ନୂଆଦିଲ୍ଲୀ: ଇରାନ ଏବଂ ଇସ୍ରାଏଲ ଯୁଦ୍ଧ ସିନା ବନ୍ଦ, କିନ୍ତୁ ଯୁଦ୍ଧକ୍ଷେତ୍ର ଏବେ ଡିଜିଟାଲ୍ ସ୍ପେସରେ ପରିଣତ ହୋଇଛି। ଏଥର ଇରାନର ହ୍ୟାକର୍ସମାନେ ଆମେରିକା ଏବଂ ଟ୍ରମ୍ପଙ୍କ ଦଳକୁ ସିଧାସଳଖ ଟାର୍ଗେଟ କରିଛନ୍ତି। ଟ୍ରମ୍ପଙ୍କ ଟିମ୍ର ୧୦୦ ଜିବି ଇମେଲକୁ ଲିକ୍ କିମ୍ବା ବିକ୍ରୟ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଏହା ଦାବି କରିଛି ଇରାନ-ସମର୍ଥିତ ହ୍ୟାକର୍ସ ଗ୍ରୁପ୍।
ରଏଟର୍ସ ରିପୋର୍ଟ ଅନୁଯାୟୀ, ରବର୍ଟ ନାମରେ କାମ କରୁଥିବା ଏହି ହ୍ୟାକର୍ସ ଗୋଷ୍ଠୀ ୨୦୨୪ ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ସାମ୍ନାକୁ ଆସିଥିଲା। ସେତେବେଳେ ସେମାନେ ଟ୍ରମ୍ପଙ୍କ ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ଲୋକଙ୍କ ଇମେଲ୍ ହ୍ୟାକ୍ କରିଥିଲେ ଏବଂ କିଛି ଗଣମାଧ୍ୟମ ସଂଗଠନକୁ ମଧ୍ୟ ଲିକ୍ କରିଥିଲେ। ଯୁଦ୍ଧ ପରେ ଏବେ ଏହି ଗୋଷ୍ଠୀ ପୁଣି ସକ୍ରିୟ ହୋଇଯାଇଛି।
ହ୍ୟାକର୍ସଙ୍କ ପାଖରେ ଟ୍ରମ୍ପଙ୍କ ଟିମ୍ ସହିତ ଜଡିତ କିଛି ଗୁରୁତ୍ୱପୂର୍ଣ୍ଣ ଲୋକଙ୍କ ଇମେଲର ସମ୍ପୂର୍ଣ୍ଣ ତଥ୍ୟ ଅଛି। ଏଥିରେ ହ୍ୱାଇଟ୍ ହାଉସ୍ ଚିଫ୍ ଅଫ୍ ଷ୍ଟାଫ୍ ସୁଜି ୱାଇଲ୍ସ, ଟ୍ରମ୍ପଙ୍କ ଓକିଲ ଲିଣ୍ଡସେ ହାଲିଗାନ୍, ଟ୍ରମ୍ପଙ୍କ ପରାମର୍ଶଦାତା ରୋଜର ଷ୍ଟୋନଙ୍କ ନାମ ଅନ୍ତର୍ଭୁକ୍ତ। ଏହା ବ୍ୟତୀତ, ଏହି ହ୍ୟାକର୍ସ ଗୋଷ୍ଠୀ ପାଖରେ ଷ୍ଟର୍ମି ଡାନିଏଲ୍ସଙ୍କ ତଥ୍ୟ ମଧ୍ୟ ଅଛି। ଏମାନେ ଧମକ ଦେଇଛନ୍ତି ଯେ ଏହି ଇମେଲ୍ ବିକ୍ରି କରିବାକୁ ଯୋଜନା କରୁଛନ୍ତି। ତଥାପି ସେମାନେ ଏପର୍ଯ୍ୟନ୍ତ ସ୍ପଷ୍ଟ କରିନାହାଁନ୍ତି ଯେ ଏଥିରେ କ'ଣ ଡକ୍ୟୁମେଣ୍ଟ ଅଛି।
୨୦୨୪ ନିର୍ବାଚନ ପୂର୍ବରୁ, ରବର୍ଟ ଗ୍ରୁପ୍ କିଛି ଇମେଲ୍ ଲିକ୍ କରିଥିଲା, ଯେଉଁଥିରେ ଟ୍ରମ୍ପ ଏବଂ ତାଙ୍କ ଓକିଲଙ୍କ ମଧ୍ୟରେ ଆର୍ଥିକ କାରବାର, RFK ଜୁନିଅରଙ୍କ ସହିତ ଆଇନଗତ ଚୁକ୍ତି ବିଷୟରେ ସୂଚନା, ଷ୍ଟର୍ମି ଡାନିଏଲ୍ସ ସହିତ ସମ୍ପର୍କିତ ସମାଧାନ ଆଲୋଚନା, ରିପବ୍ଲିକାନ ନେତାଙ୍କ ସହ ସମ୍ପର୍କିତ ନିର୍ବାଚନ ରଣନୀତି ଅନ୍ତର୍ଭୁକ୍ତ ଥିଲା। ତଥାପି, ଏହି ଲିକ୍ ଟ୍ରମ୍ପଙ୍କ ବିଜୟ ଉପରେ କୌଣସି ବଡ଼ ପ୍ରଭାବ ପକାଇ ନଥିଲା। ବର୍ତ୍ତମାନ ହ୍ୱାଇଟ୍ ହାଉସ୍ କିମ୍ବା FBI ପକ୍ଷରୁ କୌଣସି ବିସ୍ତୃତ ବିବୃତ୍ତି ଆସିନାହିଁ।
ପ୍ରତିରକ୍ଷା ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ଇରାନ୍ ଏବେ ବିକଳ୍ପ ରଣନୀତି ଗ୍ରହଣ କରୁଛି ଯାହା ସିଧାସଳଖ ଯୁଦ୍ଧ ନକରି ଆମେରିକା ଏବଂ ଇସ୍ରାଏଲକୁ କ୍ଷତି ପହଞ୍ଚାଇପାରେ। ସାଇବର ଆକ୍ରମଣ, ତଥ୍ୟ ଲିକ୍ ଏବଂ ଅନଲାଇନ୍ କାର୍ଯ୍ୟ ଏବେ ଇରାନର ନୂତନ ଯୁଦ୍ଧ ପାଲଟିଛି।