ଗାଜାରେ ହମଲା ମଧ୍ୟରେ ଇସ୍ରାଏଲ ଦେଖାଇଲା ମାନବିକତା , ମଧ୍ୟପ୍ରାଚ୍ୟର ଏହି ଛୋଟ ଦେଶକୁ ପଠାଇଲା ବାୟୁସେନା ବିମାନ

Published By : Prameya-News7 Bureau | July 24, 2025 IST

ନୂଆଦିଲ୍ଲୀ : ଗାଜାରେ ଜାରି ରହିଥିବା ଭୀଷଣ ସାମରିକ କାର୍ଯ୍ୟାନୁଷ୍ଠାନ ମଧ୍ୟରେ, ଇସ୍ରାଏଲ ନେଇଛି ଏକ ବଡ଼ ମାନବୀୟ ପଦକ୍ଷେପ। ଇସ୍ରାଏଲର ବିଦେଶ ମନ୍ତ୍ରଣାଳୟର କହିବାନୁସାରେ, ସେ ନିଜର ଏୟାର ଫୋର୍ସର ବିମାନ ମଧ୍ୟପ୍ରାଚ୍ୟର ଏକ ଛୋଟ ଦେଶ ସାଇପ୍ରସ୍‌କୁ ପଠାଇଛି, କିନ୍ତୁ ଏହା ସାମରିକ ମିଶନ ନୁହେଁ, ଏକ ରିଲିଫ୍ କାର୍ଯ୍ୟ। ଇସ୍ରାଏଲ ସାଇପ୍ରସର ଜଙ୍ଗଲରେ ବ୍ୟାପି ଥିବା ଭୀଷଣ ଅଗ୍ନିକାଣ୍ଡକୁ ଲିଭାଇବା ପାଇଁ ଆଶ୍ୱସ୍ତିକର ପଦକ୍ଷେପ ଉଠାଇଛି। 

୧୨ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଛୋଟିଆ ମଧ୍ୟ ପ୍ରାଚ୍ୟ ଦେଶ ସାଇପ୍ରସ୍‌ରେ ଭୟଙ୍କର ଜଙ୍ଗଲ ନିଆଁ ବ୍ୟାପି ସାରିଛି । ଅନେକ ଅଞ୍ଚଳକୁ ନିଜ କବଳକୁ ନେଇଛି। ସ୍ଥିତି ଏତେ ଗମ୍ଭୀର ହୋଇ ଯାଇଛି ଯେ, ସରକାର ଅନ୍ତରାଷ୍ଟ୍ରୀୟ ସାହାଯ୍ୟ ପାଇଁ ଅପିଲ କରିଛନ୍ତି। ଏହାର ଜବାବରେ ଇସ୍ରାଏଲୀୟ ବାୟୁସେନାର ଫାୟର ଫାଇଟିଂ ବିମାନ ତୁରନ୍ତ ପଠାଯାଇଛି।

ଇସ୍ରାଏଲର ବିଦେଶ ମନ୍ତ୍ରଣାଳୟ ଏକ ବୟାନରେ କହିଛି ଯେ, ବିଦେଶ ମନ୍ତ୍ରୀ ଗିଦୋନ ସାର ଓ ସାଇପ୍ରସ୍‌ର ବିଦେଶ ମନ୍ତ୍ରୀ କନଣ୍ଟାଣ୍ଟିନୋସ୍‌ କାମ୍ୱୋରିସ୍‌ ନିରନ୍ତର ଯୋଗାଯୋଗରେ ଅଛନ୍ତି, ଯାହା ଦ୍ୱାରା ସହାୟତା ଆବଶ୍ୟକ ଅଞ୍ଚଳ ଗୁଡ଼ିକରେ ଯଥାଶୀଘ୍ର ପହଞ୍ଚି ପାରିବ। ଇସ୍ରାଏଲ ସାଇପ୍ରସର ଏକ ଘନିଷ୍ଠ ବନ୍ଧୁ ଓ ପଡୋଶୀ। ଜରୁରୀକାଳୀନ ପରିସ୍ଥିତିରେ ଆମେ ସାହାଯ୍ୟ କରିବାକୁ ସର୍ବଦା ପ୍ରସ୍ତୁତ।

ଉଲ୍ଲେଖନୀୟ ଯେ, ଏହି ଘଟଣାକ୍ରମ ଏହି ସମୟରେ ସାମ୍ନାକୁ ଆସିଛି , ଯେତେବେଳେ ନିଜେ ଇସ୍ରାଏଲ ଗାଜାରେ ହମାସ ବିରୋଧରେ ଖୁବ୍‌ ସାମରିକ ଅଭିଯାନ ଜାରି ରଖିଛି ଏବଂ ତା ଉପରେ ଗାଜାରେ ନିର୍ଦ୍ଦୋଷଙ୍କ ଜୀବନ ନେବାର ଅଭିଯୋଗ ହୋଇଛି। ଗାଜାରେ ସଦ୍ୟ ଘଟଣାକ୍ରମ ଖୁବ୍‌ ଅମାନବୀୟ ରହିଛି। ୟୁଏନ୍ ଏଜେନ୍ସି ଗୁଡ଼ିକର ଅଭିଯୋଗ ଯେ ଇସ୍ରାଏଲୀୟ ସେନାର ଅବରୋଧ ଯୋଗୁଁ ଗାଜାରେ ଖାଦ୍ୟପେୟର ଅଭାବ ଦେଖା ଦେଇଛି। ଗାଜାରେ ଦୁର୍ଭିକ୍ଷ ପରିସ୍ଥିତି ସୃଷ୍ଟି ହୋଇଛି। ହେଲେ ଇସ୍ରାଏଲ ଏହି ସବୁ ଅଭିଯୋଗକୁ ଖଣ୍ଡନ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.