SCO ସମ୍ମିଳନୀରେ ଭାରତର କଡ଼ା ଆଭିମୁଖ୍ୟ, ଗୋଟିଏ ଦେଶ ଅଡି ରହିବାରୁ ଜାରି ହେଲାନି ମିଳିତ ବିବୃତ୍ତି

Published By : Prameya-News7 Bureau | June 26, 2025 IST

ନୂଆଦିଲ୍ଲୀ ୨୬।୬: ବିଦେଶ ମନ୍ତ୍ରାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ ଗୁରୁବାର ବିଭିନ୍ନ ଗୁରୁତ୍ୱପୂ୍ର୍ଣ୍ଣ ପ୍ରସଙ୍ଗରେ ଗଣମାଧ୍ୟମକୁ ସମ୍ବୋଧିତ କରିଛନ୍ତି। ସେ ସାଂଘାଇ ସହଯୋଗ ସଙ୍ଗଠନ (ଏସସିଓ) ପ୍ରତିରକ୍ଷା ମନ୍ତ୍ରୀମାନଙ୍କ ବୈଠକ, ଆମେରିକୀୟ ଆଡଭାଇଜରୀ ଓ ଇସ୍ରାଏଲ-ଇରାନ ଯୁଦ୍ଧ କ୍ଷେତ୍ରରୁ ଭାରତୀୟଙ୍କ ନିଷ୍କାସନ ଉପରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ୨୫ ଓ ୨୬ ଜୁନରେ ଅନୁଷ୍ଠିତ ଏସସିଓ ସମ୍ମିଳନୀରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଯୋଗ ଦେଇଛନ୍ତି। 

ଏହି ସମ୍ମିଳନୀରେ ଭାରତ ଆତଙ୍କବାଦକୁ ନେଇ ସ୍ପଷ୍ଟ ଓ ଦୃଢ ଆଭିମୁଖ୍ୟ ଗ୍ରହଣ କରିଥିବା ଜୟସ୍ୱାଲ କହିଛନ୍ତି। ତେବେ ସମ୍ମିଳନୀରେ ଏକ ସଦସ୍ୟ ଦେଶର ଅସହମତି ଯୋଗୁ ମିଳିତ ବିବୃତ୍ତି ଜାରି ହାଇ ପାରିନଥିବା ଜୟସ୍ୱାଲ ସୂଚନା ଦେଇଛନ୍ତି। ଏହା ସତ୍ତ୍ୱେ ଭାରତ ନିଜ ବ୍ୟକ୍ତିଗତ ବୟାନରେ ଆତଙ୍କବାଦ ବିରୋଧରେ ନିଜର ମଜଭୁତ ପକ୍ଷ ରଖିଥିବା ସେ କହିଛନ୍ତି। ସେହିପରି ଆମେରିକା ଦ୍ୱାରା ଜାରି ନୂଆ ଯାତ୍ରା ଆଡଭାଇଜରୀ ସମ୍ପର୍କରେ ମଧ୍ୟ ଜୟସ୍ୱାଲ କହିଛନ୍ତି। ସେ କହିଛନ୍ତି ଯେ ଏପରି ଆଡଭାଇଜରୀ ଆମେରିକା ସମୟ ସମୟରେ ଜାରି କରିଥାଏ। ତେବେ ଭାରତ ଦୀର୍ଘ ସମୟରୁ ଲେବୁଲ-୨ ଶ୍ରେଣୀରେ ଅଛି ଓ ଏହି ସ୍ତରରେ କୌଣସି ପରିବର୍ତ୍ତନ ହୋଇ ନାହିଁ। 

ସେହିପରି ଅପରେସନ ‘ସିନ୍ଧୁ’ ସଞ୍ଚାଳନରେ ସହଯୋଗ କରିଥିବା ଦେଶଙ୍କୁ ଜୟସ୍ୱାଲ କୃତଜ୍ଞତା ଜ୍ଞାପନ କରିଛନ୍ତି। ଏହି ଅଭିଯାନ ଜୁନ ୧୮ ତାରିଖରେ ଆରମ୍ଭ ହୋଇଥିଲା, ଏଥିରେ ଭାରତୀୟ ନାଗରିକଙ୍କୁ ସଂକଟଗ୍ରସ୍ତ କ୍ଷେତ୍ରରୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା। ଏଥି ପାଇଁ ବିଶେଷ କରି ଇରାନ ସରକାରଙ୍କୁ ଭାରତ ଧନ୍ୟବାଦ ଜଣାଇଛି। ଏହି ଅଭିଯାନ ନିମନ୍ତେ ଇରାନ ନିଜ ବାୟୁ କ୍ଷେତ୍ରକୁ ଉନ୍ମୁକ୍ତ କରିଥିଲା। ଏହା ଛଡା ତୁର୍କମେନିସ୍ତାନ, ଜୋର୍ଡାନ ଓ ଇଜିପ୍ଟ ସରକାରଙ୍କୁ ଅଭିଯାନ ନିମନ୍ତେ ସମର୍ଥନ ଲାଗି ଉଚ୍ଚ ପ୍ରଶଂସା କରିଛନ୍ତି। 

ଜୟସ୍ୱାଲ କହିଛନ୍ତି ଯେ ଇସ୍ରାଏଲରେ ପାଖାପାଖି ୪୦ ହଜାର ଭାରତୀୟ ବସବାସ କରୁଛନ୍ତି। ଏପର୍ଯ୍ୟନ୍ତ ସେଠାରୁ ୩,୪୨୬ ଜଣଙ୍କୁ ସଫଳତା ପୂର୍ବକ ନିଷ୍କାସନ କରାଯାଇଛି। ଉଦ୍ଧର ହୋଇଥିବା ଲୋକଙ୍କ ମଧ୍ୟରେ ୧୧ ଜଣ ଓସିଆଇ ଧାରୀ, ୯ ନେପାଳୀ, ୪ ଜଣ ଶ୍ରୀଲଙ୍କା ଓ ଜଣେ ଇରାନୀ ନାଗରିକ(ପତ୍ନୀ ଭାରତୀୟ) ଅଛନ୍ତି। ଏହି ନାଗରିକ ମାନଙ୍କୁ ଫେରାଇ ଆଣିବା ପାଇଁ ମୋଟ ୧୫ଟି ଉଡାଣର ଯୋଜନା କରାଯାଇଥିଲା। ଏଥିରୁ ୧୪ଟି ଉଡାଣ ପୂରା ହୋଇ ସାରିଛି ଓ ଆଉ ଗୋଟିଏ ଉଡାଣ ଆର୍ମେନିୟାରୁ ଆସୁଛି। ଇସ୍ରାଏଲ ଏୟାରସ୍ପେସ୍ ବନ୍ଦ ଥିବା କାରଣରୁ ୮୧୮ ଭାରତୀୟଙ୍କୁ ୪ଟି ସ୍ୱତନ୍ତ୍ର ଉଡାଣ ମାଧ୍ୟମରେ ଜୋର୍ଡାନ ଓ ଇଜିପ୍ଟ ରାସ୍ତାରେ ଭାରତ ଅଣାଯାଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.