ନୂଆଦିଲ୍ଲୀ: ଶତ୍ରୁଙ୍କୁ ମାତ୍ ଦେବାକୁ ଇରାନ୍ର ବ୍ଲୁପ୍ରିଣ୍ଟ। ଟେନ୍ସନ୍ରେ ଇସ୍ରାଏଲ । ପେଜେସକିଆନଙ୍କ ପଦକ୍ଷେପକୁ ନେଇ ମଧ୍ୟପ୍ରାଚ୍ୟରେ ଅସ୍ଥିରତା। ଇରାନର ଘାତକ ବାଲିଷ୍ଟିକ୍ ମିଶାଇଲ୍। 1700 କିଲୋମିଟର ଦୂରତା ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିବାରେ ସକ୍ଷମ। ଏଭଳି ପ୍ରଳୟଙ୍କାରୀ ମିଶାଇଲ ଲଞ୍ଚ୍ କରି ସାରା ବିଶ୍ୱକୁ ନିଜର ଶକ୍ତି ଦେଖାଇଛି ଇରାନ।
ଇରାନର ରାଷ୍ଟ୍ରପତି ମାସୁଦ ପେଜେଶକିଆନଙ୍କ ଉପସ୍ଥିତିରେ ଆୟୋଜିତ ଏକ ସମାରୋହରେ ଘାତକ ମିଶାଇଲ ଲଞ୍ଚ କରିଛି ଇରାନ। ଏହି ମିଶାଇଲର ନାମ ଏଟେମାଡ ରଖାଯାଇଛି। ପାର୍ସିରେ ଏହାର ଅର୍ଥ ବିଶ୍ୱାସ। ଏହି କ୍ଷେପଣାସ୍ତ୍ରର ସର୍ବାଧିକ 1,700 କିଲୋମିଟର ବା ୧୦୫୬ ମାଇଲ ଅତିକ୍ରମ କରିବାର କ୍ଷମତା ରହିଛି। ଏହା ଇରାନ ପ୍ରତିରକ୍ଷା ମନ୍ତ୍ରଣାଳୟ ଦ୍ୱାରା ଉତ୍ପାଦିତ ବାଲିଷ୍ଟିକ୍ ମିଶାଇଲ। ଇରାନର ଅସ୍ତ୍ରଶସ୍ତ୍ରରେ ଏହା ହେଉଛି ନୂଆ ମିଶାଇଲ। ଯାହା ଇସ୍ରାଏଲ ଉପରେ ବଡ଼ ହମଲା କରିବାରେ ସକ୍ଷମ।
ଆମ ପ୍ରତିରକ୍ଷା କ୍ଷମତା ଓ ବିକାଶର ଉଦ୍ଦେଶ୍ୟ ହେଉଛି ଯେକୌଣସି ଦେଶ ଇରାନ ଉପରେ ଆକ୍ରମଣ କରିବାକୁ ସାହସ କରିବେ ନାହିଁ ବୋଲି ଇରାନ ରାଷ୍ଟ୍ରପତି ମାସୁଦ ପେଜେଶକିଆନ୍ କହିଛନ୍ତି। ଦଶନ୍ଧି ଧରି ପାଶ୍ଚାତ୍ୟ ଦେଶମାନଙ୍କ ସହ ତିକ୍ତତାର ବିଷୟ ପାଲଟିଥିବା ଆଣବିକ କାର୍ଯ୍ୟକ୍ରମ ଉପରେ ପୁନର୍ବାର ଆଲୋଚନା ଆରମ୍ଭ କରିବାକୁ ତେହେରାନ ନିଜର ଇଚ୍ଛା ପ୍ରକାଶ କରିଛି। ଏକ ସମୟ ଥିଲା ଯେତେବେଳେ ଇରାନ ଆମେରିକାର ଅଧିକାଂଶ ସାମରିକ ଉପକରଣ ପାଇଥିଲା କିନ୍ତୁ ୧୯୭୯ର ଇସଲାମିକ ବିପ୍ଳବ ପରେ ପରିସ୍ଥିତି ବଦଳି ଯାଇଥିଲା। ଆମେରିକା ସହିତ ଇରାନର ସମ୍ପର୍କ ଖରାପ ହୋଇଗଲା ଯେଉଁଥିପାଇଁ ନିଜେ ଅସ୍ତ୍ରଶସ୍ତ୍ର ବିକଶିତ କରିବାକୁ ବାଧ୍ୟ ହୋଇଛି। ୧୯୮୦ ରୁ ୧୯୮୮ ମଧ୍ୟରେ ଇରାକ ସହିତ ଯୁଦ୍ଧ ସମୟରେ ଏହି ଅସ୍ତ୍ର ନିଷେଧ କରାଯାଇଥିଲା। ଇରାନରେ ବର୍ତ୍ତମାନ କ୍ଷେପଣାସ୍ତ୍ର, ବାୟୁ ପ୍ରତିରକ୍ଷା ପ୍ରଣାଳୀ ଏବଂ ଡ୍ରୋନ୍ ସମେତ ଘରୋଇ ବିକଶିତ ଅସ୍ତ୍ରଶସ୍ତ୍ରର ବିରାଟ ଭଣ୍ଡାର ରହିଛି।