ନୂଆଦିଲ୍ଲୀ: ଭାରତୀୟ ଟିମର ଅଧିନାୟକ ଶୁଭମନ ଗିଲ୍ ଇତିହାସ ରଚିଛନ୍ତି । ଗିଲ୍ କେବଳ ଇଂଲଣ୍ଡ ନୁହେଁ, ବରଂ SENA ଦେଶ (ସାଉଥ୍ ଆଫ୍ରିକା, ଇଂଲଣ୍ଡ, ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ)ରେ ଟେଷ୍ଟ ମ୍ୟାଚରେ ଅଧିନାୟକ ଭାବେ ଦ୍ୱିଶତକ ମାରିବାରେ ପ୍ରଥମ ଭାରତୀୟ ହୋଇଛନ୍ତି । ଏବେ ସୁଦ୍ଧା ୧୯୨ ରନ ସହ ମହମ୍ମଦ ଆଜାରୁଦ୍ଦିନ ଟପ୍ରେ ଥିଲେ । ସେ ନ୍ୟୁଜିଲାଣ୍ଡ ବିପକ୍ଷରେ ଅକ୍ଲ୍ୟାଣ୍ଡରେ ଏହି ରନ୍ କରିଥିଲେ । ଏହା ବ୍ୟତୀତ ଇଂଲଣ୍ଡରେ ଦ୍ୱିଶତକୀୟ ଇନିଂସ ଖେଳିବାରେ ତୃତୀୟ ଭାରତୀୟ ହୋଇଛନ୍ତି ।
ଶୁଭମନ ଗିଲ୍ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ର ପ୍ରଥମ ଇନିଂସରେ ଦ୍ୱିଶତକ ମାରିଛନ୍ତି । ଟେଷ୍ଟ କ୍ରିକେଟ୍ରେ ଏହା ତାଙ୍କର ପ୍ରଥମ ଦ୍ୱିଶତକ । ଗିଲ୍ଙ୍କ ଦମଦାର ଇନିଂସ ବଳରେ ଇଂଲଣ୍ଡ ଆଗରେ ବଡ଼ ସ୍କୋର ଅଭିମୁଖ୍ୟ ଭାରତ ବଢୁଛି । ଗିଲ୍ ଟେଷ୍ଟରେ ଦ୍ୱିଶତକ ମାରିବାରେ ଭାରତର ଦ୍ୱିତୀୟ ସର୍ବକନିଷ୍ଠ ଅଧିନାୟକ । ଏହି ମାମଲାରେ ସେ ସଚିନ ତେନ୍ଦୁଲକର ଓ ବିରାଟ କୋହଲିଙ୍କୁ ପଛରେ ପକାଇଛନ୍ତି । ଗିଲ୍ ୨୫ ବର୍ଷ ୨୯୮ ଦିନ ବୟସରେ ଏହି କୀର୍ତ୍ତିମାନ ସ୍ଥାପନ କରିଛନ୍ତି । ଟେଷ୍ଟରେ ଭାରତ ପାଇଁ ଦ୍ୱିଶତକ ହାସଲ କରିବାରେ ସବୁଠୁ ଯୁବ କ୍ୟାପ୍ଟେନର ରେକର୍ଡ ଏମ୍ ପଟୌଦୀଙ୍କ ନାଁରେ ରହିଛି । ୧୯୬୪ରେ ଦିଲ୍ଲୀରେ ଖେଳାଯାଇଥିବା ମ୍ୟାଚରେ ଇଂଲଣ୍ଡ ବିପକ୍ଷରେ ସେ ଏହି ଉପଲବ୍ଧି ହାସଲ କରିଥିଲେ । ପଟୌଦୀ ୨୩ ବର୍ଷ ୩୯ ଦିନ ବୟସରେ ଅଧିନାୟକ ଭାବେ ଦ୍ୱିଶତକ ମାରିଥିଲେ ।
ସଚିନ ତେନ୍ଦୁଲକର ଅଧିନାୟକ ଭାବେ ୧୯୯୯ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଟେଷ୍ଟରେ ଦ୍ୱିଶତକ ମାରିଥିଲେ । ସେତେବେଳେ ତାଙ୍କ ବୟସ ୨୬ ବର୍ଷ ୧୮୯ ଦିନ ଥିଲା । ୨୦୧୬ରେ ବିରାଟ କୋହଲି ୱେଷ୍ଟଇଣ୍ଡିଜ ବିପକ୍ଷରେ ୨୭ ବର୍ଷ ୨୬୦ ଦିନ ବୟସରେ ଦ୍ୱିଶତକ ମାରିଥିଲେ । ମୋଟ ଉପରେ ୧୧ ଜଣ ଅଧିନାୟକ ଇଂଲଣ୍ଡ ବିପକ୍ଷରେ ଦ୍ୱିଶତକ ମାରିଛନ୍ତି । ଇଂଲଣ୍ଡରେ ଅଧିନାୟକ ଭାବେ ଦ୍ୱିଶତକ ହାସଲ କରିବା ମାମଲାରେ କେବଳ ଗ୍ରେମ ସ୍ମିଥ୍ ହିଁ ଗିଲ୍ଙ୍କ ଉପରେ ଅଛନ୍ତି । ସ୍ମିଥ୍ ୨୦୦୩ରେ ୨୨ ବର୍ଷ ୧୭୫ ଦିନ ବୟସରେ ଦ୍ୱିଶତକ କରିଥିଲେ ।
ଗିଲ୍ ନିଜର ଦମଦାର ବ୍ୟାଟିଂରେ ଆଉ ଏକ ବଡ଼ ଉପଲବ୍ଧି ହାସଲ କରିଛନ୍ତି । ଇଂଲଣ୍ଡରେ ଗୋଟିଏ ଇନିଂସରେ ସର୍ବାଧିକ ରନ କରିଥିବା ବ୍ୟାଟର ହୋଇଛନ୍ତି । ଏହି ମାମଲାରେ ସେ କିମ୍ୱଦନ୍ତୀ ବ୍ୟାଟର ସୁନୀଲ ଗାଭାସ୍କାରଙ୍କୁ ପଛରେ ପକାଇଛନ୍ତି । ଗାଭାସ୍କର ୧୯୭୯ରେ ଦ ଓଭାଲରେ ଖେଳାଯାଇଥିବା ମ୍ୟାଚରେ ୨୨୧ ରନ୍ କରିଥିଲେ । ଗିଲ୍ ଏହାକୁ ଅତିକ୍ରମ କରିସାରିଛନ୍ତି । ୨୦୦୨ରେ ଦ ଓଭାଲରେ ରାହୁଲ ଦ୍ରାବିଡ ୨୦୧୯ ରନ୍ କରିଥିଲେ ।