ନୂଆଦିଲ୍ଲୀ: ଟ୍ରମ୍ପ୍ଙ୍କ ଟାରିଫ୍ର ପ୍ରଥମ ଓ ସବୁଠୁ ଅଧିକ ପ୍ରଭାବ ବୟନ ଉଦ୍ୟୋଗ ଉପରେ ପଡ଼ିବାକୁ ଯାଉଛି । ଆମେରିକା ରାଷ୍ଟ୍ରପତି ଭାରତ ଉପରେ ମୋଟ ୫୦ ପ୍ରତିଶତ ଟାରିଫ୍ ଲଗାଇଛନ୍ତି, ଯେଉଁଥିରେ ୨୫ ପ୍ରତିଶତ ପେନାଲ୍ଟ ଭାବରେ ରହିଛି । ଆମେରିକାର ଏହି ନିଷ୍ପତ୍ତିକୁ ଭାରତ ଏକତରଫା ଓ ମନମନି ବୋଲି କହିଛି । ଏହାସହ ଟାରିଫ୍ ପ୍ରଭାବକୁ କମ କରିବା ପାଇଁ ଦ୍ୱିତୀୟ ବିକଳ୍ପ ଉପରେ ବି ଚିନ୍ତା କରିବା ଆରମ୍ଭ କରିଛି ।
ଭାରତରେ ବଡ଼ ସଂଖ୍ୟାରେ ଲୋକେ ଟେକ୍ସଟାଇଲ୍ ଉଦ୍ୟୋଗ ସହ ଜଡ଼ିତ ଅଛନ୍ତି । କିନ୍ତୁ ଏବେ ଲକ୍ଷ ଲକ୍ଷ ଲୋକଙ୍କ ରୋଜଗାର ବିପଦରେ ପଡ଼ିଛି । ଟ୍ରମ୍ପଙ୍କ ଟାରିଫ୍ କାରଣରୁ ଆମେରିକାରେ ଭାରତୀୟ ଟେକ୍ସଟାଇଲ୍ର ଚାହିଦା ହ୍ରାସ ପାଇବ । ଯଦି ଅର୍ଡର ହ୍ରାସ ପାଏ, ତେବେ ଉତ୍ପାଦନ ମଧ୍ୟ ହ୍ରାସ ପାଇବ । ଯାହା ଦ୍ୱାରା ଲୋକଙ୍କ ରୋଜଗାର ସିଧା ପ୍ରଭାବିତ ହେବ । ଏଥିପାଇଁ ଭାରତ ସରକାର ଏବେ ଆମେରିକୀୟ ବଜାରର ବିକଳ୍ପ ରୂପେ ୪୦ ଅନ୍ୟ ମାର୍କେଟ୍ ଅର୍ଥାତ୍ ଅନ୍ୟ ଦେଶକୁ ପୋଷାକ ରପ୍ତାନୀ ଉପରେ ବିଚାର କରୁଛି ।
ରିପୋର୍ଟ ଅନୁସାରେ ଆମେରିକାର ଟାରିଫ୍ ପ୍ରଭାବକୁ କମ କରିବା ପାଇଁ ଭାରତ ଅନ୍ୟ ଦେଶ ବଜାରକୁ ନେଇ ରଣନୀତି କରୁଛି । ନିଜର ବୟନ ସାମଗ୍ରୀ ରପ୍ତାନୀ ପାଇଁ ବ୍ରିଟେନ, ଜାପାନ ଓ ଦକ୍ଷିଣ କୋରିଆ ସମେତ ୪୦ ପ୍ରମୁଖ ବଜାରରେ ପହଞ୍ଚିବା ପାଇଁ ଯୋଜନା ପ୍ରସ୍ତୁତ କରୁଛି । ନୂଆ ୪୦ ଦେଶରେ ପହଞ୍ଚିବା ଲକ୍ଷ୍ୟ ଉଭୟ ପାରମ୍ପରିକ ଓ ନୂଆ, ଉଭୟ ବଜାରରେ ନିଜ ଉପସ୍ଥିତିକୁ ବଢାଇବା ଉପରେ କେନ୍ଦ୍ରିତ । ଏହି ଦେଶଗୁଡ଼ିକର ମିଳିତ ବୟନ ଏବଂ ପୋଷାକ ଆମଦାନୀ ୫୯୦ ବିଲିୟନ ଡଲାର, ଯାହା ଭାରତୀୟ ରପ୍ତାନିକାରୀଙ୍କ ପାଇଁ ସୁଯୋଗ ରୂପେ ଦେଖାଯାଉଛି । ବର୍ତ୍ତମାନ, ଏହି ବଜାରଗୁଡ଼ିକରେ ଭାରତର କେବଳ ୫-୬ ପ୍ରତିଶତ ଅଂଶ ରହିଛି ।
ଭାରତୀୟ ରପ୍ତାନିକାରୀମାନେ ବଡ଼ କ୍ଷତିର ସମ୍ମୁଖୀନ ହେବା ଆଶଂକା ଭିତରେ ଏହି ରଣନୀତି ଉପରେ କାମ କରାଯାଉଛି । ସରକାରଙ୍କ ବିଶ୍ୱାସ ଯେ ଅଗଷ୍ଟ ୨୭ରୁ ଲାଗୁ ହୋଇଥିବା ୫୦% ଟାରିଫ୍ ୪୮ ବିଲିୟନ ଡଲାରରୁ ଅଧିକ କ୍ଷତି ଘଟାଇପାରେ । AEPC ମହାସଚିବ ମିଥିଳେଶ୍ୱର ଠାକୁରଙ୍କ ଅନୁଯାୟୀ, ବୟନ ଶିଳ୍ପ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି । ୨୦୨୪-୨୫ ଆର୍ଥିକ ବର୍ଷରେ ଆମେରିକାକୁ ୧୦.୩ ବିଲିୟନ ଡଲାର ମୂଲ୍ୟର ସାମଗ୍ରୀ ରପ୍ତାନି କରିଥିଲା ।
ଉଲ୍ଲେଖନୀୟ ଯେ ଭାରତରେ ବୟନ ଉଦ୍ୟୋଗର ଆକାର ୨୦୨୪-୨୫ରେ ୧୭୯ ବିଲିୟନ ଡଲାର ହେବ ବୋଲି ଆକଳନ କରାଯାଇଛି । କିନ୍ତୁ ଏହା ୩୭ ବିଲିୟନ ଡଲାର ରପ୍ତାନି ଉପରେ ନିର୍ଭର । ବିଶ୍ୱ ବୟନଶିଳ୍ପ ଆମଦାନୀ ବଜାର ୮୦୦ ବିଲିୟନ ଡଲାରରୁ ଅଧିକ ଥିବା ସତ୍ତ୍ୱେ, ଭାରତର ଅଂଶ କେବଳ ୪.୧ ପ୍ରତିଶତ ରହିଛି ।