ଏମଏସ ଧୋନୀଙ୍କୁ ମିଳିଲା ବଡ଼ ସମ୍ମାନ, ICC ହଲ୍ ଅଫ୍ ଫେମରେ ହେଲେ ସାମିଲ

Published By : Prameya-News7 Bureau | June 09, 2025 IST

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି) ଭାରତର ପୂର୍ବତନ ଅଧିନାୟକ ତଥା ମହାନ ଓ୍ଵିକେଟ୍ କିପର ବ୍ୟାଟର ମହେନ୍ଦ୍ର ସିଂ ଧୋନୀଙ୍କୁ ବଡ଼ ସମ୍ମାନରେ ସମ୍ମାନିତ କରିଛି। ସୋମବାର ଧୋନୀଙ୍କୁ ଆଇସିସି ହଲ୍ ଅଫ ଫେମ୍ ୨୦୨୫ରେ ସାମିଲ କରାଯାଇଛି। ଏହି ସମ୍ମାନ ପାଇବାରେ ଧୋନୀ ଭାରତର ୧୧ତମ କ୍ରିକେଟର। ୨୦୦୪ରେ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ପଦାର୍ପଣ କରିଥିବା ଧୋନୀ ୨୦୦୭ରେ ନିଜ ନେତୃତ୍ଵରେ ଭାରତକୁ ପ୍ରଥମ ଟି-୨୦ ବିଶ୍ଵକପ୍ ଜିତାଇଥିଲେ। ଧୋନୀଙ୍କ ନେତୃତ୍ଵରେ ଭାରତୀୟ ଦଳ ୨୦୦୯ରେ ପ୍ରଥମ ଥର ଅଇସିସି ଟେଷ୍ଟ ମାନ୍ୟତାରେ ଶୀର୍ଷରେ ପହଞ୍ଚିଥିଲା। 

ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ୍ (ଡବ୍ଲ୍ୟଟିସି)ର ୨୦୨୫ର ମାତ୍ର ୨ ଦିନ ପୂର୍ବରୁ ଲଣ୍ଡନରେ ଏକ ସମାରୋହ ଅନୁଷ୍ଠିତ ହୋଇଛି, ଯେଉଁଥିରେ ଧୋନୀଙ୍କ ସମେତ ୭ ଜଣ କିମ୍ବଦନ୍ତୀ କ୍ରିକେଟରଙ୍କୁ ହଲ୍ ଅଫ୍ ଫେମ୍ ରେ ସମ୍ମାନିତ କରାଯାଇଛି। ଏମଏସ ଧୋନିଙ୍କ ବ୍ୟତୀତ, ମାଥ୍ୟୁ ହେଡେନ୍, ଗ୍ରେମ  ସ୍ମିଥ୍, ଡାନିଏଲ୍ ଭିଟୋରି ଏବଂ ହାସିମ୍ ଆମଲାଙ୍କୁ ମଧ୍ୟ ହଲ୍ ଅଫ୍ ଫେମ୍ ରେ ସମ୍ମାନିତ କରାଯାଇଛି। ଧୋନୀ ଏହି ସମ୍ମାନ ପାଇବାରେ ୧୧ତମ ତମ ଭାରତୀୟ କ୍ରିକେଟର ହୋଇଛନ୍ତି। ଆନ୍ତର୍ଜାତୀୟ ଅବସରର ପ୍ରାୟ ୫ ବର୍ଷ ପରେ ଧୋନୀ ଏହି ସମ୍ମାନ ପାଇଛନ୍ତି। ଧୋନୀ  ୨୦୨୦ ଅଗଷ୍ଟ ୧୫ରେ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ। ୨୦୧୯ ବିଶ୍ୱକପ୍ ସେମିଫାଇନାଲ୍ ଭାବେ ଧୋନୀ ନିଜର ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ। 


'କ୍ୟାପ୍ଟେନ୍ କୁଲ୍' ଭାବରେ ଜଣାଶୁଣା ଏମଏସ ଧୋନୀ ସବୁଠାରୁ ସଫଳ ଭାରତୀୟ ଅଧିନାୟକମାନଙ୍କ ମଧ୍ୟରୁ ଅନ୍ୟତମ। ତାଙ୍କ ଅଧିନାୟକତ୍ୱରେ ଭାରତ ୩ଟି ଆଇସିସି ଟ୍ରଫି ଜିତିଥିଲା। ଧୋନୀଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ୨୦୦୭ ଟି-୨୦ ବିଶ୍ୱକପ୍, ୨୦୧୧ ଦିନିକିଆ ବିଶ୍ୱକପ୍ ଏବଂ ୨୦୧୩ ଚାମ୍ପିଅନ୍ସ ଟ୍ରଫି ଜିତିଥିଲା। ସେ ଆଇସିସିର ସୀମିତ ଓଭର କ୍ରିକେଟ୍‌ର ତିନି ଫର୍ମାଟ୍‌ର ଟ୍ରଫି ଜିତିବାରେ ବିଶ୍ଵର ଏକମାତ୍ର ଅଧିନାୟକ। ଧୋନୀଙ୍କ ପୂର୍ବରୁ ବିଶନ ସିଂହ ବେଦୀ, କପିଳ ଦେବ, ସୁନୀଲ ଗାଭାସ୍କର, ଅନିଲ କୁମ୍ବଲେ, ସଚିନ ତେନ୍ଦୁଲକର, ଭିନୁ ମଙ୍କଡ, ବୀରେନ୍ଦ୍ର ସେହୱାଗ, ରାହୁଲ ଦ୍ରାବିଡ, ନୀତୁ ଡେଭିଡ ଏବଂ ଡାଏନା ଏଡୁଲଜିଙ୍କୁ ଆଇସିସି ହଲ ଅଫ୍ ଫେମରେ ସାମିଲ କରାଯାଇଛି। 

ଲ୍ଲେଖନୀୟ ଯେ ICC ହଲ୍ ଅଫ୍ ଫେମ୍ କ୍ରିକେଟର ମହାନ ଖେଳାଳିଙ୍କ ସଫଳତାକୁ ସ୍ୱୀକୃତି ଦିଏ। ଏହା ୨୦୦୯ ମସିହାରେ ଆରମ୍ଭ ହୋଇଥିଲା, ସେବେଠାରୁ ୧୨୨ ଜଣ ଖେଳାଳିଙ୍କୁ ଏଥିରେ ସାମିଲ କରାଯାଇଛି। ଧୋନୀ ଭାରତ ପାଇଁ ୩୫୦ ଟି ଦିନିକିଆ ଖେଳି ୫୦.୫୭ ହାରରେ ୧୦୭୭୩ ରନ କରିଛନ୍ତି। ଏଥିରେ ୧୦ ଟି ଶତକ ଏବଂ ୭୩ ଟି ଅର୍ଦ୍ଧଶତକ ସାମିଲ। ସେ ୯୦ ଟି ଟେଷ୍ଟ ମ୍ୟାଚ ଖେଳି ୩୮ ରୁ ଅଧିକ ହାରରେ  ୬ ଟି ଶତକ ସହିତ ୪୮୭୬ ରନ କରିଥିଲେ। 

ଏମଏସ ଧୋନୀ ୨୦୦୪ ମସିହାରେ ବାଂଲାଦେଶ ବିପକ୍ଷରେ ଏକ ଦିନିକିଆ ମ୍ୟାଚ୍ ଖେଳି ତାଙ୍କର ଅନ୍ତର୍ଜାତୀୟ ଡେବ୍ୟୁ କରିଥିଲେ। ତିନି ବର୍ଷ ପରେ, ୨୦୦୭ ମସିହାରେ, ସେ ଟିମ୍ ଇଣ୍ଡିଆର ଅଧିନାୟକ ହୋଇଥିଲେ। ୨୦୦୭ ଟି୨୦ ବିଶ୍ୱକପରେ, ଭାରତୀୟ ଦଳ ଜଣେ ଯୁବ ଖେଳାଳିଙ୍କ ଅଧିନାୟକତ୍ୱରେ ଖେଳୁଥିଲା। ଭାରତ ଫାଇନାଲରେ ପାକିସ୍ତାନକୁ ହରାଇ ଚାମ୍ପିଅନ ହେବା ସମଗ୍ର ଭାରତ ଖୁସିରେ ଝୁମି ଉଠିଥିଲା। ଧୋନୀଙ୍କ ଅଧିନାୟକତ୍ୱରେ ଭାରତ ୨୦୧୦ ଏବଂ ୨୦୧୬ରେ ଏସିଆ କପ୍ ଟାଇଟଲ ମଧ୍ୟ ଜିତିଥିଲା। ସେ୨୦୦୮ ଏବଂ ୨୦୦୯ରେ ଆଇସିସି ପ୍ଲେୟାର ଅଫ୍ ଦି ଇୟର ପୁରସ୍କାରରେ ସମ୍ମାନିତ ହୋଇଥିଲେ। 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.