ଭୁବନେଶ୍ୱର : ବିଜେପି ରାଜ୍ୟ ସଭାପତି ନିର୍ବାଚନ ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି । ଆସନ୍ତା ୮ ତାରିଖରେ ଘୋଷଣା ହେବ ରାଜ୍ୟ ବିଜେପିର ନୂଆ ସଭାପତିଙ୍କ ନାଁ । ଏନେଇ ଆସନ୍ତା ୬ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ । ୭ରେ ନାମାଙ୍କନପତ୍ର ଦାଖଲ ହେବ । ଯଦି ଏକାଧିକ ପ୍ରାର୍ଥୀ ନାମାଙ୍କନ ଦାଖଲ କରନ୍ତି ତେବେ ୮ ତାରିଖରେ ସକାଳ ୯ଟାରୁ ୧୧ ଯାଏଁ ହେବ ଭୋଟିଂ । ଏହା ପରେ ଫଳାଫଳ ଘୋଷଣା ସହ ନୂଆ ସଭାପତିଙ୍କ ନାଁ ଘୋଷଣା ହେବ ।
ସୂଚନାଯୋଗ୍ୟ, ଶନିବାର ଅର୍ଥାତ୍ ଜୁନ ୨୯ରୁ ରାଜ୍ୟ ବିଜେପି ସଭାପତି ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବାର ଥିଲା । ରାଷ୍ଟ୍ରୀୟ ପରିଷଦ ସଦସ୍ୟଙ୍କ ନିର୍ବାଚନ ପ୍ରକ୍ରିୟା ବି ଆରମ୍ଭ ହୋଇଥାନ୍ତା । ୩ ଦିନ ଧରି ଚାଲିଥାନ୍ତା ନିର୍ବାଚନ ପ୍ରକ୍ରିୟା । ନିର୍ବାଚନ ପାଇଁ ବିଜ୍ଞପ୍ତି ବି ପ୍ରକାଶ ପାଇ ସାରିଥିଲା । କିନ୍ତୁ ସେହି ଦିନ ସଂଧ୍ୟାରେ ନିର୍ବାଚନକୁ ସ୍ଥଗିତ ରଖାଯାଉଛି ବୋଲି ସାଂସଦ ପ୍ରତାପ ଷଡ଼ଙ୍ଗୀ ସୂଚନା ଦେଇଥିଲେ । ପୁରୀ ଶରଧାବାଲିରେ ଦଳାଚକଟା ଯୋଗୁଁ ୩ ଜଣଙ୍କ ମୃତ୍ୟୁରେ ସାରା ରାଜ୍ୟ ଦୁଃଖରେ ଅଛି, ତେଣୁ ନିର୍ବାଚନ ପାଇଁ ପରବର୍ତ୍ତୀ ତାରିଖ ଖୁବଶୀଘ୍ର ଘୋଷଣା କରାଯିବ ବୋଲି କହିଥିଲେ ।
ଉଲ୍ଲେଖଯୋଗ୍ୟ ଯେ ବିଜେପି ପକ୍ଷରୁ ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ସବୁ ରାଜ୍ୟରେ ପ୍ରାୟତଃ ଶେଷ ହୋଇଛି । ଅଧିକାଂଶ ରାଜ୍ୟରେ ନୂଆ ସଭାପତି ଚୟନ ସରିଛି । ତେବେ ଓଡ଼ିଶା ସମେତ କିଛି ରାଜ୍ୟରେ ନୂଆ ସଭାପତି ଚୟନ ବାକି ରହିଛି । ସବୁ ରାଜ୍ୟରେ ସଭାପତି ଚୟନ ଶେଷ ହେବା ପରେ ଜୁଲାଇ ଶେଷ ସୁଦ୍ଧା ରାଷ୍ଟ୍ରୀୟ ଅଧ୍ୟକ୍ଷ ଚୟନ କରାଯିବ ।