ଗାଁରେ ନିର୍ମାଣ ହେବ ମ୍ୟାଜିକ ଡ୍ରେନ୍‌.. ଏବେ ପଞ୍ଚାୟତରେ ଗୋଟିଏ, ଆଗକୁ ସବୁ ଗାଁରେ

NEWS7
indias-most-wanted-criminal-maoist-leader-ganapathy-to-be-surrender

ଭୁବନେଶ୍ୱର ୧୩।୦୧ : ଗାଁରେ ହେବ ମ୍ୟାଜିକ ଡ୍ରେନ୍ । ଆନ୍ଧ୍ର ଢାଞ୍ଚାରେ ଓଡ଼ିଶା ଏହି ଗ୍ରାମାଞ୍ଚଳରେ ଏହି ମ୍ୟାଜିକ ଡ୍ରେନ୍ ଟେକ୍ନୋଲୋଜି ଆପଣାଇବାକୁ ଯାଉଛି । ଏବେ ଗାଧୁଆ, ଲୁଗା ସଫା, ବାସନ ଧୁଆ ଓ ଅନ୍ୟ ସାଧାରଣ ଘରୋଇ କାମରେ ବ୍ୟବହାର ହେଉଥିବା ପାଣି(ଗ୍ରେ ୱାଟର) କୁ ଲୋକେ ରାସ୍ତାକୁ ଛାଡ଼ି ଦେଉଛନ୍ତି । ଗାଁ ଦାଣ୍ଡ କାଦୁଅ ପଚପଚ ହେଉଛି । ପୁଣି ଅକାରଣରେ ପାଣି ନଷ୍ଟ ହେଉଛି । ଏହା ଗୋଟିଏ ଜାଗାରେ ଜମି ଦୁର୍ଗନ୍ଧ କରୁଛି । ଭଣ ଭଣ ମଶା ହେଉଛନ୍ତି । ଏହାକୁ ଏଡ଼ାଇବାକୁ ମ୍ୟାଜିକ ଡ୍ରେନ୍ କରିବାକୁ ଯାଉଛନ୍ତି ରାଜ୍ୟ ସରକାର ।

ପଞ୍ଚାୟତିରାଜ ବିଭାଗ ଏହି ମ୍ୟାଜିକ ଡ୍ରେନ୍ ତିଆରି କରିବ । ପ୍ରତି ୧୦୯ ମିଟର ଲମ୍ବାର ଡ୍ରେନ୍ ପାଇଁ ୧ଲକ୍ଷ ୧୫ ହଜାର ଟଙ୍କା ଖର୍ଚ୍ଚ ହେବ । ପାଇଲଟ୍ ପ୍ରକଳ୍ପ ଭାବେ ପ୍ରତି ପଞ୍ଚାୟତରେ ଗୋଟିଏ ଲେଖାଏଁ ମ୍ୟାଜିକ୍ ଡ୍ରେନ୍ କରାଯିବ । ଏଥିପାଇଁ ବିଭାଗ ପକ୍ଷରୁ ସବୁ ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହି ପରୀକ୍ଷଣ ସଫଳ ହେଲେ ପ୍ରତି ଗାଁରେ ଏହା ତିଆରି ହେବ । ମ୍ୟାଜିକ ଡ୍ରେନ୍ରେ ପାରମ୍ପରିକ କଂକ୍ରିଟ୍ ୱାଲ ବା କାନ୍ଥ ବଦଳରେ ପ୍ରି-କାଷ୍ଟ ସ୍ଲାବ୍ ବ୍ୟବହାର ହେବ । ଏହାର ନିର୍ମାଣ ପଦ୍ଧତି ପୂରା ଭିନ୍ନ । ଏଥିରେ ଗାଁ ଦାଣ୍ଡରେ ଯାଇଥିବା ରାସ୍ତା କଡ଼କୁ ଦୁଇ ଫୁଟ ଗଭୀର ଓ ଦୁଇ ଫୁଟ ଚଉଡ଼ାରେ ଖୋଳି ଦିଆଯିବ । ପୂରା ତଳେ ପତଳା ବାଲି ରହିବ । ଏହା ଉପରେ ମୋଟା ବାଲି ଦିଆଯିବ । ତା ଉପରେ ଦୁଇଟି ପରସ୍ତର ଗୋଡ଼ି ବା ଚିପ୍ସ ରହିବ । ମୋଟା ବାଲି ଉପରେ ସାମାନ୍ୟ ଛୋଟ ଚିପ୍ସ ଓ ତା ଉପରେ ସାମାନ୍ୟ ବଡ଼ ଚିପ୍ସ ରହିବ । ୨ ଫୁଟର ଗଭୀରରେ ମୋଟ ୪ଟି ବାଲି ଓ ଗୋଡ଼ିର ଆସ୍ତରଣ ରହିବ । ଏହାର ଦୁଇ ପାଶ୍ୱର୍ରେ ପ୍ରି-କାଷ୍ଟ ସ୍ଲାବ୍ ଛିଡ଼ା ହେବ । ଏହି ଡ୍ରେନରେ ସର୍ବାଧିକ ଲମ୍ବା ୧୦୯ ମିଟର ରହିବ । ଡ୍ରେନ୍ର ପ୍ରତି ୩୦ ମିଟର ଦୂରତାରେ ଗୋଟିଏ ସୋକ୍ ପିଟ୍ ଟାଙ୍କି ରଖାଯିବ । ଅର୍ଥାତ୍ ପୂରା ଡ୍ରେନରେ ୩ଟି ସୋକ୍ ପିଟ୍ ରହିବ । ସୋକ୍ ପିଟ ବି ସମାନ ଢଙ୍ଗରେ ୪ଟି ବାଲି ଓ ଗୋଡ଼ିର ଆସ୍ତରଣ ରଖାଯିବ । ଲୋକେ ଘରେ ବ୍ୟବହାର କରୁଥିବା ପାଣି( ଶୌଚାଳୟ ପାଣିକୁ ଛାଡି) ଏବେ ଗାଁ ରାସ୍ତାକୁ ଆସି ଜମା ହେଉଛି । ଏହା ନର୍ଦ୍ଦମା ସୃଷ୍ଟି କରୁଛି । ଏହାଫଳରେ ପରିବେଶ ପୂତିଗନ୍ଧମୟ ହେଉଛି । ମଶା ଓ କୀଟ ଜମା ହୋଇ ରୋଗ ବାଣ୍ଟୁଛନ୍ତି । ମ୍ୟାଜିକ୍ ଡ୍ରେନ୍ ତିଆରି ହେଲେ ବୋହି ଯାଉଥିବା ଏହି ପାଣି ଡ୍ରେନ୍ରେ ପଡ଼ିବ । ଡ୍ରେନ୍ରେ ପାଣି ଆପେ ବାଲି ଓ ଗୋଡ଼ି ଆସ୍ତରଣ ଭେଦି ଭୂତଳକୁ ଯାଇ ଭୂତଳ ଜଳସ୍ତର ବଢ଼ାଇବ । ଯେବେ ପାଣି ଅଧିକ ମାତ୍ରାରେ ଆସିବ, ଏହା ବୋହି ଯାଇ ସୋକ୍ ପିଟ୍ରେ ପଡ଼ିବ । ଏବେ ଆନ୍ଧ୍ରପ୍ରଦେଶରେ ଏହି ଟେକ୍ନୋଲୋଜିକୁ ପ୍ରୟୋଗ କରି ଡ୍ରେନ୍ ତିଆରି ହୋଇଛି । ଏହା ଜଳ ନଷ୍ଟକୁ ରୋକିବା ସହିତ ଭୂତଳ ଜଳ ପ୍ରଦୂଷଣକୁ ମଧ୍ୟ ରୋକି ପାରୁଛି । ପୁଣି ଜଳ ଅମଳ ଦ୍ୱାରା ଭୂତଳ ଜଳସ୍ତର ବଢ଼ାଇବାରେ ସହାୟକ ହେଉଛି । ରାଜ୍ୟରେ ଏବେ ଘରକୁ ଘର ଟ୍ୟାପ୍ ଯୋଗେ ପାଣି ଯୋଗାଣ ବଢ଼ିଛି । ଏଥିଯୋଗୁ ଘରୋଇ ବ୍ୟବହାରରେ ପାଣି ବଢ଼ିବା ସହିତ ଅଧିକ ପାଣି ନଷ୍ଟ ହେଉଛି । ଏହାକୁ ରୋକିବାକୁ ରାଜ୍ୟ ସରକାର ପରୀକ୍ଷାମୂଳକ ଭାବେ ପ୍ରତି ପଞ୍ଚାୟତରେ ଏହି ମ୍ୟାଜିକ ଡ୍ରେନ୍ ତିଆରି କରିବେ । ପଞ୍ଚଦଶ ଅର୍ଥ କମିଶନ ଓ ପୁରୁଣା ମନରେଗା ପାଣ୍ଠିରୁ ଏହା ଯୋଗାଇ ଦିଆଯିବ ।