ତେହେରାନ ୨୩।୬: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ପରମାଣୁ ମହତ୍ୱାକାଙକ୍ଷାକୁ ଧୂଳିସାତ କରିଦେଇଥିବାର ଦାବି କରୁଛନ୍ତି। ତେବେ ବରିଷ୍ଠ ଆମରିକୀୟ ଅଧିକାରୀ ସ୍ୱୀକାର କରିଛନ୍ତି ଯେ ସେମାନେ ଜାଣନ୍ତିନି ଇରାନ ନିକଟରେ ଅସ୍ତ୍ରଶସ୍ତ୍ର ସ୍ତରର ୟୁରେନିୟମ ଏବେ କେଉଁଠି ଅଛି। ଏକ ପ୍ରେସ୍ ବ୍ରିଫିଙ୍ଗରେ ଡିଫେନ୍ସ ସେକ୍ରେଟାରୀ ପିଟ୍ ହେଗସେଥ୍ ଓ ଜଏଣ୍ଟ ଚିଫ୍ ଅଫ ଷ୍ଟାଫ ଡେନ କ୍ୟାନ ରାଷ୍ଟ୍ରପତି ଟ୍ରମ୍ପ କରୁଥିବା ଦାବିର ସ୍ପଷ୍ଟ ଜବାବ ଦେଇ ନାହାନ୍ତି।
ସେମାନେ କହିଛନ୍ତି ଯେ ବାୟୁସେନାର ପ୍ରାରମ୍ଭିକ ରିପୋର୍ଟ ଅନୁସାରେ ବି-୨ ବମ୍ବର ନୌସେନାର ଟମହକ୍ ମିଜାଇଲ ଦ୍ୱାରା ଇରାନର ୩ଟି ପରମାଣୁ ସ୍ଥଳରେ ବ୍ୟାପକ ବିନାଶ ରଚିଛି। ଏଥିରେ ମୁଖ୍ୟ ଲକ୍ଷ୍ୟ ଥିଲା ଇରାନର ଫୋର୍ଡୋ ୟୁରେନିୟମ ସମ୍ବର୍ଦ୍ଧନ ପ୍ଲାଣ୍ଟ। ତେବେ ଇରାନ ସେନାର ପ୍ରାରମ୍ଭିକ ରିପୋର୍ଟରୁ ଜଣାପଡିଛି ଅଞ୍ଚଳ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। ଆମେରିକାର ୩୦ ହଜାର ପାଉଣ୍ଡ ବଙ୍କର ବଷ୍ଟର ବୋମା ଯୋଗୁ ବଡ଼ ବଡ଼ ଗାଡ ହୋଇଯାଇଥିବା ଉପଗ୍ରହ ଚିତ୍ରରୁ ଦେଖାଯାଉଛି।
ତେବେ ନ୍ୟୁୟର୍କ ଟାଇମ ରିପୋର୍ଟ ଅନୁସାରେ ୨ ଇସ୍ରାଏଲୀ ଅଧିକାରୀଙ୍କ ସୂତ୍ରରୁ ଏହା ଦେଖାଇବାକୁ ପର୍ଯ୍ୟାପ୍ତ ପ୍ରମାଣ ଯେ ଇରାନ ଗତ ଦିନମାନଙ୍କରେ ଏହି ପରମାଣୁ ସାଇଟରୁ ଉପକରଣ ଓ ୟୁରେନିୟମ ନେଇଯାଇଥିଲା। ଏହା ଛଡା ନିକଟରେ ଟ୍ରମ୍ପଙ୍କ ଧମକ କାରଣରୁ ଇରାନ ୬୦% ଶୁଦ୍ଧତାର ୪୦୦ କେଜି ଅର୍ଥାତ ୮୮୦ ପାଉଣ୍ଡ ୟୁରେନିୟମ ହଟାଇ ଦେଇଥିଲା। ଏହା ୯୦%ରୁ ସାମାନ୍ୟ କମ୍ ଶୁଦ୍ଧ ଇନ୍ଧନ ଯାହା ପରମାଣୁ ଅସ୍ତ୍ରଶସ୍ତ୍ର ନିର୍ମାଣରେ ବ୍ୟବହାର ହୁଏ।
ଅନ୍ତର୍ଜାତୀୟ ପରମାଣୁ ଉର୍ଜା ଏଜେନ୍ସୀ (ଆଇଏଇଏ) ମୁଖ୍ୟ ରାଫେଲ ମାରିୟାନୋ ଗ୍ରସି ୟୁଏନ ନିରୀକ୍ଷକଙ୍କୁ ସୂଚିତ କରିଥିଲେ ଯେ ତାଙ୍କ ଟିମ୍ ଏହି ଇନ୍ଧନକୁ ଶେଷ ଥର ଇସ୍ରାଏଲ ଦ୍ୱାରା ଇରାନ ଉପରେ ଆକ୍ରମଣ ଆରମ୍ଭର ସପ୍ତାହକ ପୂର୍ବରୁ ଦେଖିଥିଲେ। ତେବେ ସେ ସିଏନଏନକୁ କହିଛନ୍ତି ଯେ ‘ଇରାନ ଏହି ସାମଗ୍ରୀର ସୁରକ୍ଷା କରିଛି ଏ ନେଇ କୌଣସି ରହସ୍ୟ ରଖିନି’। ଯୁଦ୍ଧରେ ଆମେରିକାର ଭାଗିଦାରୀ ନେଇ ଟ୍ରମ୍ପ ଗତ କିଛି ଦିନ ହେଲା ବିଚାର ବିମର୍ଷ କରୁଥିଲେ ଓ ସେ ତାଙ୍କ ପ୍ରେସ ସଚିବଙ୍କୁ ବ୍ରିଫିଙ୍ଗ ରୁମରୁ ଦୁଇ ସପ୍ତାହର ସମୟ ସୀମା ଘୋଷଣା କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ତେବେ ସିଏନଏନ ରିପୋର୍ଟ ଅନୁସାରେ ଟ୍ରମ୍ପ ବରିଷ୍ଠ କର୍ମଚାରୀଙ୍କ ସହିତ ବ୍ୟକ୍ତିଗତ ଆଲୋଚନାରେ ଇସ୍ରାଏଲର ସୈନ୍ୟ ଅଭିଯାନରେ ସାମିଲ ହେବାକୁ ଅନ୍ତତଃ ନିଶ୍ଚିତ ହୋଇ ସାରିଥିଲେ। କାରଣ ତାଙ୍କ ଦୂତ ଷ୍ଟିଭ ଭିଟକଫ ଏବେବି କୂଟନୈତିକ ପ୍ରୟାସ ଜାରି ରଖିଥିଲେ।