୍ୱକୁ ସୁରକ୍ଷା ଦେବାକୁ  ଚାହାନ୍ତି । ଦୃଢ଼ ପ୍ରବାସ-ବିରୋଧୀ ଭାବନା ତାଙ୍କୁ ପୁଣି ଥରେ ସତ୍ତାକୁ ଫେରିବାରେ ସାହାଯ୍ୟ କରିଛି । ଆନ୍ନା କହନ୍ତି, ଆମ ଇତିହାସକୁ ଲିଭାଇ ଦିଆଯାଉଛି । ଯେମିତିକି ଏହାର କୌଣସି ମୂଲ୍ୟ ନାହିଁ । ସବୁକିଛି  ଖରାପ ହୋଇଚାଲିଛି । ମୁସ୍‌ଲିମ-ବିରୋଧୀ ଭାବନା ପାଇଁ ମେୟର ଆନ୍ନା ପରିଚିତ । ସହର ଛକରେ ବାଂଲାଦେଶୀଙ୍କ ବସିବା ପାଇଁ ବ୍ୟବହୃତ ବେଞ୍ଚ୍‌ଗୁଡ଼ିକୁ ସେ ହଟାଇ ଦେଇଛନ୍ତି ।ବେଳାଭୂମିରେ ମୁସ୍‌ଲିମ ମହିଳା ପିନ୍ଧୁଥିବା  ପୋଷାକ ବିରୋଧରେ ମଧ୍ୟ ସେ କହିଛନ୍ତି । ଏ ପ୍ରକାର ମତ ପାଇଁ ତାଙ୍କୁ ହତ୍ୟା ଧମକ ମିଳିଛି ।  



News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.