ବୁଶେହର ଉପରେ ଇସ୍ରାଏଲର ଆକ୍ରମଣ ଆଣିବ ବିପଦ ! ଚେର୍ନୋବିଲ୍‌ ଟ୍ରାଜେଡିର ହେବ ପୁନରାବୃତ୍ତି ?

Published By : Prameya-News7 Bureau | June 23, 2025 IST

News7

ନୂଆଦିଲ୍ଲୀ: ମାଡ଼ିଆସୁଛି କି ମହାବିପଦ ? ପ୍ରଥମେ ଆକ୍ରମଣ କରିବା ପରଠୁ ପଛକୁ ହଟୁନି ଇସ୍ରାଏଲ। ପ୍ରତିଶୋଧ ଚେତାବନୀରୁ ଘୁଞ୍ଚୁନି ଇରାନ। ବାରୁଦ ଗଦା ଉପରେ ମଧ୍ୟପ୍ରାଚ୍ୟ। ଇରାନର ପରମାଣୁ ପ୍ରତିଷ୍ଠାନ ଉପରେ IDFର ଘନ ଘନ ଆକ୍ରମଣ। ଇରାନ ପ୍ରମୁଖ ନ୍ୟୁକ୍ଲିୟର ପ୍ଲାଣ୍ଟ ଉପରକୁ ଆମେରିକାର ହମଲା ଏବେ ନୂଆ ବିପଦକୁ ଜନ୍ମ ଦେଇଛି। ଚେତାବନୀ ଦେଇଛନ୍ତି ନ୍ୟୁକ୍ଲିୟର ବିଶେଷଜ୍ଞ। କହିଛନ୍ତି- ୧୯୮୬ ଭଳି ଆସିବ କି ମହାବିପର୍ଯ୍ୟୟ ?

ଇସ୍ରାଏଲର ଦି ରାଇଜିଂ ଲାୟନ ଭର୍ସେସ୍ ଇରାନର ଟ୍ରୁ ପ୍ରମିଜ ୩। ଏହା କେବଳ ସାମରିକ ଅପରେସନ ନୁହେଁ ବରଂ ଏକ ବିରାଟ ଯୁଦ୍ଧର ଆହ୍ୱାନ। ଆରମ୍ଭରୁ ପରମାଣୁ ପ୍ଲାଣ୍ଟକୁ ଟାର୍ଗେଟ୍‌ କରିଛି ଇସ୍ରାଏଲ। ଏକାଧିକ ପରମାଣୁ ଭିତ୍ତିଭୂମିକୁ ପ୍ରବଳ କ୍ଷତି ପହଞ୍ଚାଇଛି ଆଇଡିଏଫ୍‌ ଓ ମୋସାଦର ମିଳିତ ଅପରେସନ। ଅନେକ ବରିଷ୍ଠ ସାମରିକ କମାଣ୍ଡରଙ୍କ ସମେତ ପରମାଣୁ ବୈଜ୍ଞାନିକଙ୍କ ମୃତ୍ୟୁ ହୋଇଛି। ଇହୁଦୀ ଇସ୍ରାଏଲକୁ ପ୍ରତି ଜବାବ ଦେଇଛି ଇସଲାମିକ୍‌ ରିପ୍ଲବିକ୍‌ ଇରାନ୍‌। ପ୍ରତିଶୋଧ ନେବାକୁ ଯାଇ ଏକାବେଳକେ ୩୭୦ ବାଲିଷ୍ଟିକ୍ ମିଶାଇଲ ଆଉ ଶହ ଶହ ଡ୍ରୋନ ଆଟାକ୍‌ କରିଛି। ଆକ୍ରମଣ ଏତେ ଭୟଙ୍କର ଯେ ଫେଲ୍‌ ମାରିଛି ଇସ୍ରାଏଲର ସୁରକ୍ଷା କବଚ ଆଇରନ ଡୋମ୍‌। ଏଥିରେ ୨୪ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଏବଂ ପ୍ରାୟ ୬୦୦ ଲୋକ ଆହତ ହୋଇଥିବା କହିଛି ତେଲ ଆଭିବ୍‌। ଏହା ଭିତରେ ଯୁଦ୍ଧକୁ ଡେଇଁଛି ଆମେରିକା। ଇରାନର ୩ଟି ପରମାଣୁ ଘାଟି ଉପରେ ବୋମାମାଡ଼ କରିଛନ୍ତି ଟ୍ରମ୍ପ ସେନା। ଇରାନର ଫୋର୍ଡୋ, ନଟାଞ୍ଜ ଓ ଇସଫାହାନ ପରମାଣୁ ଘାଟି ଧ୍ୱଂସ । ବଙ୍କର ବଷ୍ଟର ବୋମା ସହ ଗୁପ୍ତ ବୋମାବାହୀ ବିମାନରେ ଆକ୍ରମଣ କରିଛି ଆମେରିକା ।

ଗୋଟିଏ ପଟେ ଆୟାତୋଲ୍ଲା ଶାସନକୁ ପତନ କରିବାକୁ ଯାଇ ଆକ୍ରମଣକୁ ତୀବ୍ର କରିଛି ଇସ୍ରାଏଲ। ସେପଟେ ଇହୁଦୀ ଶାସନକୁ ମୂଳଫୋଛ କରିବାକୁ ବଡ଼ ପଦକ୍ଷେପ ନେଉଛି ତେହରାନ। ପ୍ରତିଶୋଧ ନେବାକୁ ଯାଇ ଉଭୟେ ବ୍ୟବହାର କରୁଛନ୍ତି ପ୍ରଳୟଙ୍କାରୀ ଅସ୍ତ୍ର। ଇରାନର ରିଭୋଲ୍ୟୁସନାରୀ ଗାର୍ଡ IRGC ଏମାଦ, କ୍ୱାଦର-୧୧୦, ହଜ୍ କାସେମ୍ ଏବଂ ଫତାହ-୧ ଏବଂ ଫତାହ-୨ ପରି ହାଇପରସୋନିକ୍ ମିଶାଇଲ ଯୁଦ୍ଧରେ ବ୍ୟବହାର କରୁଛି। ଭାରତରେ ଥିବା ଇରାନୀ ଦୂତାବାସ କହିଛି, ଇସ୍ରାଏଲ ଉପରେ ଦୂରଗାମୀ ବାଲିଷ୍ଟିକ୍ ମିଶାଇଲ ସେଜିଲ୍ ନିକ୍ଷେପ କରିଛି IRGC। ଏହି କ୍ଷେପଣାସ୍ତ୍ର ଯୁଦ୍ଧରେ ପ୍ରଥମ ଥର ପାଇଁ ବ୍ୟବହାର କରାଯାଇଛି।

କେବଳ ସେତିକି ନୁହେଁ ପାକିସ୍ତାନ ଇରାନକୁ ସମର୍ଥନ କରୁଥିବା ନେଇ ସୂଚନା ଦେଇଛନ୍ତି IRGC ମେଜର ଜେନେରାଲ ମୋହସେନ ରେଜାଇ। ଯଦି ଇସ୍ରାଏଲ ପରମାଣୁ ମିଶାଇଲ ବ୍ୟବହାର କରେ, ତେବେ ଆମେ ମଧ୍ୟ ପରମାଣୁ ଅସ୍ତ୍ର ସହିତ ଆକ୍ରମଣ କରିବୁ। ଉପସାଗରୀୟ ଯୁଦ୍ଧରେ ଇସଲାମିକ ବମ ଚର୍ଚ୍ଚା। ପାକିସ୍ତାନ ଇରାନ ପଛରେ ଠିଆ ହେବାକୁ ପ୍ରତିଶ୍ରୁତି ଦେଇଥିବା IRGC ଦାବି ଏବେ ଚର୍ଚ୍ଚାରେ। ଇସ୍ରାଏଲ ବିରୁଦ୍ଧରେ ମୁସଲିମ ଏକତାକୁ ଆହ୍ୱାନ କରିଛି। ଆମେ ଏପରି ଏକ ସ୍ଥାନରେ ପହଞ୍ଚିପାରୁ ଯେଉଁଠି ଆମେ ବଡ଼ ପଦକ୍ଷେପ ନେବୁ ଯାହା ସମଗ୍ର ଅଞ୍ଚଳକୁ ଅସ୍ଥିର କରିବ। ଇରାନୀ ସଶସ୍ତ୍ର ବାହିନୀର ମୁଖପାତ୍ର ରେଜା ସୟଦ ବି ଇସ୍ରାଏଲକୁ ପରମାଣୁ ଚେତାବନୀ ଦେଇଛନ୍ତି। କହିଛନ୍ତି ମୁସଲିମ ଏକତାର କଥା। 

ସଂସଦରେ ସମସ୍ତ ମୁସଲିମ ଦେଶକୁ ଏକ ହେବାକୁ ଆହ୍ୱାନ କରିଛନ୍ତି ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫ। ଇରାନ, ୟେମେନ ଏବଂ ପାଲେଷ୍ଟାଇନକୁ ଟାର୍ଗେଟ କରିଛି ଇସ୍ରାଏଲ। ଯଦି ମୁସଲିମ ଦେଶ ଏବେ ଏକ ନହୁଏ, ତେବେ ସମସ୍ତେ ଇରାନ ପରି ସମାନ ପରିଣାମ ଭୋଗିବେ ବୋଲି ଆସିଫ କହିଛନ୍ତି। ତାଙ୍କର ଏହି ବୟାନ "ଇସଲାମିକ ବୋମା" ଏବଂ ଇସଲାମିକ ଏକତାର କଥା ଆଗକୁ ଆଣିଛି।  

ଇସଲାମିକ ବୋମାର ଧାରଣା ଦଶନ୍ଧି ପୁରୁଣା। ପାକିସ୍ତାନରେ ଇସଲାମିକ୍ ବୋମାର ଧାରଣା ୧୯୭୦ ଦଶକରେ ଜନ୍ମ ହୋଇଥିଲା ଯେତେବେଳେ କିଛି ଇସଲାମିକ୍ ନେତା, ବିଶେଷକରି ତତ୍କାଳୀନ ପ୍ରଧାନମନ୍ତ୍ରୀ ଜୁଲଫିକର ଅଲି ଭୁଟ୍ଟୋ ଏହାକୁ ଇସଲାମିକ୍ ବିଶ୍ୱର ସାମୂହିକ ଶକ୍ତିର ପ୍ରତୀକ ଭାବରେ ଉପସ୍ଥାପନ କରିଥିଲେ। ଭୁଟ୍ଟୋ କହିଥିଲେ ଯେ ଆବଶ୍ୟକ ହେଲେ ପାକିସ୍ତାନ ଘାସ ଖାଇବ କିନ୍ତୁ ପରମାଣୁ ବୋମା ତିଆରି କରିବ। କିଛି ବିଶ୍ଳେଷକ ଏବଂ ପାଶ୍ଚାତ୍ୟ ଗଣମାଧ୍ୟମ ଏହାକୁ ଇସଲାମିକ୍ ବୋମା ବୋଲି ନାମ ଦେଇଛନ୍ତି। ଦାବି କରିଛନ୍ତି ଯେ ଏହାର ଉଦ୍ଦେଶ୍ୟ ଇସଲାମିକ୍ ଦେଶଗୁଡ଼ିକୁ ସୁରକ୍ଷା ଦେବା ଏବଂ ପାଶ୍ଚାତ୍ୟ ଦେଶ କିମ୍ବା ଇସ୍ରାଏଲ ବିରୁଦ୍ଧରେ ଏକତା ପ୍ରଦର୍ଶନ କରିବା। ତଥାପି, ପାକିସ୍ତାନର ସରକାରୀ ନୀତି ପରମାଣୁ ଅସ୍ତ୍ରକୁ ଜାତୀୟ ସୁରକ୍ଷା ପାଇଁ ଏକ ରଣନୈତିକ ଅସ୍ତ୍ର ଭାବରେ ଦେଖେ, ଧାର୍ମିକ ଉଦ୍ଦେଶ୍ୟରେ ନୁହେଁ। ଏବେ ଆମକୁ ଦେଖିବାକୁ ପଡିବ ଯେ ଇସଲାମିକ୍ ବୋମାର ଧାରଣା ବାସ୍ତବ କି କେବଳ ପ୍ରତୀକାତ୍ମକ।

ଇସ୍ରାଏଲ ଏବେ ପରମାଣୁ ଅସ୍ତ୍ର ସହିତ ଜବାବ ଦେବ କି ନାହିଁ  ତାକୁ ନେଇ ପ୍ରଶ୍ନ। SIPRI ଅନୁଯାୟୀ, ଇସ୍ରାଏଲ ପାଖରେ ପ୍ରାୟ ୯୦ ପରମାଣୁ ଅସ୍ତ୍ରଶସ୍ତ୍ର ଅଛି। ନେତାନ୍ୟାହୁ ଦୀର୍ଘ ସମୟ ଧରି ଇରାନ ସହିତ ପରମାଣୁ ଚୁକ୍ତିନାମାକୁ ବିରୋଧ କରିଆସୁଛନ୍ତି, ଜୋର ଦେଇ କହିଛନ୍ତି ଯେ ତେହେରାନକୁ ବିଶ୍ୱାସ କରାଯାଇପାରିବ ନାହିଁ। ବର୍ତ୍ତମାନ, ଇରାନର ପାଓ୍ୱାରଫୁଲ ମିଶାଇଲ ଆକ୍ରମଣ ଯଦି ବଢ଼େ ତେବେ ଇସ୍ରାଏଲ ପରମାଣୁକୁ ବିକଳ୍ପ ଭାବେ ବ୍ୟବହାର କରିପାରେ।

ତେହେରାନରୁ ଆସୁଥିବା ପରମାଣୁ ବୟାନବାଜିରେ ବିଶ୍ୱ ସୁରକ୍ଷା ବିଶ୍ଳେଷକମାନେ ଚିନ୍ତିତ। ଭାରତ ପ୍ରତିରକ୍ଷା ବିଶ୍ଳେଷକ ବିଜୈନ୍ଦର କେ ଠାକୁର Xରେ ଲେଖିଛନ୍ତି ଟ୍ରମ୍ପ ଏବଂ ନେତାନ୍ୟାହୁ ଉଭୟ ନିଶ୍ଚିତ ଯେ ଯଦି ଇରାନ ପଛକୁ ହଟିବ ନାହିଁ, ତେବେ ସେମାନେ ପରମାଣୁ ଅସ୍ତ୍ର ବ୍ୟବହାର କରିବେ। କିଛି ବିଶ୍ଳେଷକଙ୍କ ମତ ଇସ୍ରାଏଲ ଚରମ ପ୍ରତିଶୋଧ ନେବାକୁ ଯାଇ କିଛି ଘାତକ ମିଶାଇଲ ଛାଡିପାରେ। ଏପରିକି ଆଇରନ ଡୋମ ସହାୟତାରେ ଆଣବିକ ଶକ୍ତି ବହନକରୁଥିବା ସୁପରସୋନିକ ମିଶାଇଲ ଛାଡିପାରେ। କିନ୍ତୁ ଏପରି ପଦକ୍ଷେପ ପାଇଁ ଆମେରିକୀୟ ଅନୁମୋଦନ ଆବଶ୍ୟକ ହେବ। ଯାହାକି ଅସମ୍ଭବ ମନେହୁଏ। ଏହାର ଅର୍ଥ ଇସ୍ରାଏଲର ପରମାଣୁ ସ୍ଥିତିକୁ ଆନୁଷ୍ଠାନିକ ଭାବରେ ସ୍ୱୀକାର କରିବା। ଏହା କୂଟନୈତିକ ଜଟିଳତାକୁ ଆହୁରି ଗମ୍ଭୀର କରିପାରେ।

ଇରାନର ଧମକ ପରେ ଏଥର ସିଧା ହମଲା କରିଛି ଆମେରିକା। ଶାନ୍ତି ଆଲୋଚନା ଫେଲ ମାରିବା ପରେ ତେହେରାନକୁ କଡ଼ା ଜବାବ ଦେଇଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏହି ସମୟରେ ବ୍ୟାପକ ସଂଘର୍ଷର ଭୟ ବଢ଼ିବାରେ ଲାଗିଛି। ସେପଟେ ଇରାନର ବୁଶେହର ପରମାଣୁ କେନ୍ଦ୍ର ଉପରେ ଇସ୍ରାଏଲର ଆକ୍ରମଣ "ଚୋର୍ନୋବିଲ୍-ଶୈଳୀର ବିପର୍ଯ୍ୟୟ" ସୃଷ୍ଟି କରିପାରେ ବୋଲି ଚେତାବନୀ ଦେଇଛି ଋଷ।

ଇରାନକୁ ଧମକ ଦେଇଥିଲେ ଟ୍ରମ୍ପ। ମାନିଲେନି ସୁପ୍ରିମ ଲିଡର୍। ଶେଷରେ ଜୋରଦାର ହମଲା କରିଛି ଆମେରିକା। ୩ ପରମାଣୁ ଘାଟି କ୍ଷତିଗ୍ରସ୍ତ। ଟ୍ରମ୍ପଙ୍କ ଚେତାବନୀ- ଏବେ ଶାନ୍ତିର ସମୟ ଆସିଛି। ଆମେ ଶାନ୍ତି ଚାହୁଁ, ସଂଘର୍ଷ ନୁହେଁ। ଇରାନ ନମାନିଲେ ଆଗକୁ ଆହୁରି ଆକ୍ରମଣ କରିବୁ। ଆମେରିକାର ଆକ୍ରମଣକୁ ନିନ୍ଦା କରିଛି ଇରାନ। କହିଲା ସଠିକ ସମୟରେ ସଠିକ ଜବାବ ଦେବୁ।  ସେପଟେ ଇରାନ ବୁଶେହର ପରମାଣୁ ଶକ୍ତି କେନ୍ଦ୍ର ଉପରେ ଆକ୍ରମଣ କରିଥିବା ଦାବି କରିଛି ଇସ୍ରାଏଲ। ଉପସାଗର ଉପକୂଳରେ ଥିବା ବୁଶେହର ଉପରେ ଆକ୍ରମଣ ଏବେ ଚିନ୍ତାର ବିଷୟ। ବୁଶେହର ହେଉଛି ଇରାନର ଏକମାତ୍ର କାର୍ଯ୍ୟକ୍ଷମ ପରମାଣୁ ଶକ୍ତି କେନ୍ଦ୍ର ଏବଂ ଏହା ରୁଷ ଦ୍ୱାରା ନିର୍ମିତ। ପ୍ଲାଣ୍ଟ ଚାରିପାଖର ପରିସ୍ଥିତି ବିପଦପୂର୍ଣ୍ଣ। ପରମାଣୁ ପ୍ରତିଷ୍ଠାନ ଉପରେ ଇସ୍ରାଏଲୀୟ ଆକ୍ରମଣ ଅଗ୍ରହଣୀୟ ଏବଂ ବେଆଇନ ବୋଲି କହିଛି ଋଷ। ପରମାଣୁ ଶକ୍ତି କେନ୍ଦ୍ର ଉପରେ ଇସ୍ରାଏଲର ଆକ୍ରମଣ ଚେର୍ନୋବିଲ ପରି ବିପର୍ଯ୍ୟୟ ଆଣିପାରେ ବୋଲି ଚେତାବନୀ ଦେଇଛନ୍ତି ରୁଷିଆର ପରମାଣୁ ଶକ୍ତି ନିଗମ ମୁଖ୍ୟ। 

ଏହି ଦାବି ପରେ ସମଗ୍ର ବିଶ୍ୱରେ ଭୟ ଆଉ ଆଶଙ୍କା। ଆଜି ମଧ୍ୟ ବିଶ୍ୱର ଅନେକ ପ୍ରାନ୍ତର ଲୋକ ଚେର୍ନୋବିଲ୍ ନାଁ ଶୁଣିବା ମାତ୍ରେ ଭୟରେ ଥରି ଉଠନ୍ତି। କାରଣ ୩୯ ବର୍ଷ ପୂର୍ବେ ସେଠାରେ ଘଟିଥିବା ପରମାଣୁ ଦୁର୍ଘଟଣା ଇତିହାସର ସବୁଠାରୁ ଭୟଙ୍କର ଘଟଣା ମଧ୍ୟରୁ ଗୋଟିଏ। ଚେର୍ନୋବିଲ୍ ଦୁର୍ଘଟଣାର ଯନ୍ତ୍ରଣାଦାୟକ ଇତିହାସ ଦୁଃଖଦାୟକ। ୧୯୮୬ରେ ହୋଇଥିବା ଏହି  ଭୟଙ୍କର ଦୁର୍ଘଟଣାର ହେବନି ତ ପୁନରାବୃତ୍ତି ?

26 ଏପ୍ରିଲ 1986। ଏହି ତାରିଖ ଏବେ ବି ୟୁକ୍ରେନର ସବୁଠାରୁ ଅଶୁଭ ତାରିଖ ମଧ୍ୟରୁ ଗୋଟିଏ। ଏହି ଦିନ ଚେର୍ନୋବିଲ୍ ପରମାଣୁ ପ୍ଲାଣ୍ଟରେ ଏକ ବିରାଟ ବିସ୍ଫୋରଣ ହୋଇଥିଲା। ଯାହା ବ୍ୟାପକ ଧ୍ୱଂସ ଘଟାଇଥିଲା। ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଏହାର ପ୍ରଭାବ ଅନେକ ଦଶନ୍ଧି ଧରି ପ୍ରଭାବ ରହିଥିଲା। ଚେର୍ନୋବିଲ୍ ପରମାଣୁ ପ୍ଲାଣ୍ଟ ୟୁକ୍ରେନ ଏବଂ ବେଲାରୁସର ସୀମା ନିକଟରେ ଥିଲା। ଏହି ଦୁର୍ଘଟଣା ଯୋଗୁଁ ଏକ ବଡ଼ ପରିମାଣରେ ବିକିରଣ ବା ରାଡିଏସନ ଲିକ୍ ହୋଇଥିଲା। ଯାହା ହଜାର ହଜାର ଲୋକଙ୍କୁ ପ୍ରଭାବିତ କରିଥିଲା। ଏହାର କୁପ୍ରଭାବ ଅନେକ ପିଢ଼ି ପର୍ଯ୍ୟନ୍ତ ଦେଖାଯାଇଥିଲା।

୨୬ ସେପ୍ଟେମ୍ବର ୧୯୭୭ରେ ଏହା ସ୍ଥାପନ କରାଯାଇଥିଲା ଚେର୍ନୋବିଲ୍ ପ୍ଲାଣ୍ଟ। ୟୁକ୍ରେନ ରାଜଧାନୀ କିଭ ଠାରୁ ପ୍ରାୟ ୧୦୫ କିଲୋମିଟର ଉତ୍ତରରେ ଏହା ଅବସ୍ଥିତ। ସୋଭିଏତ୍ ୟୁନିଅନ୍ ଏଠାରେ ଚାରୋଟି ୧୦୦୦ ମେଗାୱାଟ୍ ରିଆକ୍ଟର ନିର୍ମାଣ କରିଥିଲା। ୨୬ ଏପ୍ରିଲ ୧୯୮୬ ରେ ଚେର୍ନୋବିଲ୍ ପରମାଣୁ ପ୍ଲାଣ୍ଟରେ ସୁରକ୍ଷା ଯାଞ୍ଚ କରାଯାଉଥିଲା। ଏହା ଏକ ସାଧାରଣ ପ୍ରକ୍ରିୟା ଥିଲା। ପରୀକ୍ଷଣ ସମୟରେ ହଠାତ୍ ସୃଷ୍ଟି ହୋଇଥିବା ଏନର୍ଜି ଏବଂ ବାଷ୍ପର ଚାପ ଯୋଗୁଁ ଗୋଟିଏ ପରେ ଗୋଟିଏ ବିସ୍ଫୋରଣ ଘଟିଥିଲା। ଫଳରେ ପ୍ଲାଣ୍ଟର ରିଆକ୍ଟରର ଏକ ଅଂଶ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା। ମାରାତ୍ମକ ରାଡିଏସନ ସଂସ୍ପର୍ଶରେ ଆସିଥିବା ୨୮ କର୍ମଚାରୀ ଏବଂ ଅଗ୍ନିଶମବାହିନୀଙ୍କ ସମେତ ୩୧ ଜଣଙ୍କର ତୁରନ୍ତ ମୃତ୍ୟୁ ହୋଇଥିଲା। ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ଏହି ଦୁର୍ଘଟଣା ଯୋଗୁଁ ହଜାର ହଜାର ଲୋକଙ୍କ ଅକାଳରେ ମୃତ୍ୟୁ ହୋଇଥିଲା। ଅନେକ ଲୋକ କର୍କଟ ଭଳି ଗମ୍ଭୀର ରୋଗର ଶିକାର ହେଲେ। ଚେର୍ନୋବିଲ୍ ଦୁର୍ଘଟଣା ପରେ ରାଡିଏସନର ପ୍ରଭାବ ସେହି ଅଞ୍ଚଳରେ ବର୍ଷ ବର୍ଷ ଧରି ରହିଥିଲା। ଏହାର ପ୍ରଭାବ ଏତେ ଥିଲା ଯେ ଆଜିବି ଅନେକ ଅଞ୍ଚଳକୁ ରାଡିଏସନ ଫ୍ରି ଜୋନ୍‌ ଘୋଷଣା କରାଯାଇନାହିଁ।

ଏବେ ଇରାନର ପରମାଣୁ ପ୍ଲାଣ୍ଟ ଉପରେ ଇସ୍ରାଏଲର ଆକ୍ରମଣର ଅଭିଯୋଗ ଚେର୍ନୋବିଲର ପୁନରାବୃତ୍ତି ହେବା ଆଶଙ୍କା ବଢ଼ି ଚାଲିଛି। ଯଦି ଏହି ଦାବି ସତ୍ୟ ପ୍ରମାଣିତ ହୁଏ, ତେବେ ଏହା କେବଳ ଇରାନ ପାଇଁ ନୁହେଁ ବରଂ ବିଶ୍ୱ ପାଇଁ ଏକ ବଡ଼ ବିପଦ ସୃଷ୍ଟି କରିଛି ବୋଲି ବିଶେଷଜ୍ଞମାନେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.