ନୂଆଦିଲ୍ଲୀ: ଏବେ ଆମେରିକା କିମ୍ବା ୟୁରୋପ ନୁହେଁ, ଭାରତୀୟଙ୍କ ଗୋଡ଼ ମାପରେ ଚପଲ ତିଆରି ହେବ। ଫଳରେ ସାଇଜ୍ ନେଇ ଆଉ କୌଣସି ସମସ୍ୟା ହେବ ନାହିଁ। ପୂର୍ବରୁ ଜୋତା ଏବଂ ଚପଲ ଆମେରିକୀୟ କିମ୍ବା ୟୁରୋପୀୟଙ୍କ ମାପରେ ହେଉଥିଲା। ଏଥିପାଇଁ ଆମ ଦେଶର ଲୋକଙ୍କ ପାଦକୁ ଏହା ଫିଟ୍ ହେଉ ନଥିଲା।
ବାସ୍ତବରେ, ଆମେରିକୀୟ ଏବଂ ୟୁରୋପୀୟମାନଙ୍କ ତୁଳନାରେ ଭାରତୀୟଙ୍କ ପାଦ ଅଧିକ ଟିକେ ଅଧିକ ଚୌଡ଼ା। କମ୍ପାନୀଗୁଡିକ ଆମେରିକୀୟ କିମ୍ବା ୟୁରୋପୀୟମାନଙ୍କ ପାଦର ଲମ୍ବ ଏବଂ ମୋଟେଇ ଆଧାରରେ ଜୋତା ଏବଂ ଚପଲ ତିଆରି କରୁଛନ୍ତି। ଫଳରେ ଜୋତା ମାପରେ ସମସ୍ୟା ଦେଖା ଦେଉଛି। ହେଲେ ବର୍ତ୍ତମାନ ଆଉ ଏମିତି ହେବ ନାହିଁ, ଏହି ସିଷ୍ଟମ୍ ପରିବର୍ତ୍ତନ ହେବାକୁ ଯାଉଛି।
ବର୍ତ୍ତମାନ ଜୁତା ଓ ଚପଲ ପାଇଁ ଭାରତୀୟ ମାନକ ତିଆରି ଚାଲିଛି। ଆସନ୍ତା ବର୍ଷ ଅର୍ଥାତ୍ ୨୦୨୫ ଠାରୁ, କମ୍ପାନୀଗୁଡିକ ଭାରତୀୟଙ୍କ ପାଇଁ ଜୋତା ତିଆରି କରିବେ। ଏଥିପାଇଁ ‘ଭା (Bha)’ କୋଡ଼ ରଖାଯାଇଛି, ଯାହାର ଅର୍ଥ ଭାରତରୁ ଆସୁଛି। ଏଥିପାଇଁ ଖାଲି ବ୍ୟୁରୋ ଅଫ୍ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡରୁ ସ୍ୱୀକୃତି ମିଳିବା ବାକି ରହିଛି।
ଭାରତୀୟଙ୍କ ପାଦକୁ ନେଇ ହୋଇଛି ସର୍ଭେ
ଭାରତୀୟଙ୍କ ପାଦର ଆକୃତି ଓ ଆକାର ଜାଣିବାକୁ କାଉନସିଲ୍ ଅଫ୍ ସାଇଣ୍ଟିଫିକ୍ ଆଣ୍ଡ ଇଣ୍ଡଷ୍ଟ୍ରିଆଲ୍ ରିସର୍ଚ୍ଚ ଏବଂ ସେଣ୍ଟ୍ରାଲ୍ ଲେଦର ରିସର୍ଚ୍ଚ ଇନ୍ଷ୍ଟିଟ୍ୟୁଟ୍ ସମଗ୍ର ଭାରତରେ ଏକ ସର୍ଭେ କରିଥିଲା। ଏଥିରେ ଜଣାପଡ଼ିଥିଲା ଯେ ମହିଳାଙ୍କ ପାଦର ଆକାର ୧୧ ବର୍ଷ ବୟସ ପର୍ଯ୍ୟନ୍ତ ବଢ଼ିଥାଏ। କିନ୍ତୁ ପୁରୁଷମାନଙ୍କରେ ଏହା ୧୫-୧୬ ବର୍ଷ ପର୍ଯ୍ୟନ୍ତ ବଢ଼ି ଚାଲିଥାଏ। ଡିସେମ୍ବର ୨୦୨୧ ରୁ ମାର୍ଚ୍ଚ ୨୦୨୨ ମଧ୍ୟରେ ଏହି ସର୍ଭେ କରାଯାଇଥିଲା। ସର୍ଭେରେ ପାଞ୍ଚଟି ଭୌଗୋଳିକ କ୍ଷେତ୍ରରେ ୭୯ ଟି ସ୍ଥାନରେ ରହୁଥିବା ପ୍ରାୟ ୧,୦୧,୮୮୦ ଲୋକଙ୍କୁ ଏଥିରେ ସାମିଲ୍ କରାଯାଇଥିଲା। କେବଳ ସେତିକି ନୁହେଁ, ଭାରତୀୟ ପାଦର ଆକୃତି, ପରିମାପ ଏବଂ ଗଠନ ବୁଝିବା ପାଇଁ 3D ଫୁଟ ସ୍କାନିଂ ମେସିନ୍ର ବ୍ୟବହାର କରାଯାଇଥିଲା।
ମାପ ହେଉ ନଥିବାରୁ ୫୦ ପ୍ରତିଶତ ଜୋତା ହେଉଛି ରିଟର୍ଣ୍ଣ
ଏହି ପରିବର୍ତ୍ତନର ସବୁଠାରୁ ବଡ଼ କାରଣ ହେଉଛି ଭାରତର ବଡ ବଜାର। ପ୍ରତ୍ୟେକ ଭାରତୀୟଙ୍କର ହାରାହାରି ୧.୫ଟି ଜୋତା ରହିଛି। ତେବେ ଠିକ୍ ମାପ ନହେବା ଯୋଗୁ ଅନ୍ଲାଇନ୍ରେ କିଣାଯାଇଥିବା ୫୦ ପ୍ରତିଶଥ ଜୋତା ଫେରସ୍ତ କରାଯାଇଥାଏ। ନୂଆ ସିଷ୍ଟମରେ ଲାଗୁ ହେଲେ କମ୍ପାନୀଗୁଡିକ ସାଇଜ୍ ୧୦ ପରିବର୍ତ୍ତେ ୮ ଆକାରରେ ଜୋତା ତିଆରି କରିବାକୁ ପଡ଼ିବ।