ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୬ ପାଇଁ ଏବେଠୁ ସବୁ ପ୍ରାଞ୍ଚାଇଜ୍ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି । କିଛି ଦଳ ଆଗାମୀ ସଂସ୍କରଣ ପାଇଁ କିଛି ଖେଳାଳିଙ୍କୁ ମୁକ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହାରି ଭିତରେ ଖବର ଆସିଥିଲା ଯେ ରାଜସ୍ଥାନ ରୟାଲ୍ସର ଅଧିନାୟକ ସଞ୍ଜୁ ସାମସନ୍ ଅନ୍ୟ ଦଳକୁ ଯାଇପାରନ୍ତି । ବିଶେଷ କରି ଚେନ୍ନାଇ ସୁପର କିଙ୍ଗ୍ସକୁ ତାଙ୍କୁ ନିଜ ଟିମକୁ ନେବା ପାଇଁ ଆଗ୍ରହୀ ଥିବା ଖବର ସାମନାକୁ ଆସିଥିଲା । କିନ୍ତୁ ରାଜସ୍ଥାନ ମ୍ୟାନେଜମେଣ୍ଟ ଏହି କଳ୍ପନାଜଳ୍ପନାର ଅନ୍ତ ଘଟାଇ ଏକ ବଡ଼ ନିଷ୍ପତ୍ତି ନେଇଛି । ରିପୋର୍ଟ ଅନୁସାରେ, ରାଜସ୍ଥାନ ରୟାଲ୍ସ IPL ୨୦୨୬ରେ କୌଣସି ଖେଳାଳିଙ୍କୁ ଟ୍ରେଡ୍ ନକରିବା ଲାଗି ନିଷ୍ପତ୍ତି ନେଇଛି । ତେବେ ବର୍ତ୍ତମାନ ସୁଦ୍ଧା ରାଜସ୍ଥାନ ରୟାଲ୍ସ ପକ୍ଷରୁ ଏହା ଉପରେ କୌଣସି ଆନୁଷ୍ଠାନିକ ବୟାନ ଆସିନି ।
ସଞ୍ଜୁ ସାମସନ୍ ଆଇପିଏଲ୍ ୨୦୨୫ରେ ଆହତ ସମସ୍ୟା ସହିତ ସଂଘର୍ଷ କରୁଥିଲେ । ଗତ ସଂସ୍କରଣରେ ସେ କେବଳ ୯ଟି ମ୍ୟାଚ୍ ଖେଳିପାରିଥିଲେ । ଦଳ ଏହି ସିଜିନର ପ୍ରଥମ ରାଉଣ୍ଡରୁ ବାଦ ପଡ଼ିଥିଲା । ଏହା ପରେ ଅନୁମାନ କରାଯାଉଥିଲା ଯେ ସଞ୍ଜୁ ସାମସନ ଚେନ୍ନାଇ ସୁପର କିଙ୍ଗ୍ସ କିମ୍ବା କୋଲକାତା ନାଇଟ୍ ରାଇଡର୍ସ ଦଳରେ ଯୋଗ ଦେଇପାରନ୍ତି । ଟାଇମ୍ସ ଅଫ୍ ଇଣ୍ଡିଆ ରିପୋର୍ଟ ଅନୁସାରେ, ରାଜସ୍ଥାନ ରୟାଲ୍ସ IPL ୨୦୨୬ ପାଇଁ ସଞ୍ଜୁ ସାମସନ କିମ୍ବା ଅନ୍ୟ କୌଣସି ଖେଳାଳିଙ୍କୁ ଟ୍ରେଡ୍ ନକରିବାକୁ ନିଷ୍ପତ୍ତି ନେଇଛି ।
ପରବର୍ତ୍ତୀ ସିଜିନରେ ସଞ୍ଜୁ ସାମସନ ଦଳର ଅଧିନାୟକ ଦାୟିତ୍ୱ ନେବେ କି ରିୟାନ ପରାଗଙ୍କୁ ସୁଯୋଗ ଦିଆଯିବ ତାହା ଉପରେ ଦଳ ପକ୍ଷରୁ ଏପର୍ଯ୍ୟନ୍ତ ନିଷ୍ପତ୍ତି ନିଆଯାଇନାହିଁ । ଗତ ସିଜିନରେ ଆଘାତ ଯୋଗୁ ରିୟାନ ପରାଗ ଅଧିକାଂଶ ମ୍ୟାଚ୍ରେ ଦଳର ଅଧିନାୟକ ଦାୟିତ୍ୱ ନେଇଥିଲେ । ତଥାପି ରିପୋର୍ଟ ଅନୁଯାୟୀ ରାଜସ୍ଥାନ ମ୍ୟାନେଜମେଣ୍ଟ ଏବେ ବି ସଞ୍ଜୁଙ୍କୁ ଦଳର ଅଧିନାୟକ ଭାବରେ ବିଚାର କରୁଛି ।
ସଞ୍ଜୁ ସାମସନଙ୍କ IPL ଖେଳିବାର ବହୁ ଅଭିଜ୍ଞତା ରହିଛି । ସେ IPLରେ ୧୭୭ ମ୍ୟାଚ୍ ଖେଳି ୧୩୯.୦୫ ଷ୍ଟ୍ରାଇକ୍ ରେଟ୍ରେ ୪୭୦୪ ରନ୍ କରିଛନ୍ତି । ତାଙ୍କ ନାଁରେ ତିନୋଟି ଶତକ ମଧ୍ୟ ଅଛି । ୱିକେଟ୍ କିପିଂ ଏବଂ ବ୍ୟାଟିଂ ସହିତ, ସଞ୍ଜୁ ସାମସନ ଦଳର ନେତୃତ୍ୱ ବି ନେଇପାରନ୍ତି । ତାଙ୍କ ଅଧିନାୟକତ୍ୱରେ ରାଜସ୍ଥାନ ରୟାଲ୍ସକୁ IPL ୨୦୨୨ର ଫାଇନାଲ୍ ଖେଳିଥିଲା ।