ଏଜବାଷ୍ଟନ: ଅଧିନାୟକ ଶୁଭମନ ଗିଲ୍ଙ୍କ ଐତିହାସିକ ଦ୍ଵିଶତକୀୟ ଇନିଂସ ବଳରେ ଭାରତ ଦ୍ଵିତୀୟ ଟେଷ୍ଟର ପ୍ରଥମ ଇନିଂସରେ ୫୮୭ ରନର ବିଶାଳ ସ୍କୋର କରିଛି। ଜବାବରେ ଦ୍ଵିତୀୟ ଦିନର ଖେଳ ଶେଷ ସୁଦ୍ଧା ଇଂଲଣ୍ଡ ୩ ଓ୍ଵିକେଟ୍ ହରାଇ ୭୭ ରନ କରିଛି। ଦଳ ଏବେ ବି ୫୧୦ ରନରେ ପଛରେ ରହିଛି। ଜୋ ରୁଟ୍ ୧୮ ରନ ଓ ହ୍ୟାରି ବ୍ରୁକ ୩୦ ରନ କରି ଅପରାଜିତ ଅଛନ୍ତି। ଆକାଶ ଦୀପ ୨ଟି ଓ୍ଵିକେଟ୍ ଅକ୍ତିକାର ଇଂଲଣ୍ଡକୁ ବ୍ୟାକଫୁଟ୍କୁ ଠେଲିଛନ୍ତି। ଏହା ପୂର୍ବରୁ ଗିଲ୍ ୨୬୯ ରନର ଦମଦାର ଇନିଂସ ଖେଳିଥିବା ବେଳେ ରବୀନ୍ଦ୍ରା ଜାଡ଼େଜା ୮୯ ରନ ଓ ଜୟସ୍ଵାଲ ୮୭ ରନର ଇନିଂସ ଖେଳିଛନ୍ତି। ଦ୍ଵିତୀୟ ଟେଷ୍ଟର ଦ୍ଵିତୀୟ ଦିନରେ ଭାରତର ବ୍ୟାଟରଙ୍କ ପ୍ରାଧ୍ୟାନ୍ୟ ଦେଖିବାକୁ ମିଳିଛି।
Also read: ଗିଲ୍ଙ୍କ ଐତିହାସିକ ଇନିଂସ, ଦ୍ୱିଶତକ ମାରି ସଚିନ୍-କୋହଲିଙ୍କ ଭାଙ୍ଗିଲେ ରେକର୍ଡ, ଗାଭାସ୍କରଙ୍କୁ ପକାଇଲେ ପଛରେ
ଭାରତ ୫୮୭ ରନରେ ଅଲଆଉଟ୍ ହେବା ପରେ ଇଂଲଣ୍ଡ ତାର ପ୍ରଥମ ଇନିଂସ ଆରମ୍ଭ କରିଥିଲା। ତେବେ ଦଳ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା। ୧୩ ରନ ସ୍କୋରରେ ଲଗାତାର ୨ଟି ଓ୍ଵିକେଟ୍ ହରାଇଥିଲା ଇଂଲଣ୍ଡ। ତୃତୀୟ ଓଭରରେ ଲଗାତାର ଦୁଇଟି ବଲ୍ରେ ବେନ ଡକେଟ୍ ଓ ଓଲି ପପ୍ଙ୍କୁ ଖାତା ଖୋଲିବା ପୂର୍ବରୁ ପାଭିଲିୟନ ପଠାଇଥିଲେ ଆକାଶଦୀପ। ଏହା ପରେ ୨୫ ରନ ସ୍କୋରରେ ଜ୍ୟାକ କ୍ରାଉଲି(୧୯)ଙ୍କୁ ଆଉଟ୍ କରିଥିଲେ ମହମ୍ମଦ ସିରାଜ। ୨୫ ରନ ସ୍କୋରରେ ୩ ଓ୍ଵିକେଟ୍ ହରାଇ ସଙ୍କଟରେ ପଡ଼ିଥିବା ଇଂଲଣ୍ଡର ଇନିଂସ ସମ୍ଭାଳିଛନ୍ତି ଅଭିଜ୍ଞ ଜୋ ରୁଟ୍ ଓ ହ୍ୟାରି ବ୍ରୁକ। ଦୁଇ ବ୍ୟାଟର ସତର୍କତାର ସହ ବ୍ୟାଟିଂ କରି ଦ୍ଵିତୀୟ ଦିନରେ ଦଳର ଆଉ କୌଣସି କ୍ଷତି ହେବାକୁ ଦେଇ ନ ଥିଲେ। ରୁଟ୍ ଓ ବ୍ରୁକ ଅବିଭାଜିତ ଚତୁର୍ଥ ଓ୍ଵିକେଟ୍ ପାଇଁ ୫୨ ରନ ଯୋଡ଼ିଛନ୍ତି। ରୁଟ୍ ୧୮ ରନ ଓ ବ୍ରୁକ ୩୦ ରନ କରି ଅପରାଜିତ ଅଛନ୍ତି।
ଏହା ପୂର୍ବରୁ ପ୍ରଥମ ଦିନର ଅସମାପ୍ତ ଖେଳ ୩୧୦/୫ରୁ ଭାରତ ବ୍ୟାଟିଂ ଆରମ୍ଭ କରିଥିଲା। ଅଧିନାୟକ ଗିଲ୍ ୧୧୪ ରନ ଓ ରବୀନ୍ଦ୍ର ଜାଡ଼େଜା ୪୧ ରନ ଖେଳି ଅପରାଜିତ ଥିଲେ। ଏହି ଦୁଇ ବ୍ୟାଟର ପ୍ରଥମ ସେସନରେ ଦମଦାର ବ୍ୟାଟିଂ କରି ଦଳର ସ୍କୋରକୁ ୪୦୦ ପାର କରାଇଥିଲେ। ଜାଡ଼େଜା ଅର୍ଦ୍ଧଶତକ ହାସଲ କରି ଶତକ ଆଡ଼କୁ ଅଗ୍ରସର ହେଉଥିଲେ ହେଁ ଜୋଶ ଟଙ୍ଗଙ୍କ ବାଉନ୍ସ ବଲରେ କ୍ୟାଚ୍ ଆଉଟ୍ ହୋଇଥିଲେ। ସେ ୧୦ ଚୌକା ଓ ୧ ଛକା ସହ ୮୯ ରନ କରି ପାଭିଲିୟନ ଫେରିଥିଲେ। ଏହା ପୂର୍ବରୁ ଗିଲ୍ ଓ ଜାଡ଼େଜା ଷଷ୍ଠ ଓ୍ଵିକେଟ୍ ପାଇଁ ୨୦୩ ରନର ଭାଗିଦାରୀ ଯୋଡ଼ିଛନ୍ତି।
ଏହା ମଧ୍ୟରେ ଗିଲ୍ ଦ୍ଵିଶତକ ପୂରଣ କରିଥିଲେ। ଗିଲ୍ ଓ ଓ୍ଵାଶିଂଟନ ସୁନ୍ଦର ୧୪୪ ରନ ଯୋଡ଼ି ଦଳର ସ୍କୋର ମଜବୁତ କରିଥିଲେ। ସୁନ୍ଦର ୪୨ ରନ କରି ଆଉଟ୍ ହୋଇଥିଲେ। ଦଳୀୟ ସ୍କୋର ୫୫୮ ରନରେ ଆଉଟ୍ ହୋଇଥିଲେ। ଏହା ପରେ ଗିଲ୍ଙ୍କ ମାରାଥନ ଦ୍ଵିଶତକ ଇନିଂସର ଅନ୍ତ ଘଟିଥିଲା। ସେ ୩୮୭ ବଲରୁ ୩୦ ଚୌକା ଓ ୩ ଛକା ସହ ୨୬୯ ରନ କରିଥିଲେ। ଏହା ପରେ ଭାରତ ୫୮୭ ରନରେ ଅଲଆଉଟ୍ ହୋଥିଲା। ଏହା ପୂର୍ବରୁ ପ୍ରଥମ ଦିନର ଖେଳରେ ଜୟସ୍ଵାଲ ୮୭ ରନ କରିଥିବା ବେଳେ କରୁଣ ନାୟ ୩୧ ରନ କରିଥିଲେ। ତେବେ ଗିଲ୍ ଦ୍ଵିଶତକୀୟ ଇନିଂସ ଖେଳି ଅନେକ ରେକର୍ଡ ନିଜ ନାଁରେ କରିବା ସହ ଦ୍ଵିତୀୟ ଟେଷ୍ଟରେ ଭାରତର ସ୍ଥିତି ମଜବୁତ କରିଛନ୍ତି।