ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ବୋର୍ଡ(ବିସିସିଆଇ) ସୋମବାର ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍) ୨୦୨୫ ପୁଣି ଥରେ ଆରମ୍ଭ କରିବାକୁ ଘୋଷଣା କରିଛି। ଚଳିତ ସଂସ୍କରଣରେ ଆଉ ୧୭ଟି ମ୍ୟାଚ୍ ବାକି ରହିଛି। ମେ ୧୭ରୁ ପୁଣି ଆରମ୍ଭ ହେଉଥିବା ଆଇପିଏଲ୍ର ଅବଶିଷ୍ଟ ମ୍ୟାଚ୍ ୬ଟି ସହରରେ ଖେଳାଯିବ। ଫାଇନାଲ୍ ମ୍ୟାଚ୍ ଜୁନ ୩ରେ ଆୟୋଜିତ ହେବ। ତେବେ ପାକିସ୍ତାନ ସହ ଉତ୍ତେଜନା କାରଣରୁ ଗୋଟିଏ ସପ୍ତାହ ଆଇପିଏଲ୍ ସ୍ଥଗିତ ହେବାରୁ ଫ୍ରାଞ୍ଚାଇଜଙ୍କୁ କ୍ଷତି ସହିବାକୁ ପଡ଼ିବ।
ସଂଶୋଧିତ କାର୍ଯ୍ୟସୂଚୀ ଅନୁସାରେ ଆଇପିଏଲ୍ ୨୦୨୫ ଜୁନ ୩ ତାରିଖରେ ସରିବ। ଅନ୍ୟପଟେ ମେ ଶେଷ ଆଡ଼କୁ ଅନ୍ତର୍ଜାତୀୟ କ୍ରିକେଟ୍ କ୍ୟାଲେଣ୍ଡର ପୁଣି ଆରମ୍ଭ ହେବାକୁ ଯାଉଛି। ତେଣୁ ଆଇପିଏଲ୍ର ଅବଶିଷ୍ଟ ମ୍ୟାଚ୍ରେ ବିଦେଶୀ ଖେଳାଳିଙ୍କ ଖେଳିବା ନେଇ ଆଶଙ୍କା ଦେଖା ଦେଇଛି। ମେ ୧୭ ତାରିଖରେ ଏମ ଚିନ୍ନାସ୍ଵାମୀ ଷ୍ଟାଡିୟମରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ।
Also read: କୋହଲି ରିଟାୟର୍ଡ ପୋଷ୍ଟରେ କାହିଁକି ଲେଖିଲେ #269 ? ଏହାର ଅର୍ଥ କ’ଣ...
ମେ ଶେଷ ଆଡ଼କୁ ପୁଣି ଥରେ ଅନ୍ତର୍ଜାତୀୟ କ୍ରିକେଟ୍ କ୍ୟାଲେଣ୍ଡର ସକ୍ରିୟ ହେବ ଏବଂ ଦଳଗୁଡ଼ିକ ପ୍ରସ୍ତୁତିରେ ଜୁଟିଯିବେ। ମେ ୨୯ରେ ଇଂଲଣ୍ଡ ଓ ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ ସିରିଜ୍ ଆରମ୍ଭ ହେବ। ଏହାର ବଡ଼ ପ୍ରଭାବ ଆଇପିଏଲ୍ ଉପରେ ପଡ଼ିବ। କାରଣ ଓ୍ଵେଷ୍ଟଇଣ୍ଡିଜର ଖେଳାଳି ରୋମାରିଓ ସେଫର୍ଡ(ଆରସିବି), ସମର ଯୋଶେଫ(ଏଲଏସଜି), ଶେରଫେନ ରଦରଫୋର୍ଡ(ଜିଟି) ପାଇଁ ଖେଳିବା ମୁସ୍କିଲ ହୋଇପାରେ।
ଅନ୍ୟପଟେ ଜୋସ ବଟଲର(ଜିଟି), ଫିଲ ସଲ୍ଟ(ଆରସିବି), ଜ୍ୟାକବ ବେଥଲ(ଆରସିବି), ଲିୟାମ ଲିଭିଙ୍ଗଷ୍ଟୋନ(ଆରସିବି), ଓ୍ଵିଲ ଜ୍ୟାକ୍ସ(ଏମଆଇ) ଓ ରିସ ଟପଲି(ଏମଆଇ) ମଧ୍ୟ ଅନ୍ତର୍ଜାତୀୟ ମ୍ୟାଚ୍ କାରଣରୁ ଆଇପିଏଲ୍ ଛାଡ଼ିବାକୁ ବାଧ୍ୟ ହେବେ। ପୁଣି ବିଶ୍ଵ ଟେଷ୍ଟ ଚାମ୍ପିଅନସିପ ଫାଇନାଲ୍ ମ୍ୟାଚ୍ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଜୁନ ୧୧ରେ ଲର୍ଡସରେ ଖେଳାଯିବ। ତେଣୁ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ଖେଳାଳିଙ୍କ ଆଇପିଏଲର ବାକି ମ୍ୟାଚ୍ ଖେଳିବା ନେଇ ସଂଶୟ ଦେଖା ଦେଇଛି।
ଫଳରେ ମିଚେଲ୍ ଷ୍ଟାର୍କ(ଡିସି), ଟ୍ରିଷ୍ଟନ ଷ୍ଟବ୍ସ(ଡିସି), ଜୋଶ ହେଜେଲଉଡ(ଆରସିବି), ମାର୍କୋ ଜନସେନ ଓ ଜୋଶ ଇଙ୍ଗ୍ଲିଶ(ପଞ୍ଜାବ କିଙ୍ଗ୍ସ), ଆଡନ ମାରକ୍ରମ(ଏଲଏସଜି), କାଗିସୋ ରାବଡ଼ା(ଜିଟି) ଓ ରିୟାନ ରିକଲଟନ(ଏମଆଇ)ଙ୍କ ପରି ବଡ଼ ଖେଳାଳି ଆଇପିଏଲ୍ରେ ନିଜ ଦଳରେ ଯୋଗ ଦେବା ମୁସ୍କିଲ ଲାଗୁଛି।