ନୂଆଦିଲ୍ଲୀ ୨୭।୬: ଆମେରିକା ମଧ୍ୟସ୍ଥତାରେ ଇସ୍ରାଏଲ ଓ ଇରାନ ଯୁଦ୍ଧବିରାମ ହୋଇଛି। ଯୁଦ୍ଧ ଥମିବା ପରେ ମନରେ ସ୍ୱତଃ ପ୍ରଶ୍ନ ଉଠିବା ସ୍ୱଭାବିକ ଇରାନ ଶସ୍ତ୍ରାଗାରର ସ୍ଥିତି ଏବେ କ’ଣ? ପାଖାପାଖି ୨ ସପ୍ତାହ ଧରି ଚାଲିଥିବା ଯୁଦ୍ଧରେ ଇରାନ ମିଜାଇଲ ପ୍ରତିଦ୍ୱନ୍ଦ୍ୱୀ ବିରୋଧରେ ବେଶ୍ ପ୍ରଭାବୀ ସାବ୍ୟସ୍ତ ହୋଇଥିଲା। ଇରାନର ଲଙ୍ଗରେଞ୍ଜ ମିଜାଇଲର ବିନାଶକାରୀ ଶକ୍ତି ଇସ୍ରାଏଲର ଭିତ୍ତିଭୂମି ଓ ଲୋକଙ୍କ ହୋଇଥିବା କ୍ଷୟକ୍ଷତିରୁ ସ୍ପଷ୍ଟ ହୋଇଛି। ତେବେ ଇରାନର ଅଧିକାଂଶ ଭଣ୍ଡାର ଓ ଲଞ୍ଚିଂ ସୁବିଧାକୁ ନଷ୍ଟ କରିଦେଇଥିବାର ଇସ୍ରାଏଲ ଦାବି କରିଛି।
ଫକ୍ସ ନ୍ୟୁଜ୍ ଅନୁସାରେ ଯୁଦ୍ଧର ପ୍ରାରମ୍ଭିକ କାଳରେ ଇସ୍ରାଏଲ ଗୁଇନ୍ଦା ଇରାନ ନିକଟରେ ପାଖାପାଖି ୨୦୦୦ ବାଲିଷ୍ଟିକ୍ ମିଜାଇଲର ଭଣ୍ଡାର ଥିବା ଆକଳନ କରିଥିଲା। ତେବେ ଯୁଦ୍ଧ ଆରମ୍ଭ ହେବା ପରେ ଇସ୍ରାଏଲ ଏୟାର ଡିଫେନ୍ସ ସିଷ୍ଟମ ଏଥିରୁ ଅନେକକୁ ଆକାଶରେ ନଷ୍ଟ କରିଦେଇଥିଲା। ଯୁଦ୍ଧ ପୂର୍ବରୁ ମିଳିଥିବା ଏକ ଆମେରିକୀୟ ଗୁଇନ୍ଦା ରିପୋର୍ଟ ଅନୁସାରେ ଇରାନ ପ୍ରତି ମାସରେ ପାଖାପାଖି ୫୦ଟି ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ତିଆରି ପାରୁଥିଲା। ତେବେ ତେହେରାନ ପକ୍ଷରୁ ମାଡ଼ କରାଯାଇଥିବା ମିଜାଇଲ ସଂଖ୍ୟାକୁ ଦେଖିଲେ ଏହି ଅନୁମାନ ମେଳ ଖାଉନଥିବାର ଦେଖାଯାଉଛି।
ଇଣ୍ଟରନ୍ୟାସନାଲ ଇନିଷ୍ଟିଚ୍ୟୁଟ୍ ଫର ଷ୍ଟ୍ରାଟେଜିକ ଷ୍ଟଡିଜ୍ ଗବେଷକ ଫାବିୟନ ହିଞ୍ଜ ଟାଇମ୍ସ ଅଫ ଇସ୍ରାଏଲକୁ ଏକ ବୟାନରେ କହିଛନ୍ତି ଯେ ‘ଉତ୍ପାଦନ ହାର ଓ ସେମାନଙ୍କ ଫାୟରିଂ ହାର ମଧ୍ୟରେ ମେଳ ହେଉ ନାହିଁ’। ତେବେ ସେ କହିଛନ୍ତି ଯେ ଇରାନ ଉପରେ ଇସ୍ରାଏଲର ଆକ୍ରମଣ ଯୋଗୁ ଅନେକ ପ୍ରମୁଖ ଉତ୍ପାଦନ ଫାସେଲିଟି ପ୍ରଭାବିତ ହୋଇଛି ଅଥବା ନଷ୍ଟ ହୋଇଯାଇଛି। ହିଞ୍ଜ କହିଛନ୍ତି ଯେ ଏଥିରେ ଇସ୍ରାଏଲ ଚାହିଁଲେ ଇରାନର ମିଜାଇଲ ଉତ୍ପାଦନକୁ ପଙ୍ଗୁ ଅଥବା ବର୍ବାଦ ମଧ୍ୟ କରିଦେଇପାରେ। କାରଣ ଇସ୍ରାଏଲ ଜାଣିଛି ଇରାନର ମିଜାଇଲ ତିଆରି ପାଇଁ ଯନ୍ତ୍ରାଂଶ କେଉଁଠି ତିଆରି ହୁଏ।
ଏଥିରେ ଯଦି ତେହେରାନ ସୀମିତ ଉତ୍ପାଦନ ଜାରି ବି ରଖେ ତଥାପି ଇସ୍ରାଏଲ ଦ୍ୱାରା ଲଞ୍ଚକରାଯାଇଥିବା ୬୦୦ ବାଲିଷ୍ଟିକ୍ ମିଜାଇଲ ଦ୍ୱାରା ହୋଇଥିବା କ୍ଷୟକ୍ଷତିକୁ ଭରଣା କରିବା ଏତେ ସହଜ ନୁହେଁ। ଟାଇମ୍ସ ଅଫ ଇସ୍ରାଏଲ ରିପୋର୍ଟ ଅନୁସାରେ ଇରାନର ମିଜାଇଲ ଭଣ୍ଡାର ତାର ପୂର୍ବ ସ୍ଥିତିକୁ ଫେରିବାକୁ ଦୀର୍ଘ ବର୍ଷ ଲାଗିଯାଇ ପାରେ ବୋଲି ବିଶେଷଜ୍ଞ ଅନୁମାନ କରିଛନ୍ତି। ତେବେ ହିଞ୍ଜ କହିଛନ୍ତି ଯେ ଇରାନ ପାଖରେ ଏବେବି ସର୍ଟ ରେଞ୍ଜ ମିଜାଇଲ ଓ ଜାହାଜ ରୋଧୀ ମିଜାଇଲର ଏକ ବଡ଼ ଭଣ୍ଡାର ରହିଛି। ଯାହାକୁ ଏପରି ପରିସ୍ଥିତି ଉପୁଜିଲେ ଇରାନ ଉପସାଗରୀୟ ଅଞ୍ଚଳରେ ଆମେରିକାର ସାମରିକ ଘାଟି, ବାଣିଜ୍ୟିକ ନୌବହନ ଓ ବିଦ୍ୟୁତ ଯୋଗାଣ କେନ୍ଦ୍ରମାନଙ୍କ ଉପରେ ପ୍ରୟୋଗ କରିପାରେ।