ନୂଆଦିଲ୍ଲୀ : ଯେଉଁ ପରମାଣୁ ଡିଲ୍କୁ ନେଇ ଇରାନର ହଜାର ହଜାର ଲୋକଙ୍କ ଜୀବନ ଯାଇଛି । କୋଟି କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି, ଏହି ମାମଲାରେ ଇରାନ ଏବେ ବି ସ୍ଥିର ରହିଛି। ଇରାନ ଗୁରୁବାର କହିଛି ଯେ, ସେ ଆମେରିକା ସହ ପରମାଣୁ ମାମଲାରେ ଆଲୋଚନା ପାଇଁ ପ୍ରସ୍ତୁତ, କିନ୍ତୁ ଏଥିପାଇଁ ସେ ବିଶ୍ୱାସ ଓ ସମ୍ମାନର ମୌଳିକ ସର୍ତ୍ତ ରଖିଛି। ଇରାନ ଉପ-ବୈଦେଶିକ ମନ୍ତ୍ରୀ ରାଜିମ ଘରିବାବାଦୀ ସ୍ପଷ୍ଟ କରିଛନ୍ତି ଯେ, ୱାଶିଂଟନକୁ ସର୍ବ ପ୍ରଥମେ ବିଶ୍ୱାସ ଫେରାଇ ପାଇଁ ଠୋସ୍ ଓ ସାର୍ଥକ ପଦକ୍ଷେପ ନେବାକୁ ହେବ।
ଇରାନର ଏହି ପ୍ରତିକ୍ରିୟା ଏହି ସମୟରେ ଆସିଛି , ଯେତେବେଳେ କି ଶୁକ୍ରବାର ଦିନ ଇସ୍ତାନବୁଲରେ ବ୍ରିଟେନ , ଫ୍ରାନ୍ସ , ଜର୍ମାନୀ ଓ ୟୁରୋପୀୟ ସଂଘର ଉପ ବୈଦେଶିକ ନୀତି ମୁଖ୍ୟଙ୍କ ସହ ଏକ ଗୁରୁତ୍ତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଜୁନ୍ ମାସରେ ଇରାନ ଓ ଇସ୍ରାଏଲ ମଧ୍ୟରେ ହୋଇଥିବା ୧୨ ଦିନିଆ ଯୁଦ୍ଧ ପରେ ପ୍ରଥମ ଥର ପାଇଁ ଏହି ବୈଠକ ଅନୁଷ୍ଠିତ ହେଉଛି। ସେହି ସଂଘର୍ଷ ସମୟରେ , ଆମେରିକୀୟ ବୋମାବର୍ଷକ ବିମାନ ଇରାନର ପରମାଣୁ ସ୍ଥାନ ଗୁଡ଼ିକୁ ଟାର୍ଗେଟ କରିଥିଲା , ଯାହା ଉତ୍ତେଜନାକୁ ଶୀର୍ଷ ସ୍ତରରେ ପହଞ୍ଚାଇ ଥିଲା।
ଇରାନର ସର୍ତ୍ତ –
ଇରାନୀ ଉପ ମନ୍ତ୍ରୀ ଘରିବାବାଦୀ ଗୁରୁବାର ସୋସିଆଲ ମିଡ଼ିଆରେ ଏକ ବୟାନ ଜାରି କରି କହିଥିଲେ ଯେ, ଆମେ ଆମେରିକା ସହ ଆଲୋଚନା ପାଇଁ ପ୍ରସ୍ତୁତ ,କିନ୍ତୁ କିଛି ମୌଳିକ ନୀତି ବଜାୟ ରଖିବା ଜରୁରୀ। ତାଙ୍କ ଅନୁସାରେ, ଆଲୋଚନାରେ ଅଂଶଗ୍ରହଣ କରିବା ପାଇଁ ଇରାନ କିଛି ମୌଳିକ ସିଦ୍ଧାନ୍ତ ବଜାୟ ରଖିବାକୁ ଚାହୁଁଛି । ଏଥିରେ ଅନ୍ତରାଷ୍ଟ୍ରୀୟ ସ୍ତରରେ ଇରାନର ବିଶ୍ୱାସ ପୁଣି ଥରେ ଫେରାଇ ଆଣିବା, ସାମରିକ କାର୍ଯ୍ୟାନୁଷ୍ଠାନ କିମ୍ୱା କୌଣସି ଗୁପ୍ତ ଏଜେଣ୍ଡା ପାଇଁ ଆଲୋଚନା ମଞ୍ଚ ବ୍ୟବହାର ନକରିବା, ପରମାଣୁ ଅପ୍ରସାର ଚୁକ୍ତି ( ଏନପିଟି) ଅଧୀନରେ ଇରାନର ବୈଧ ଅଧିକାରକୁ ସମ୍ମାନ ଦେବା ଓ ସମସ୍ତ ଆର୍ଥିକ କଟକଣା ହଟାଇବା ଅନ୍ତର୍ଭୁକ୍ତ ଅଛି।
ବିଶ୍ଳେଷକଙ୍କ ଅନୁସାରେ , ଇରାନର ଏହି ମତ ଏହି ସମୟରେ ଗୁରୁତ୍ତ୍ୱପୂର୍ଣ୍ଣ ରହିଛି, ଯେତେବେଳେ ପଶ୍ଚିମୀ ଦେଶ ତାଙ୍କର ୟୁରେନିୟମ ସମୃଦ୍ଧି କାର୍ଯ୍ୟକ୍ରମ ଓ ଅସ୍ତ୍ରଶସ୍ତ୍ରର ସମ୍ଭାବନାକୁ ନେଇ ଚିନ୍ତିତ ରହିଛି। ଅନ୍ୟପଟେ ତେହରାନ ବାରମ୍ୱାର କହି ଚାଲିଛି ଯେ, ତାର ପରମାଣୁ କାର୍ଯ୍ୟକ୍ରମ ସଂପୂର୍ଣ୍ଣ ରୂପେ ଶାନ୍ତିପୂର୍ଣ୍ଣ ଉଦ୍ଦେଶ୍ୟ ପାଇଁ ରହିଛି।